ୟୁଟ୍ଯୁବ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗାଁ ଝିଅ ଅର୍ପିତା, ଯୁବବର୍ଗଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଭଦ୍ରକ(କେନ୍ଯୁଜ୍): ୟୁଟ୍ଯୁବ୍ ଯାହା ଆଜି ଘରେ ଘରେ ପରିଚିତ । ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ଯାଏ ଏବେ ସଭିଏଁ ୟୁଟ୍ଯୁବ୍ ସହିତ ପରିଚିତ। ଖାସ୍ କରି ଆଜିକା ଦିନରେ ରୋଜଗାରର ମାଧ୍ୟମ ସାଜିଛି ୟୁଟ୍ଯୁବ। ୟୁଟ୍ଯୁବ ମାଧ୍ୟମରେ ନିଜର କଳା କୃତିର ନିପୁଣତାକୁ ପ୍ରଦର୍ଶନ କରି ଘରେ ରହି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଅନେକ।

ଯେଉଁମାନଙ୍କ ଭିତରେ ଅଛନ୍ତି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ତରାଗୋ ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବତୀ। ଯିଏ ଅଦରକାରୀ ଏବଂ ବର୍ଜ୍ଯବସ୍ତୁରେ ବିଭିନ୍ନ କଳାକୃତି ମାନ ତିଆରି କରି ନିଜର ପରିଚୟ ସୃଷ୍ଟି କରିବା ସହିତ ରୋଜଗାରକ୍ଷମ ହୋଇପାରିଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀ । ନିଜର ଅନ୍ତର୍ନିହିତ ଗୁଣ ହସ୍ତକଳା ଦ୍ୱାରା ତିଆରି କରୁଛନ୍ତି ବିଭିନ୍ନ ରଙ୍ଗ ବେରଙ୍ଗ ର କଳାକୃତି। ଏମିତିକି କାନ୍ଥ ୱାଲ, ଦେବା,ଦେବୀଙ୍କ ପ୍ରତିମୂର୍ତ୍ତି, ଫୋଟୋ ଫ୍ରେମ, ଫୁଲଦାନୀ ଡେକୋରେସନ ସହ ଘରକୁ ସୁସଜ୍ଜିତ କରୁଥିବା ବିଭିନ୍ନ ଜିନିଷ ପତ୍ର। ନିଜର ପରିଶ୍ରମ ଓ ଚେଷ୍ଟା ଦ୍ୱାରା ଘରେ ରହି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଗାଁ ରେ ଘରେ ରହୁଥିବା ଯୁବତୀ ୟୁଟ୍ଯୁବ ମାଧ୍ୟମରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି।

ଅର୍ପିତାଙ୍କ ବୟସ ୨୫ ବର୍ଷ ହେବ। ପ୍ରିୟଦର୍ଶିନୀ ଗ୍ରାଜୁଏସନ ପରେ ସିଟି ପାଠ ପଢା ସାରି ଘରେ ବସିଥିଲେ। ଏହି ସମୟରେ ନିଜର ଥିବା ଅନ୍ତର୍ନିହିତ ଗୁଣକୁ ସାରା ଦୁନିଆରେ ପ୍ରଦର୍ଶନ କରିବାକୁ ଚାହିଁଲେ । ତେବେ ହସ୍ତକଳା ମାଧ୍ୟମରେ ସେ ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରିପାରିଛନ୍ତି । ପୂର୍ବରୁ ହଷ୍ଟେଲ ରହୁଥିବା ସମୟରେ କିଛି ପେପର ଓ ପିଚୁ ବୋର୍ଡ ସାହାଯ୍ଯରେ ତାଙ୍କ ବନ୍ଧୁ ମାନଙ୍କୁ ଜନ୍ମଦିନ ଓ ନି୍ଯୁ ଇୟର ଗିଫ୍ଟ ଦେବା ପାଇଁ ତିଆରି କରୁଥିଲେ ବିଭିନ୍ନ ପ୍ରକାରର ହସ୍ତକଳାର ଜିନିଷ। ଏହାସହିତ ବିଭିନ୍ନ ପ୍ରକାରର ୱାଲ ହେଙ୍ଗିଙ୍ଗ ତିଆରି କରୁଥିଲେ, ଅଦରକାରୀ ଖବର କାଗଜ, ଆଇସ୍କ୍ରିମ ଚାମଚ ଆଉ କିଛି କାଠି ସାହାଯ୍ଯରେ। ତାଙ୍କର ଏହି କଳା ଦେଖି ଅର୍ପିତାଙ୍କ ବଡ଼ ଭାଇ କଳାକୃତି ଗୁଡିକ ୟୁଟ୍ଯୁବ ମାଧ୍ୟମରେ ଅପଲୋଡ଼ କରିବା ପାଇଁ କହିଥିଲେ । ଫଳରେ ଅର୍ପିତା ଗତ ୨୦୧୯ ମସିହା ଏପ୍ରିଲ ମାସରେ ୟୁଟ୍ଯୁବ ବିଷୟରେ ଜାଣିବା ପରେ ଏକ ୟୁଟ୍ଯୁବ ଚ୍ଯାନେଲ ଖୋଲି, ତାହାର ନାମ କ୍ରାଫ୍ଟ ଗ୍ଯାଲେରୀ ରଖିଲେ। ଏହି ୟୁଟ୍ଯୁବ ମାଧ୍ୟମରେ ତାଙ୍କର ତିଆରି କଳା କୁ ପ୍ରଥମେ କିଛି କିଛି ଭିଡିଓ କରି ଛାଡିଥିଲେ। ଏହି ହସ୍ତକଳା କୁ ତିଆରି କରିବା ପାଇଁ ମାସିକ ୧ ହଜାର ରୁ ୨ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ପ୍ରଥମେ ଏହି ହସ୍ତକଳା ଏତେଟା ଲୋକପ୍ରିୟ ହୋଇପାରି ନ ଥିଲେ। ପ୍ରଥମେ ଏହି ହସ୍ତକଳା ମାଧ୍ୟମରେ ମାସିକ ୪ ହଜାରରୁ ୫ ହଜାର ରୋଜଗାର କରୁଥିଲେ। ପରେ ଏହି ହସ୍ତକଳାକୁ ସମ୍ପୂର୍ଣ୍ଣ ଭାବେ ତିଆରି କରି ଏଡିଟିଂ କରିବା ପରେ ସେହି ଭିଡିଓକୁ ତାଙ୍କ ୟୁଟ୍ଯୁବ ଚ୍ଯାନେଲରେ ଛାଡିଥିଲେ।ପରେ ଧୀରେ ଧୀରେ ତାଙ୍କର ଫଲୋର୍ସ ବଢିବା ସହ ଲୋକପ୍ରିୟତା ବଢିଥିଲା।

arpita youtube

ଏବେ ୟୁଟ୍ଯୁବରେ ଏକ ଲକ୍ଷ ସବସ୍କ୍ରାଇବର ହେବା ପରେ ତାଙ୍କୁ ୟୁଟ୍ଯୁବ ପକ୍ଷରୁ ଏକ ସିଲଭର ପେ୍ଳେଟ୍ ଆୱାଡ୍ ମଧ୍ଯ ମିଳିଛି। ଆଉ ଏବେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅର୍ପିତା ପ୍ରିୟଦର୍ଶିନୀ। ଏବେ ତାଙ୍କ ୟୁଟ୍ଯୁବ ଚ୍ଯାନେଲରେ ୮ କୋଟିରୁ ଅଧିକ ଭ୍ଯୁୟର୍ସ ଅଛନ୍ତି। ଏହି କଳା କୁ ନେଇ ଅର୍ପିତା ପ୍ରିୟଦର୍ଶିନୀ ନିଜେ ଖୁସି ବ୍ଯକ୍ତ ହେବା ସହ ଆଗାମୀ ଦିନରେ ନିଜର କଳାକୁ କିପରି ଆହୁରି ଅଧିକା କରିପାରିବେ ସେ ନେଇ ଆଶା ରଖିଛନ୍ତି । ଝିଅର ଏହି ପରି କଳାକୁ ଦେଖିବା ସହ ବାପା ମଧ୍ୟ ଖୁସି ଅଛନ୍ତି ବୋଲି କହିଛନ୍ତି ଅର୍ପିତା ଙ୍କ ବାପା।

ଅଦରକାରୀ ଓ ବର୍ଜ୍ଯବସ୍ତୁ ଦ୍ୱାରା ନିଜର ନୂତନ ପରିଚୟ ସୃଷ୍ଟି କରିଛନ୍ତି ଅର୍ପିତା। ତିଆରି ହୋଇଥିବା ହସ୍ତକଳା କୁ ଘର ସଜାଡ଼ିବା ପାଇଁ ବନ୍ଧୁବାନ୍ଧବ ସହ ଗ୍ରାମବାସୀ ମାନ ଅର୍ପିତା ଙ୍କ ଘରକୁ ଆସି ବିଭିନ୍ନ ସରଞ୍ଜାମ କିଣି ନେଉଛନ୍ତି। ଗ୍ରାମର କିଛି ଛାତ୍ର, ଛାତ୍ରୀ ମଧ୍ଯ ଅର୍ପିତା ତିଆରି କରୁଥିବା ବେଳେ ତାଙ୍କ ହସ୍ତକଳାକୁ ଦେଖିବା ପାଇଁ ଘରେ ଭିଡ଼ ଜମାନ୍ତି।ଏପରିକି ଏହି ହସ୍ତକଳା ରେ ତିଆରି କରିଥିବା ବିଭିନ୍ନ ଡିଜାଇନ ର କଳାକୃତି ଗୁଡିକ ଅର୍ପିତା ନିଜ ଘର କାନ୍ଥରେ ଲଗାଇଥିବାରୁ, ଘର ଗୁଡିକ ବେଶ ମଧ୍ଯ ଆକର୍ଷଣୀୟ ହୋଇପାରିଛି.।

ଗାଁ ଝିଅ ଅର୍ପିତାଙ୍କ ଏଭଳି ସଫଳତାକୁ ନେଇ ଗ୍ରାମବାସୀ ଓ ଘର ଲୋକ ବେଶ ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କର ଏଭଳି ପ୍ରୟାସ ଅନେକ ଯୁବ ପିଢିଙ୍କ ପାଇଁ ପେ୍ରରଣା ପାଲଟିବ ନିଶ୍ଚୟ।

ଭଦ୍ରକରୁ ନରେନ୍ଦ୍ର କୁମାର ସାମଲ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.