ନିଶା କାରବାର ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି ଏନ୍ସିବି। ଏଣୁ ଆଜି ଶାହାରୁଖ ଖାନ୍ଙ୍କ ବଙ୍ଗଳାକୁ ଯାଇ ଛାନ୍ଭିନ୍ କରିଛି। ଆର୍ଯ୍ୟନ୍ ଖାନ୍ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ମନ୍ନତ ଯାଇ ଯାଞ୍ଚ ଆରମ୍ଭ କରିଛି ଏନ୍ସିବି। ଗୁରୁବାର ଦିନ ଏନ୍ସିବି ଶାହାରୁଖ ଖାନ୍ଙ୍କ ଘରକୁ ଯାଇଥିଲା। କିନ୍ତୁ ଅଧିକାରୀମାନେ ସେଠାରେ ଛାନ୍ଭିନ୍ ନ କରି କେବଳ ନୋଟିସ୍ ଦେଇ ଫେରି ଆସିଥିବା ଜଣାଯାଇଛି।
ଅନନ୍ୟା ପାଣ୍ଡେଙ୍କୁ ଏନ୍ସିବିର ସମନ:
ତେବେ କେବଳ ଶାହାରୁଖ ଖାନ୍ ନୁହେଁ, ଏନ୍ସିବି ଆଜି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ଘରକୁ ମଧ୍ୟ ଯାଇଛି। ସେଠାରେ ସେ ଅନନ୍ୟାଙ୍କୁ ସମନ ଜାରି କରିଛି। ଅନନ୍ୟାଙ୍କୁ ବୁଧବାର ଅପରାହ୍ନ ୨ଟା ବେଳେ ପଚରାଉଚରା ପାଇଁ ଡକାଯାଇଥିଲା। କିନ୍ତୁ ଏବେ ଯାଏଁ ସେ ଘରୁ ବାହାରିନାହାନ୍ତି। ଏନ୍ସିବିକୁ ଆର୍ଯ୍ୟନ୍ ଓ ଅନନ୍ୟାଙ୍କର ଏକ ଚାଟ୍ ମିଳିଛି। ଏଥିରେ ଉଭୟେ ନିଶା ଜାତୀୟ ଦ୍ରବ୍ୟ ବିଷୟରେ କଥାବାର୍ତ୍ତା ହୋଇଥିଲେ।
ଶାହାରୁଖଙ୍କୁ ଦିଆଗଲା ନୋଟିସ୍:
କୁହାଯାଉଛି ଯେ ଶାହାରୁଖ ଖାନ୍ଙ୍କ ଘରେ ଏନ୍ସିବି ନୋଟିସ୍ ଦେବାକୁ ଯାଇଥିଲା। ଏହି ନୋଟିସ୍ରେ ଲେଖାଥିଲା ଯେ ଯଦି ଆର୍ଯ୍ୟନ୍ ଖାନ୍ଙ୍କ ପାଖରେ ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ରହିଛି ତେବେ ପରିବାର ଲୋକ ତାହାକୁ ତୁରନ୍ତ ଏନ୍ସିବି ନିକଟରେ ଜମା କରନ୍ତୁ। ଶାହାରୁଖଙ୍କ ଘରକୁ ଏନ୍ସିବି ଅଧିକାରୀ ବିବି ସିଂହ ଯାଇଥିଲେ। ସେ କହିଛନ୍ତି, ଯାଞ୍ଚ ସହ ଜଡ଼ିତ କେତେକ ପେପର ଓ୍ଵାର୍କ ରହିଯାଇଥିଲା। ତେଣୁ ସେ ଏଠାକୁ ଆସିଥିଲେ। କିଛି ସମୟ ଭିତରେ ନିଜ କାମ ତୁଟାଇ ସେମାନେ ସେଠାରୁ ଫେରିଆସିଥିଲେ।
ସୂଚନାଯୋଗ୍ୟ ଯେ ଆଜି ଶାହାରୁଖ ଖାନ୍ ପ୍ରଥମ ଥର ପାଇଁ ପୁଅକୁ ଭେଟିବାକୁ ଆର୍ଥର ରୋଡ୍ ଜେଲ ଯାଇଥିଲେ। ଉଭୟେ ସେଠାରେ କଥାବାର୍ତ୍ତା ହୋଇଥିଲେ। ଶାହାରୁଖଙ୍କୁ ଦେଖି ଆର୍ଯ୍ୟନ୍ ବହୁତ କାନ୍ଦିଥିଲେ। ସେ ବାପାଙ୍କୁ କହିଥିଲେ ଯେ ତାଙ୍କୁ ଜେଲର ଖାଇବା ଭଲ ଲାଗୁନାହିଁ। ବାପ-ପୁଅ ଏକ କାଚ କାନ୍ଥର ଏପଟେ ସେପଟେ ରହି ଇଣ୍ଟରକମ୍ରେ କଥା ହୋଇଥିଲେ। ସେମାନେ ପାଖାପାଖି ୧୬ରୁ ୧୮ ମିନିଟ୍ କଥାବାର୍ତ୍ତା ହୋଇଥିବା ଜଣାଯାଇଛି।