ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ମୟୁରଭଞ୍ଜର ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ

ବାରିପଦା (କେନ୍ୟୁଜ୍‌) : ଦିନକ ପରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପିତ କରିବେ ଜିଲ୍ଲାର ୨ଟି ବୃହତ ଜଳସେଚନ ପ୍ରକଳ୍ପ । ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା
ଜଳସେଚନ ପ୍ରକଳ୍ପ ଏବଂ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରଥମେ କରଞ୍ଜିଆ ହାତିବାଡି ଠାରେ ଦେଓ ପ୍ରକଳ୍ପକୁ କରିବେ ଲୋକାର୍ପିତ । ଏହି ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ କରଞ୍ଜିଆ ଉପଖଣ୍ଡର ସମେତ କେନ୍ଦୁଝର ଜିଲ୍ଲାର ୯୯୦୦ ହେକ୍ଟର ଚାଷଜମି । ପରେ ରାସଗୋବିନ୍ଦପୁରର ଟିକପଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ।

ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଳକ ସମେତ ବାଲେଶ୍ୱର ଜିଲ୍ଲାର ୧୭ ହଜାର ୧୨୧ ହେକ୍ଟର ଜମି ଜଳସେଚିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ସେହିପରି ଦଳୀୟ ନେତା ଓ କର୍ମୀ ମଧ୍ୟ ତତ୍ପର । ଏହି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୁରଭଞ୍ଜ ଜିଲ୍ଲା ସମେତ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଜଳସେଚନ କରିବାର ଲକ୍ଷ୍ୟ ରହିଛି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର ୯୪ ହଜାର ହେକ୍ଟର ଜମି ସାଙ୍ଗକୁ ବାଲେଶ୍ୱର ଜିଲ୍ଲାର ୧୪ ହଜାର ହେକ୍ଟର ଚାଷ ଜମିକୁ ପାଣି ମାଡ଼ିବ ।

ପୂର୍ବରୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦୁଇଟି କେନାଲ ଲୋକାର୍ପିତ ହୋଇଛି । ଗତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ କାଠପାଳ କେନାଲକୁ ଲୋକାର୍ପିତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣରେଖା କେନାଲରୁ ପାଣି ଛଡା ଯାଇ ୨୦ ହଜାର ହେକ୍ଟର ଜଳସେଚିତ କରାଯାଇଥିବା ବେଳେ ଗତବର୍ଷ ପୁଣି ଜିଲ୍ଲାର ୫ଟି ବ୍ଳକର ୯୪ ଗ୍ରାମରେ ୧୫ ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ କରାଯାଇଛି ।

ଗତ ଏପ୍ରିଲ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟର ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଯୋଜନା ରହିଛି । ସେ ମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଏଥିରେ ଅଛି ମୟୁରଭଞ୍ଜ ଜିଲ୍ଲାର ଦୁଇ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପ । ସୁବର୍ଣ୍ଣରେଖା ଏବଂ ଦେଓ ଜଳସେଚନ ପ୍ରକଳ୍ପ । ଚଳିତ ବର୍ଷ ଦେଓ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ୨୦୨୪ ମସିହାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ।

ସୁବର୍ଣରେଖା ଜଳସେଚନ ପ୍ରକଳ୍ପ ଏକ ବହୁ ମୁଖୀ ଅନ୍ତଃରାଜ୍ୟ ପ୍ରକଳ୍ପ । ୧୯୭୮ ମସିହାରେ ଝାଡଖଣ୍ଡ,ପଶ୍ଚିମବଙ୍ଗ ଓ ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇ ଝାଡଖଣ୍ଡର ଚାନ୍ଦିଲି ଓ ଇଚ୍ଛାବନ୍ଧ ନିର୍ମାଣ କରାଯାଇଥିଲା । ଜଳ ଗଚ୍ଛିତ ରଖାଯିବା ପରେ ଝାଡଖଣ୍ଡର ଗାଲୁଡିହ ଠାରେ ବ୍ୟାରେଜ ନିର୍ମାଣ କରାଯାଇ ଓଡିଶା ଅଂଶ ଜଳ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.