ନବରଙ୍ଗପୁର(କେନ୍ୟୁଜ୍): ୭୦ ଫୁଟ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମହତ୍ୟା ଉଦ୍ୟମ, ଦେବଦୂତ ସାଜି ଜୀବନ ରକ୍ଷା କଲେ ଯୁବକ। ଅଗ୍ନିଶମ ବିଭାଗ ଓ ପୋଲିସର ସହାୟତାରେ ଉଦ୍ଧାର ହେଲେ ନାବାଳିକା। ପ୍ରାୟ ଏକ ଘଣ୍ଟା କାଳ ଧରି ଚାଲିଲା ଏହି ହାଇ ଭଲ୍ଟେଜ ଡ୍ରାମା। ଘର ଲୋକଙ୍କ ସାମାନ୍ୟ କଥାକୁ ନେଇ ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ଗାଁ ପାଖ ଏକ ଆମ୍ବ ଗଛରେ ଚଢ଼ି ଯାଇଥିଲେ। ଗଛର ୭୦ ଫୁଟ ଉଚ୍ଚକୁ ଯାଇ ଆମ୍ବ ଗଛର ଡାଳରେ ଓଢଣୀ ବାନ୍ଧି ବେକରେ ଫାସ ଦେଇ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଦେବଦୂତ ସାଜି ଠିକଣା ସମୟରେ ସୁଭାଷ ଚନ୍ଦ୍ର କୁମ୍ଭାର ନାମକ ଯୁବକ ନାବାଳିକାଙ୍କ ଜୀବନ ରକ୍ଷା କରିଛନ୍ତି।
ଘଟଣା ଅନୁସାରେ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ଝିଅ କୌଣସି ଏକ କାରଣ ବଶତଃ ଘରେ ଝଗଡା ଲାଗି ଆତ୍ମହତ୍ୟା କରିବା ପାଇଁ ଗାଁ ପାଖ ଏକ ଆମ୍ବ ଗଛରେ ଚଢି ଯାଇଥିଲା। ଗଛରେ ପ୍ରାୟ ୭0 ଫୁଟ ଚଢ଼ିବା ପରେ ନାବାଳିକା ଜଣକ ତା ଓଢଣୀକୁ ଗଛର ଡାଳରେ ବାନ୍ଧି ବେକରେ ଫାସ ଲଗାଇ ଆତ୍ମହତ୍ୟା କରିବା ସମୟରେ ସୁଭାଷ ଚନ୍ଦ୍ର କୁମ୍ଭାର ନାମକ ଯୁବକ ନାବାଳିକାର ଗତିବିଧି ଉପରେ ସନ୍ଦେହ କରି ନାବାଳିକା ଟିର ପଛରେ ଛପି ଛପି ଯାଇ ସେ ମଧ୍ୟ ଗଛରେ ଚଢି ଯାଇଥିଲା। ଯଦ୍ୱାରା ନାବାଳିକାଟି ଆତ୍ମହତ୍ୟା କରିବା ପାଇଁ ବେକରେ ଫାସ ଦେଇ ଡେଇଁ ପଡିବା ସମୟରେ ସୁଭାଷ ନାବାଳିକା ଟିକୁ ଧରି ପକାଇଥିଲା ଏବଂ ଦାନ୍ତର ଓଢଣୀ ଟିକୁ କାଟିଦେଇଥିଲେ।
ନାବାଳିକାର ହାତ ଧରି ପ୍ରାୟ ଏକ ଘଣ୍ଟା କାଳ ଆମ୍ବ ଗଛର ୭୦ ଫୁଟ ଉଚ୍ଚରେ ଝୁଲିକି ରହିବା ପରେ ଗଛ ତଳ ଦେଇ ଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡାକ ପକାଇ ଥିଲା। ସୁଭାଷର ଡାକ ଶୁଣି ଲୋକେ ଡାବୁଗାଁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଫୋନ କରିଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି, ଗଛରେ କିଛି ଦୂର ପର୍ଯ୍ୟନ୍ତ ସିଡ଼ି ଦେଇ ତାପରେ ରସି ମାଧ୍ୟମରେ ନାବାଳିକାଟିକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ନାବଳିକାଟିକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।। ଏହି ଘଟଣା ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।ନାବାଳିକାର ଜୀବନ ବଞ୍ଚାଇଥିବା ସୁଭାଷଙ୍କୁ ପ୍ରଶଂସାର ସୁଅ ଛୁଟିଛି।