ହରିଦ୍ୱାର ଜେଲ୍‌ରେ ୪୩ କଏଦୀ କରୋନା ପଜିଟିଭ୍‌, ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର; ଅଲଗା ଅଲଗା ବାରାକ୍‌ରେ ଆଇସୋଲେଟ୍‌

ଦେଶରେ କରୋନା ମହାମାରୀ ପୁଣିଥରେ ନିଜ ପ୍ରକୋପ ଦେଖାଇଛି। ଉତ୍ତରାଖଣ୍ଡରେ କରୋନା ମାମଲା ଲଗାତାର ବଢ଼ି ଚାଲିଛି। ଏବେ ହରିଦ୍ୱାରର ଜିଲ୍ଲା କାରାଗାରାରେ ୪୩ କଏଦୀ କରୋନା ପଜିଟିଭ ବାହାରିଛନ୍ତି, ଯାହା ପରେ ଜେଲ୍‌ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କଏଦୀଙ୍କୁ ଅଲଗା ଅଲଗା ବାରାକ୍‌ରେ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସେମାନଙ୍କ ଉପରେ କଡ଼ା ନଜର ରଖିଛି।

ସିଏମ୍‌ଓ ଖଗେନ୍ଦ୍ର ସିଂଙ୍କ କହିବା ହେଲା, ଜିଲ୍ଲା କାରାଗାରରେ ୪୨୫ କଏଦୀଙ୍କ ନମୁନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪୩ କଏଦୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ କାରାଗାରକୁ ସାନିଟାଇଜ୍‌ କରାଯାଇ ପୀଡ଼ିତ କଏଦୀମାନଙ୍କୁ ଆଇସୋଲେଟ୍‌ କରାଯାଇଛି।

ସିଏମ୍‌ଓ କହିଛନ୍ତି, ଏଠାରେ ଅନେକ ଦିନ ହେବ କଏଦୀମାନଙ୍କର ନମୁନା ନିଆଯାଇ ନ ଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ନମୁନା ନେବାର କୌଣସି ଗାଇଡ୍‌ଲାଇନ ଜାରି କରାଯାଇ ନାହିଁ। ଆମେ ସୁରକ୍ଷା ଦୃଷ୍ଟିରୁ ନମୁନା ସଂଗ୍ରହ କରିଥିଲୁ। ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଦୈନିକ ସେମାନଙ୍କ ଚେକ୍‌ଅପ କରିବ।

ହରିଦ୍ୱାରା ଜେଲ୍‌ର ବରିଷ୍ଠ ଅଧୀକ୍ଷକ ମନୋଜ କୁମାର ଆର୍ଯ୍ୟ କହିଛନ୍ତି ଯେ ୨୮ ଜୁଲାଇରେ ହେପାଟାଇଟିସ୍‌ ଡେ’ ଅବସରରେ ଏକ ଶିବିର ଖୋଲା ଯାଇଥିଲା। ଯେଉଁଥିରେ କିଛି କଏଦୀମାନଙ୍କର ହେପାଟାଇଟିସ୍‌ ସହିତ ଆର୍‌ଟିପିସିଆର୍‌ ଟେଷ୍ଟ୍‍ ମଧ୍ୟ ହୋଇଥିଲା। ଆର୍‌ଟିପିସିଆର୍‌ ରିପୋର୍ଟ ଆସିବା ପରେ କିଛି ଜଣ ପଜିଟିଭ୍‌ ବାହାରିଥିଲେ। କିନ୍ତୁ ସେମାନଙ୍କଠାରେ କୋଭିଡ୍‌ର କୌଣସି ଲକ୍ଷଣ ନ ଥିଲା। ଏବେ ମଧ୍ୟ ନାହିଁ। ସମସ୍ତଙ୍କ ଆଇସୋଲେସନ ପିରିୟଡ୍‌ ସରି ଯାଇଛି, ତଥାପି ଆମେ ସେମାନଙ୍କୁ ଆଇସୋଲେଟ୍‌ କରି ରଖିଛୁ। ଗାଇଡ୍‌ଲାଇନ ଅନୁସାରେ ସେମାନଙ୍କ ଉପଚାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.