କରୋନା ଭାଇରସ୍‌ ଗୋଷ୍ଠୀ ସଂକ୍ରମଣ ନେଇ ଆଇଏମ୍‌ଏ ର ଚେତାବନୀ, ସ୍ଥିତି ଆଗକୁ ହୋଇପାରେ ଆହୁରି ସାଂଘାତିକ

ନୂଆଦିଲ୍ଲୀ :  ଦେଶରେ କରୋନା ଭାଇରସ୍‌ ସ୍ଥିତି ସାଂଘାତିକ । ରବିବାର(୧୯ ଜୁଲାଇ) ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୮୬୪ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୨୬ ହଜାର ୮୬୪ରେ ପହଞ୍ଚିଛି । ଦେଶରେ କରୋନା ମହାମାରୀ ଯେଭଳି ଦ୍ରୁତ ଗତିରେ ବଢ଼ୁଛି ଏହା ଗୋଷ୍ଠୀ ସଂକ୍ରମଣ  ହୋଇସାରିଛି ବୋଲି ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌) ଆଶଙ୍କା କରିଛି । ତେଣୁ ଆଗକୁ ଦେଶର ସ୍ଥିତି ସାଂଘାତିକ ଆଡକୁ ଯାଉଛି ବୋଲି ଆଇଏମ୍‌ଏ ପ୍ରକାଶ କରିଛି ।

ima-1

ଆଇଏମ୍‌ଏ ହସ୍‌ପିଟାଲ୍‌ ବୋର୍ଡ ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ୍‌ ଡାକ୍ତର ବିକେ ମୋଙ୍ଗା କହିଛନ୍ତି, ଯେଉଁ ହାରରେ କରୋନା ସଂକ୍ରମଣ ବଢ଼ୁଛି ତାହା ଏକ ଘାତକ ସଂକେତ । ଏଥିପାଇଁ ବହୁତ କାରକ ଦାୟୀ । ତେବେ ଭାଇରସ୍‌ ଯେଉଁଭଳି ଗ୍ରାମୀଣ କ୍ଷେତ୍ରରେ ବଢ଼ୁଛି ଏହା ଦେଶ ପାଇଁ ଏକ ଖରାପ ସଂକେତ । ଓ୍ଵାର୍ଲ୍ଡମିଟର ରିପୋର୍ଟ ଅନୁଯାୟୀ ୧୯ ଜୁଲାଇ ସକାଳ ପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୭୭୮୬୪ରେ ପହଞ୍ଚିଛି ।

ଏଥିମଧ୍ୟରୁ ୨୬,୮୨୮ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଶୁଭ ସମାଚାର ଯେ ୬,୭୭,୬୩୦ ଜଣ ବ୍ୟକ୍ତି ଚିକିତ୍ସିତ ହୋଇ କରୋନା ମୁକ୍ତ ହୋଇଛନ୍ତି । ଏକ୍ଟିଭ୍‌ ମାମଲା ରହିଛି ମାତ୍ର ୩,୩୭,୪୦୬ରେ । ତେବେ ଚିନ୍ତାଜନକ କଥା ଯେ ଗତ ୨୪ ଘଣ୍ଟାରେ ୩୮,୯୦୦ ନୂଆ କରୋନା ମାମଲା ଆସିଥିବା ବେଳେ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

ima-2

ଭାରତରେ ବଢ଼ୁଥିବା ମାମଲାକୁ ଦେଖି ମୋଙ୍ଗା କୁହନ୍ତି ଯେ ସଂକ୍ରମଣ ମାମଲା ଉଭୟ ଗାଁ ଓ ସହରରେ ଦେଖିବାକୁ ମିଳୁଛି । ଯେଉଁଠି ସ୍ଥତି ନିୟନ୍ତ୍ରଣ କରିବା ବଡ଼ କଠିନ । ଦିଲ୍ଲୀରେ କରୋନାକୁ ଏବେ ନିୟନ୍ତ୍ରଣ କରାଯାଇ ପାରିଛି । ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ଓ ମଧ୍ୟପ୍ରଦେଶ କଥା କହିବା କଠିନ ହେବ । ଏହି ସବୁ ରାଜ୍ୟରେ କରୋନା ଭାଇରସ୍‌ ହଟ୍‌ସ୍ପଟ ଷ୍ଟେଜ୍‌ରେ ପହଞ୍ଚିପାରେ ।

ତେଣୁ ରାଜ୍ୟ ସରକାର ସ୍ଥିତିକୁ କାବୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ନେବା ଦରକାର ବୋଲି ଆଇଏମ୍‌ଏ ଚେୟାରମ୍ୟାନ୍‌ ମୋଙ୍ଗୋ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.