ରାୟଗଡା(କେନ୍ୟୁଜ୍): ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଖସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ। ସୂଚନା ଅନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ଘରେ ଶୋଇଥିବା ବେଳେ ଗାଁ ଲୋକେ ଗୁଣିଗାରେଡ଼ି କରି ଲୋକଙ୍କୁ ନଷ୍ଟ କରିଦେଉଛୁ ବୋଲି ପାଟି ତୁଣ୍ଡ ଓ ଗାଳି ଗୁଲଜ କରି ଦଇ ମାଝିଙ୍କ ଘର ସମ୍ମୁଖରେ ଏକାଠି ହୋଇଥିଲେ।
ରାତି ପ୍ରାୟ ୧୨ ଟା ବେଳେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଦି ଦେଇ ନିର୍ଦ୍ଧୁମ ପିଟିଥିଲେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଲେ କିନ୍ତୁ ପିତା ଦଇ ମାଝି ଖସିନପରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି ଗାଁ ଲୋକେ। ଏହି ଘଟଣା ସମୟର ପରିବାର ବର୍ଗ ସ୍ଥାନୀୟ ଟିକିରି ପୋଲିସକୁ ସୁଚନା ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲା। ଗାଁରେ ପୂର୍ବରୁ ଗୁଣିଗାରେଡି ସନ୍ଦେହରେ ଅନେକଥର ମାରପିଟ କରିଥିଲେ ଓ ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସର ନିଷ୍କ୍ରିୟତା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ଜଣକୁ ଅଟକ ରଖି ପଚରାଉଚରା କରୁଛି ବୋଲି ଏସଡିପିଓ ଦିବ୍ୟଜ୍ୟୋତି ଦାଶ କହିଛନ୍ତି। ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ତାଙ୍କ ଆବସ୍ତା ଗୁରୂତର ଥିବା ଜଣାପଡିଛି।