ରାତିରେ ଶୋଇବା ପୂର୍ବରୁ ଏହିସବୁ ଖାଦ୍ୟକୁ ଖାଆନ୍ତୁ ନାହିଁ, ନଚେତ୍‌ ରାତିସାରା ରହିବେ ଅନିଦ୍ରା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଶୋଇବାକୁ ସମୟ ପାଉନାହାନ୍ତି। ଦିନଯାକର କାମ ସାରି ଖଟକୁ ଯାଉ ଯାଉ ରାତି ୧୨ଟା ବାଜୁଛି। ପ୍ରାୟ ୯୦ ପ୍ରତିଶତ ଲୋକ ରାତିରେ ୧୨ଟା ପରେ ଶୋଇବାକୁ ଯାଇଥାନ୍ତି। ମାତ୍ର ଡାକ୍ତରଙ୍କ କହିବାନୁସାରେ ରାତିରେ ଡେରିରେ ଶୋଉଥିବା ଲୋକଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥାଏ। ଏମାନେ ଶୀଘ୍ର ରୋଗାଗ୍ରସ୍ତ ହୋଇଥାନ୍ତି। କେବଳ ଏତିକି ନୁହେଁ ଡେରିରେ ଶୋଉଥିବା ଲୋକଙ୍କ ଠାରେ ରକ୍ତଚାପ, ମୋଟାପଣ, ଆଳସ୍ୟ, ବଦହଜମି ଆଦି ସମସ୍ୟା ମଧ୍ୟ ଦେଖାଯାଏ। ଏଣୁ ଲୋକଙ୍କୁ ଶୀଘ୍ର ଶୋଇ ଶୀଘ୍ର ଉଠିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିଛି ଲୋକଙ୍କୁ ଅନେକ କାରଣ ବଶତଃ ଶୀଘ୍ର ନିଦ ମଧ୍ୟ ଆସେ ନାହିଁ।

ରାତିରେ ଯଦି ଆପଣଙ୍କୁ ଭଲ ନିଦ ହେଉନି ତେବେ ସର୍ବପ୍ରଥମେ ଆପଣ ଶୋଇବା ପୂର୍ବରୁ ଗ୍ରହଣ କରୁଥିବା ଖାଦ୍ୟ ବଦଳାଇବା ଆବଶ୍ୟକ । କାରଣ ଗ୍ୟାସ୍ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟ, ଅମ୍ଳୀୟ ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ମିଠା ଖାଦ୍ୟ ନିଦ୍ରାକୁ ପ୍ରଭାବିତ କରିଥାଏ ।

ଶାନ୍ତି ନିଦ୍ରା ପାଇଁ ରାତ୍ରି ଭୋଜନ ଉପରେ ଧ୍ୟାନ ଦେବା ଜରୁରୀ । ଶୋଇବା ପୂର୍ବରୁ ଯଦି ଆପଣ ଭୁଲ ଖାଦ୍ୟ ଖାଆନ୍ତି ଏହା ଆପଣଙ୍କ ଆଖିରୁ ନିଦ ହଜାଇ ନେବା ସ୍ୱାଭାବିକ ।ଏବେ ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ କେଉଁ ଜିନିଷଠୁ ଦୂରେଇ ରହିବା ଜରୁରୀ ।

ଶୋଇବା ପୂର୍ବରୁ ଚା କିମ୍ବା କଫି ପିଅନ୍ତୁ ନାହିଁ :
ଚା, କଫି ଓ ସୋଡାରେ କ୍ୟାଫିନଯୁକ୍ତ ଖାଦ୍ୟ ପଦାର୍ଥ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶୋଇବା ପୂର୍ବରୁ ପିଇବାକୁ ବାରଣ କରିଥାନ୍ତି । ଏହାସହିତ ଆଇସ୍କ୍ରିମ୍ ଏବଂ ମିଠା ଖାଦ୍ୟ ମଧ୍ୟ ଶରୀରରେ ଉତ୍ତେଜକ ଭାବରେ କାର୍ଯ୍ୟ କରେ । ଏହା ଶୋଇବାରେ ସମସ୍ୟା ସୃଷ୍ଟି କରିଥାଏ ।

ଅମ୍ଳୀୟ ଖାଦ୍ୟପଦାର୍ଥରୁ ଦୂରେଇ ରୁହନ୍ତୁ :
ଅତ୍ୟଧିକ ଅମ୍ଳଯୁକ୍ତ ଖାଦ୍ୟ ଯେପରିକି କଞ୍ଚା ପିଆଜ, ଟମାଟୋ ସସ୍ ଅଧିକ ଜ୍ୱଳନ ସୃଷ୍ଟି କରିଥାଏ । ଏହି କାରଣରୁ, ଆପଣଙ୍କୁ ଶୋଇବା ପୂର୍ବରୁ ଅମ୍ଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ ।

ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ :
ସ୍ୱାଭାବିକ ଭାବରେ, ଶାନ୍ତି ନିଦ ପାଇଁ ଆପଣଙ୍କ ଶରୀରର ତାପମାତ୍ରା କମ୍ ରହିବା ଆବଶ୍ୟକ । କିନ୍ତୁ ମସଲାଯୁକ୍ତ ଖାଦ୍ୟ ଆପଣଙ୍କ ଶରୀରର ତାପମାତ୍ରାକୁ ବଢ଼ାଇଦେଇଥାଏ । ଦିନ ସମୟରେ ଗରମ ଅନୁଭବ କରିବା ଆପଣଙ୍କୁ କାର୍ଯ୍ୟ କରିବାକୁ ଅଧିକ ସକ୍ରିୟ ରଖିଥାଏ । କିନ୍ତୁ ରାତ୍ରୀ ଭୋଜନରେ ମସଲାଯୁକ୍ତ ଖାଦ୍ୟ ଶୋଇବାରେ ନିଶ୍ଚିତ ସମସ୍ୟା ସୃଷ୍ଟି କରିଥାଏ ।

ଗ୍ୟାସ୍ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ :
ଅନେକ ପ୍ରକାର ମସଲା ଯୁକ୍ତ ତରକାରୀ ଶରୀରରେ ଗ୍ୟାସ ସୃଷ୍ଟି କରିଥାଏ । ବିଷେଷଭାବେ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଖାଇ ଶୋଇଲେ ଗ୍ୟାସ ସମସ୍ୟା ଦେଖାଦେଇଥାଏ । ରାତିରେ ଅଧିକ ପରିମାଣରେ ଫଳ, ବିନ୍ସ, ବ୍ରୋକୋଲି, ଫୁଲକୋବି ଏବଂ ସ୍ପ୍ରାଉଟ୍ସ ଶୋଇବାରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ ଫାଇବରଯୁକ୍ତ ଫଳ ଏବଂ ପନିପରିବା ଆପଣଙ୍କ ଶରୀର ପାଇଁ ବହୁତ ଭଲ, କିନ୍ତୁ ଏହା ରାତ୍ର ଭୋଜନ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଶୋଇବା ପୂର୍ବରୁ ଏସବୁ ଖାଦ୍ୟକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

ମିଠା ଖାଦ୍ୟ ପରିହାର କରନ୍ତୁ:
ରାତ୍ର ଭୋଜନରେ ସୁଗାରଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ମିଠା ଖାଦ୍ୟ ଯୋଗୁ ବ୍ଲଡ ସୁଗାର ବଢ଼ିଯାଇଥାଏ । ଏଥିପାଇଁ ରାତ୍ରି ଭୋଜନରେ ମିଠା ଖାଦ୍ୟ ପରିହାର କରିବା ଆବଶ୍ୟକ ।

ଶୋଇବା ପୂର୍ବରୁ ଅଧିକ ଜଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ:
ରାତିରେ ଶୋଇବା ପୂର୍ବରୁ ଅଧିକ ଜଳଯୁକ୍ତ ଖାଦ୍ୟ ଖାଦ୍ୟ ହଜମ ପ୍ରକିୟାରେ ସମସ୍ୟା ସୃଷ୍ଟି କରିଥାଏ । ଆୟୁର୍ବେଦ ଅନୁସାରେ ଶୋଇବାର ଅତିକମରେ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ । ଏବଂ ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଆବଶ୍ୟକ । ଖାଦ୍ୟ ଖାଇବା ପରେ ସଙ୍ଗେସଙ୍ଗେ ପାଣି ପିଇବା ଦ୍ୱାରା ଏହା ନିଦ୍ରାକୁ ପ୍ରଭାବିତ କରିଥାଏ ।

ମଦ୍ୟପାନରୁ ଦୂରେଇ ରୁହନ୍ତୁ:
ଶୋଇବା ପୂର୍ବରୁ ମଦ୍ୟପାନ ଆପଣଙ୍କ ନିଦ ହଜାଇ ଦେଇପାରେ । କାରଣ ମଦ୍ୟପାନ ଶରୀରରେ ଉତ୍ତେଜନା ବୃଦ୍ଦି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.