ନାଗାଲାଣ୍ଡରେ ଶୋକ! ଗୁଇନ୍ଦା ସୂଚନା ପାଇ ଆଖିବୁଜା ଗୁଳିକଲା ସୁରକ୍ଷା ବାହିନୀ, ଅକାଳରେ ଟଳି ପଡ଼ିଲେ ୧୩ରୁ ଅଧିକ ସାଧାରଣ ନାଗରିକ; ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା

ନାଗାଲାଣ୍ଡର କୋହିମାଠାରେ ସୁରକ୍ଷା ବାହିନୀର ଆଖିବୁଜା ଗୁଳିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି। ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସେପଟେ ସେନା ତରଫରୁ ଏହି ମାମଲାରେ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ଏସ୍‌ଆଇଟି ଦ୍ୱାରା ମାମଲାର ତଦନ୍ତ କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘଟଣାକୁ ନେଇ ସିଏମ୍‌ଙ୍କଠାରୁ ଆରମ୍ଭ କରି ଭାରତର ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି। ସେନା ତରଫରୁ ଜାରି ବୟାନରେ କୁହାଯାଇଛି କି, ସିକ୍ୟୁରିଟି ଫୋର୍ସକୁ ଆତଙ୍କବାଦୀ ସମ୍ଭାବିତ ଗତିବିଧି ସମ୍ପର୍କରେ ବିଶ୍ୱସନୀୟ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସ୍ଥାନରେ ଉଗ୍ରବାଦୀ ସଙ୍ଗଠନ NSCN (KYA)ର ଲୋକ ଅଛନ୍ତି। ସେମାନେ ଏଠାରେ କିଛି ବି ଘଟଣା ଘଟେଇ ପାରନ୍ତି। ଏହି ଗୁଇନ୍ଦା ସୂଚନା ଆଧାରରେ ନାଗାଲାଣ୍ଡର ତିରୁ, ମୋନ ଜିଲା ଅଞ୍ଚଳରେ ଅପରେସନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଉତ୍ତେଜନାମୂଳକ ସ୍ଥିତି

ବୟାନରେ କୁହାଯାଇଛି, ସେନାକୁ ଏହି ଘଟଣା ଏବଂ ଏହାର ପରିଣାମକୁ ନେଇ ଗଭୀର ଅନୁତାପ ରହିଛି। ଦୁର୍ଘଟଣାର କାରଣ ବିଷୟରେ କୋର୍ଟ ଅଫ୍‌ ଇନ୍‌କ୍ୱାୟରୀ କରାଯାଉଛି ଏବଂ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ସୁରକ୍ଷା ବାହିନୀକୁ ମଧ୍ୟ ଗୁରୁତର ଆଘାତ ଲାଗିଛି। ଜଣେ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ନାଗାଲାଣ୍ଡର ମୋନ ଜିଲାରେ ସୁରକ୍ଷା ବାହିନୀ ତରଫରୁ କରାଯାଇଥିବା ଫାୟାରିଂରେ ପାଖାପାଖି ୧୩ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଜିଲାର ଓଟିଙ୍ଗ୍‌ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ହୋଇଥିବା ଏହି ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କ୍ରୋଧିତ ଲୋକମାନେ ସୁରକ୍ଷା ବାହିନୀର ଗାଡ଼ିକୁ ମଧ୍ୟ ନିଅାଁ ଲଗାଇ ଜାଳି ଦେଇଛନ୍ତି। କୁହାଯାଉଛି କି, ମୃତକମାନେ ଶ୍ରମିକ ଥିଲେ ଏବଂ କାମ ପରେ ଏକ ପିକ୍‌ଅପ ଭ୍ୟାନରେ ନିଜ ଘରକୁ ଫେରୁଥିଲେ। ଯେତେବେଳେ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପହଞ୍ଚି ନ ଥିଲେ, ତ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଏହାପରେ ସେମାନଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା।

ଆଇପିଏସ୍‌ ଟ୍ଵିଟ୍‌ କରି ପୁଣି କରି ଦେଲେ ଡିଲିଟ୍‌

ଏହି ଘଟଣାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ବି ସୂଚନା ଦିଆଯାଇ ନ ଥିଲା। ଯଦିଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ପରେ ଘଟଣା ସାର୍ବଜନିକ ହୋଇ ପାରିଥିଲା। ସିଏମ୍‌ଙ୍କ ଟ୍ଵିଟ୍‌ ପୂର୍ବରୁ ଆଇପିଏସ୍‌ ଅଧିକାରୀ ରୂପିନ ଶର୍ମା ଟ୍ଵିଟରରେ ଘଟଣାର ଏକ ଭିଡିଓ ସେୟାର କରିଥିଲେ। ସେ ଲେଖିଥିଲେ କି, ଓଟିଙ୍ଗ୍‌ ଗାଁରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଯଦିଓ କିଛି ସମୟ ପରେ ସେ ଏହି ଭିଡିଓକୁ ଡିଲିଟ୍‌ କରି ଦେଇଥିଲେ।

ଗାଡ଼ି ନ ଅଟକିବାରୁ ସୁରକ୍ଷା ବାହିନୀ କରିଥିଲେ ଗୁଳି

ଇନପୁଟରେ ଯେଉଁ ରଙ୍ଗର ଗାଡ଼ି ବିଷୟରେ କୁହାଯାଇଥିଲା, ସମାନ ରଙ୍ଗର ଗାଡ଼ି ସେହି ବାଟ ଦେଇ ଯାଇଥିଲା। ସୁରକ୍ଷା ବାହିନୀର ଲୋକ ଗାଡ଼ିକୁ ଅଟକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡ଼ି ଅଟକି ନ ଥିଲା। ଏହାପରେ ସିକ୍ୟୁରିଟି ଫୋର୍ସ ଫାୟାରିଂ ଆରମ୍ଭ କରି ଦେଇଥିଲେ। ପରେ ଜଣା ପଡ଼ିଥିଲା ଯେ ସେମାନେ ସମସ୍ତେ ସାଧାରଣ ନାଗରିକ। ଖବର ପାଇ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ସୁରକ୍ଷା ବାହିନୀଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କ ଗାଡ଼ିରେ ମଧ୍ୟ ନିଅାଁ ଲଗାଇ ଦେଇଥିଲେ।

ତଦନ୍ତ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନେଫିୟୋ ରିୟୋ ଟ୍ଵିଟ୍‌ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି କି, ମୋନର ଓଟିଙ୍ଗ ଗାଁରେ ନାଗରିକମାନଙ୍କ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଉଚ୍ଚ ସ୍ତରୀୟ ଏସ୍‌ଆଇଟି ତଦନ୍ତ ହେବ ଏବଂ ଦେଶର ଆଇନ ଅନୁସାରେ ନ୍ୟାୟ ଦିଆଯିବ। ସମସ୍ତ ବର୍ଗଙ୍କଠାରୁ ସେ ଶାନ୍ତି ପାଇଁ ଅପିଲ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଭାରତର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.