ରାଜ୍ୟ ସରକାରଙ୍କାର କେନ୍ଦ୍ରୀୟ ଟିମକୁ ପ୍ରାଥମିକ ରିପୋର୍ଟ, ୧୨ ହଜାର କୋଟି ଟଙ୍କାର କ୍ଷତି

ଭୁବନେଶ୍ବର(କେନ୍ୟୁଜ୍ ) : ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍‌ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ ।  ଫନିରେ ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ନେଇ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ଚଳିତମାସ ଶେଷସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରାଯିବ । ଫନି ପ୍ରଭାବରେ ବିଦ୍ୟୁତ୍‌ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯେଉଁ ନିୟମ ଅଛି ତାହାକୁ ସଂଶୋଧନ ପାଇଁ ଅନୁରୋଧ କରାଯାଇଛି ।.

ସଚିବାଳୟରେ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଟିମ୍‌ ମଧ୍ୟରେ ଆଲୋଚନା । ବାତ୍ୟା ଫନିରେ ୧୪ଟି ଜିଲ୍ଲାର ୧୬୫. ୫୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟରେ ୧୧ ହଜାର ୯୪୨ କୋଟି ୬୨ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ । ଏନେଇ କେନ୍ଦ୍ରୀୟ ଟିମ୍‌କୁ ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟାରେ ଶକ୍ତି ବିଭାଗର ସବୁଠୁ ଅଧିକ କ୍ଷତି ଘଟିଛି । ଶକ୍ତି ବିଭାଗର ୧୧୫୯ କୋଟି ୮୦ ଲକ୍ଷ ଟଙ୍କା, ଜଳସମ୍ପଦ ବିଭାଗର ୩୭୩ କୋଟି ଟଙ୍କା ଓ ପୂର୍ତ୍ତ ବିଭାଗର ୫୯୭ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫ କୋଟି ୧୭ଲକ୍ଷ ଟଙ୍କା, ଶିଳ୍ପ ବିଭାଗର ୧୫୨ କୋଟି ୬୯ ଲକ୍ଷ ଟଙ୍କା ଓ ଜଙ୍ଗଲ ପରିବେଶ ବିଭାଗର ୫୩୭ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଛି । ରିଲିଫ ପାଇଁ ୬ ହଜାର ୭ ଶହ ୬୭କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବିଦ୍ୟୁତ୍‌ ସେବା କ୍ଷେତ୍ରରେ  SDRF ନିୟମାବଳୀରେ ସଂଶୋଧନ ପାଇଁ କେନ୍ଦ୍ରୀୟ ଟିମ୍‌କୁ ଅନୁରୋଧ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦିଆଯିବ।

ସେପଟେ ରାଜ୍ୟ ସରକାରଙ୍କ ଫନି ମୁକାବିଲାକୁ କେନ୍ଦ୍ରୀୟ ଟିମର ପ୍ରଶଂସା । ରାଜ୍ୟ ସରକାର ଠିକ୍‌ ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଖରେ ଠିକ୍‌ ସମୟରେ ରିଲିଫ ପହଞ୍ଚିପାରିଛି । ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିପାଇଁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ମନରେଗାରେ କାର୍ଯ୍ୟ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ ।

କେନ୍ଦ୍ରରୁ ଆସିଥିବା ୧୧ ଜଣିଆ ଟିମ୍‌ ୩ ଦିନ ଧରି ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ  ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ଜୀବନଜୀବିକା ଓ ଉଜୁଡ଼ା ବେଉସା ସଂପର୍କରେ ପଚାରି ବୁଝିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.