ଗ୍ରାହକଙ୍କୁ କାଙ୍ଗାଳ କରି ଦେବନି ତ 5G ସେବା! ସଚେତନ କଲେ ବିଶେଷଜ୍ଞ; ହୋଇପାରେ ଆପଣଙ୍କ ଆକାଉଣ୍ଟ ଖାଲି

କୁହାଯାଉଛି ଯେ 4G ତୁଳନାରେ 5Gରେ ୧୦ ଗୁଣା ଅଧିକ ସ୍ପିଡ୍‌ ମିଳିବ। ଯଦିଓ 5G ଲଞ୍ଚ ପରେ ଲୋକମାନେ ଏଥିରୁ ଅନେକ ଲାଭ ପାଇ ପାରିବେ, କିନ୍ତୁ ଏହା ସହିତ ଆମକୁ କିଛି କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ। 5G ନାମରେ ଠକମାନେ ଚୁଟ୍‌କିରେ ଆପଣଙ୍କ ଆକାଉଣ୍ଟ ଖାଲି କରିଦେଇ ପାରନ୍ତି। ଦି ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଶେଷଜ୍ଞମାନଙ୍କ କହିବା ହେଲା ଯେ 5G ଲଞ୍ଚ ପରେ SIM Swap Fraud ବହୁତ ଦ୍ରୁତ ଗତିରେ ବଢ଼ି ଯାଇପାରେ। ବିଶେଷଜ୍ଞମାନେ କହିଛନ୍ତି, ଟେଲିକମ୍‌ କମ୍ପାନୀମାନଙ୍କୁ SIM Swap Fraudରୁ ବର୍ତ୍ତିବା ପାଇଁ ନିଜ ଗ୍ରାହକମାନଙ୍କୁ ସଚେତନ କରାଇବାକୁ ପଡିବ। କାହିଁକି ନା, 5G ସେବା ବ୍ୟବହାର କରିବାକୁ ହେଲେ ଗ୍ରାହକମାନଙ୍କୁ ସିମ୍ କାର୍ଡ ଅପଗ୍ରେଡ୍ କରିବାର ଆବଶ୍ୟକତା ପଡିବ, ଯାହାର ଫାଇଦା ଉଠାଇ ପାରନ୍ତି ହ୍ୟାକର୍ସ। ଆଉ ଏହାଦ୍ୱାରା ଠକେଇର ସମ୍ଭାବନା ବହୁତ ମାତ୍ରାରେ ବଢ଼ିଯିବ।

ବାସ୍ତବରେ, SIM Swap ସେତେବେଳେ ହୋଇଥାଏ, ଯେତେବେଳେ ଠକମାନେ ଫର୍ଜି କଲ, ଫିସିଂ ଆଦି ମାଧ୍ୟମରେ କୌଣସି ଗ୍ରାହକଙ୍କ ବିଷୟରେ ସୂଚନା ପାଇଯାଇ ଥାଆନ୍ତି। ଏଥିସହିତ ସମାନ ନମ୍ବରରେ ଏକ ନୂଆ ସିମ୍‌ କାର୍ଡ ଜାରି କରାଇବା ପାଇଁ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡରଙ୍କ ସହ ଯୋଗାଯୋଗ କରିବା ବେଳେ ଚେରା ତଥ୍ୟଗୁଡ଼ିକର ଉପଯୋଗ କରି ଥାଆନ୍ତି। ସିମ୍ କାର୍ଡ ଜାରି ହେବା ପରେ ଗ୍ରାହକଙ୍କ ପାଖରେ ଥିବା ପୁରୁଣା ସିମ୍ ଡିଆକ୍ଟିଭେଟ୍‌ ହୋଇଯାଏ ଏବଂ ନମ୍ବରରେ ଥିବା ସମସ୍ତ ଯୋଗାଯୋଗ ଠକମାନଙ୍କୁ ପ୍ରାପ୍ତ ହେବାରେ ଲାଗିଥାଏ। ଏହା ସ୍କାମରମାନଙ୍କୁ ବ୍ୟାଙ୍କିଙ୍ଗ୍ ଓ୍ଵାନ୍‌-ଟାଇମ୍‌ ପାସୱାର୍ଡ (OTP) ଭଳି ତଥ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଅନୁମତି ଦେଇଥାଏ, ଯଦ୍ଦ୍ଵାରା କି, ସେମାନେ ସହଜରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରି ପାରନ୍ତି। ଏହା ଚୋରି ହୋଇଥିବା ଫୋନ୍ କ୍ଷେତ୍ରରେ ମଧ୍ୟ ହୋଇ ପାରିବ। ଏତିକି ନୁହେଁ, ଯେତେବେଳେ ଗ୍ରାହକମାନେ କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତି, ସେହି ସମୟରେ ମଧ୍ୟ ଏହା ଠକମାନଙ୍କୁ ସିମ୍‌କୁ ରିମୋଟଲି ଡୁପ୍ଲିକେଟ୍‌ କରିବା ଏବଂ OTP ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଇଥାଏ।

ସଚେତନତା ଅଭିଯାନ ଚଲାଇ ପାରନ୍ତି କମ୍ପାନୀ

ଟେଲିକମ୍ ବିଭାଗ (DoT) ୨୦୧୬ ଏବଂ ୨୦୧୮ରେ ଅପଗ୍ରେଡେସନ ମାମଲାରେ ନୂଆ ସିମ୍ କାର୍ଡ ଜାରି ନିମନ୍ତେ ଗ୍ରାହକଙ୍କ ସ୍ପଷ୍ଟ ସହମତି ନେବାକୁ ବିସ୍ତୃତ ପ୍ରକ୍ରିୟା ଓ ପଦକ୍ଷେପ ଜାରି କରିଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ବିଭାଗ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ତଥା ସୁରକ୍ଷିତ କରିବା ପାଇଁ ଅଧିକ ନିର୍ଦ୍ଦେଶାବଳୀ ଉପରେ କାର୍ଯ୍ୟ କରୁଛି। ବର୍ତ୍ତମାନ, ସମସ୍ତ ଟେଲିକମ୍‌ କମ୍ପାନୀ ମଝିରେ ମଝିରେ ଗ୍ରାହକମାନଙ୍କୁ ସଚେତନତା ବାର୍ତ୍ତା ପଠାଉଛନ୍ତି। କୌଣସି ଅଜଣା ନମ୍ବର କିମ୍ବା କମ୍ପାନୀରୁ ବ୍ୟକ୍ତିଗତ ଓ ଆର୍ଥିକ ବିବରଣୀ ସମ୍ପର୍କିତ ଅନୁରୋଧ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। ସେପଟେ ଦେଶରେ ଆରମ୍ଭ ହୋଇଛି 5G ଯୁଗ। ଦିଲ୍ଲୀ ପ୍ରଗତି ମଇଦାନରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.