Airtel ଗ୍ରାହକଙ୍କ ବଢ଼ିଲା ଚିନ୍ତା: ମୋବାଇଲ୍‌ ରିଚାର୍ଜ ହେବ ଆହୁରି ମହଙ୍ଗା

ପୁଣିଥରେ ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଇବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ସିଇଓ ଗୋପାଳ ଭିଟ୍ଟଲ । ସେ କହିଛନ୍ତି ଯେ, ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଟାରିଫ୍ ଦାମ୍ ବଢ଼ାଇବାକୁ ହେବ । ତେଣୁ ଏହି ପରିପ୍ରେକ୍ଷୀରେ ପୁଣିଥରେ ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ାଯାଇପାରେ । ୨୦୨୨ରେ ପୁଣି ଥରେ ଦାମ୍ ବଢ଼ିବ। ଆସନ୍ତା ୩-୪ ମାସ ଭିତରେ ଦରବୃଦ୍ଧି ହେବ ବୋଲି ସେ ଆକଳନ କରିଛନ୍ତି। ଗ୍ରାହକ ସଂଖ୍ୟାରେ ବୃଦ୍ଧି ଓ ବଜାରରେ ରହିଥିବା ପ୍ରତିଦ୍ବନ୍ଦ୍ବିତାକୁ ବିଚାରକୁ ନେଇ କଂପାନିଗୁଡ଼ିକ ରିଚାର୍ଜ ମୂଲ୍ୟ ବଢ଼ାଇବେ। ଆଗୁଆ ଟାରିଫ୍ ବଢ଼ାଇବା ଲାଗି ଆମେ କୁଣ୍ଠା ପ୍ରକାଶ କରିବୁ ନାହିଁ ବୋଲି ଭିଟ୍ଟଲ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ପ୍ରଥମ କମ୍ପାନୀ ଭାରତୀ ଏୟାରଟେଲ୍ ଏହାର ରିଚାର୍ଜ ମୂଲ୍ୟ ବଢ଼ାଇଥିଲା । ଏହାପରେ ପରେ ଭୋଡାଫୋନ୍-ଆଇଡିଆ ଓ ରିଲଏନ୍ସ ଜିଓ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରିଥିଲେ । ଫଳରେ ରିଚାର୍ଜ ମୂଲ୍ୟରେ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ତିନି ମାସିଆ ରିଚାର୍ଜ ପ୍ଲାନ୍ ପାଇଁ ଯେଉଁଠାରେ ଗ୍ରାହକ ମାନେ ପୂର୍ବରୁ ୬୦୦ ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ସେମାନେ ସାଢ଼େ ୭୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଖାଲି ଭାରତୀ ଏୟାରଟେଲ୍ ନୁହେଁ ବରଂ ଭୋଡାଫୋନ୍-ଆଇଡିଆ ସିଇଓ ମଧ୍ୟ ମୋବାଇଲ୍ ରିଚାର୍ଜ ପ୍ଲାନ୍ ବଢ଼ାଇବାର ସମ୍ଭାବନା ଥିବା କହିଥିଲେ ।

ଏୟାରଟେଲ୍‌ର ସିଇଓ ଶ୍ରୀ ଭିଟ୍ଟଲ କହିଛନ୍ତି ଯେ ରିଚାର୍ଜ ମହଙ୍ଗା ହେବା ପରେ ଏକାଧିକ ସିମ୍‌ ରଖିଥିବା ଗ୍ରାହକମାନେ ନିଜ କ୍ଷମତା ଅନୁସାରେ ଯେତିକି ରିଚାର୍ଜ କରିପାରିବେ ସେତିକି ସିମ୍ ରଖୁଛନ୍ତି ଓ ଅନ୍ୟଗୁଡ଼ିକୁ ବାହାର କରିଦେଉଛନ୍ତି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ। ଏପ୍ରିଲ୍‌ ଠାରୁ ପୁଣି ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଦେଶରେ ୫ଜି ମୋବାଇଲ୍‌ ସେବା ଆରମ୍ଭ କରିବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ଚେଷ୍ଟା ଜାରି ରଖିଛନ୍ତି। ୪ଜି ସମୟରେ ଜିଓ ଯେଉଁଭଳି ବାଜିମାତ କରି ଟେଲିକମ୍ ଶିଳ୍ପକୁ ବିଗାଡି ଦେଇଥିଲା ସେଭଳି ସ୍ଥିତି ଆଉ ଥରେ ସୃଷ୍ଟି ହେବ ବୋଲି କମ୍ପାନୀଗୁଡ଼ିକ ଚାହୁନାହାନ୍ତି। ତେଣୁ ଆସନ୍ତା ମେ’-ଜୁନ୍ ମଧ୍ୟରେ ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି କମ୍ପାନୀଗୁଡ଼ିକ ପାଣ୍ଠି ଯୋଗାଡ଼ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.