ଚଳନ୍ତା ଅଟୋ ଉପରେ ଉପୁଡ଼ି ପଡ଼ିଲା ଗଛ, ଅଟୋ ଗୁଣ୍ଡ ଓ ଦୁଇ ଜଣ ଆହତ

କେନ୍ଦୁଝର (କେନ୍ୟୁଜ୍‌) : ଏହାକୁ ଦୁର୍ଭାଗ୍ୟ କହିବନି ତ ଆଉ କଣ ? ରାସ୍ତା ଉପରେ ଅଟୋରେ ବସି ଯାଉଥିଲେ ବାପ ପୁଅ ଆଉ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଏହି ବାପ ପୁଅ ।
ଲଗାଣ ବର୍ଷାରେ ଏକ ବିଶାଳ ଗଛ ଅଚାନକ ଉପୁଡି ପଡ଼ିଲା । ଠିକ୍‌ ସେତିକି ବେଳେ ରାସ୍ତାରେ ଯାଉଥିବା ଅଟୋ ଉପରେ ପଡ଼ିଗଲା । ଫଳରେ ଅଟୋରେ ବସିଥିବା ୨ଜଣ ବ୍ୟକ୍ତି ଗୁରୁତର ହେଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିରି ଠାରେ ଏ ଘଟଣା ଘଟିଛି । ଜିଲ୍ଲାରେ ଏବେବି ଲଗାଣ ବର୍ଷା ଜାରି ରହିଛି । ଏହି ପରିସ୍ଥିତିରେ ଆଜି କେନ୍ଦୁଝର ଟାଉନ ଥାନା ନରଣପୁର ରୁଗୁଡି ସାହିର ଦୁର୍ଯ୍ୟୋଧନ ବେହେରା ନିଜ ପୁଅ ଶରତ ବେହେରାଙ୍କ ଅଟୋରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ଦେଖାଇ ଘରକୁ ଫେରୁଥିବା ବେଳେ ହଳଦିଆ ଟାଙ୍ଗିରି ଠାରେ ଅଚାନକ ଏକ ବିଶାଳ ଗଛ ଭାଙ୍ଗି ଅଟୋ ଉପରେ ପଡିଗଲା । ଏଥିରେ ଅଟୋଟି ପୂରା ଚାପି ହୋଇ ଭାଙ୍ଗି ଯାଇଥିଲା । ଆଉ ସେଥିରେ ବସିଥିବା ଉଭୟ ବାପ ଓ ପୁଅ ଗୁରୁତର ହୋଇଥିଲେ । ଗଛର ବଡ଼ ବଡ଼ ଡାଳ ପଡ଼ିବା ଫଳରେ ଗାଡ଼ିଟିି ପୂରା ଚେପା ହୋଇ ଯାଇଥିଲା । ଫଳରେ ବାପ ଓ ପୁଅ ଦୁଇଜଣ ଯାକ ତା ଭିତରେ ଚାପି ହୋଇ ରହି ଯାଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ଏକ ଲମ୍ବା ଦଉଡି ସାହାଯ୍ୟରେ ଗଛକୁ ଗୋଟିଏ କଡ଼କୁ ନେଇ ବହୁ କଷ୍ଟରେ ବାପ ଓ ପୁଅଙ୍କୁ ଉଦ୍ଧାର କରିଥିଲେ। ଦୁର୍ଯ୍ୟୋଧନ ବେହେରା ଚେତାଶୂନ୍ୟ ଥିବାବେଳେ ପୁଅ ଶରତଙ୍କ ଗୋଡ଼ ଓ ହାତ ଭାଙ୍ଗି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ, ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଉପୁଡ଼ି ପଡ଼ିଥିବା ଗଛକୁ କାଟି ରାସ୍ତା ପରିସ୍କାର କରିଥିଲେ । ରାସ୍ତା ଉପରେ ଗଛଟି ପଡ଼ି ରହିଥିବା ଯୋଗୁଁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟିକି ରହିଥିଲା । ଗଛ କଟାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

AUTO-1
ପୋଲିସ୍‌ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ବାପ ପୁଅଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ଏହି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଦୁଇ ବାପ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତେଣୁ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ କ୍ଷତିପୂରଣ ଦାବି କରିଛନ୍ତି ।

 

 

Leave A Reply

Your email address will not be published.