Below header

ରାଜନୀତିରେ ଝଡ଼! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ, ଅଶୋଭନୀୟ ମନ୍ତବ୍ୟକୁ ନେଇ ତାତିଲା ବିଜେପି

ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ବିରୋଧ କରିଛି ବିଜେପି। ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ଦେଶର ଅପମାନ ବୋଲି କହିଛନ୍ତି। ସ୍ମୃତି ଇରାନୀ କହିଛନ୍ତି କି, ଯେବେଠାରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥିନୀ ରୂପେ ଘୋଷିତ ହୋଇଥିଲା, ସେବେଠାରୁ ଦ୍ରୌପଦୀ ମୁର୍ମୁ କଂଗ୍ରେସ ଦଳର ଘୃଣା ଏବଂ ଉପହାସର ଶିକାର ହୋଇଥିଲେ। କଂଗ୍ରେସ ଦଳ ତାଙ୍କୁ କାଠପୁତୁଳି ବୋଲି କହିଥିଲା। କଂଗ୍ରେସ ଆଜି ମଧ୍ୟ ଏହି କଥାକୁ ସ୍ୱୀକାର କରିପାରୁ ନାହିଁ ଯେ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ସୁଶୋଭିତ କରୁଛନ୍ତି।

ସ୍ମୃତି ଇରାନୀ ଆହୁରି କହିଥିଲେ ଯେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିଯୁକ୍ତ ଗୃହର ନେତା ଅଧୀର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଛନ୍ତି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ତାଙ୍କର ଏହି ସମ୍ବୋଧନ ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା କ୍ଷୁର୍ଣ୍ଣ କରୁଛି, ତଥାପି କଂଗ୍ରେସର ଏହି ପୁରୁଷ ନେତା ଘୃଣିତ କାର୍ଯ୍ୟ କରି ପାରିଛନ୍ତି।

ସ୍ମୃତି ଇରାନୀ କହିଛନ୍ତି, କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ମୂଲ୍ୟବିହୀନ ତଥା ସମ୍ବିଧାନକୁ ଆଘାତ ପହଞ୍ଚାଇଲା ଭଳି କାମ କରିଛି। ସଂସଦରେ ଏବଂ ରାସ୍ତାରେ କଂଗ୍ରେସ ଓ ଏହାର ନେତାମାନେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଦେଶକୁ କ୍ଷମା ମାଗିବା ଉଚିତ।

କେନ୍ଦ୍ରମନ୍ତ୍ରୀ କହିଥିଲେ, ଦେଶ ଓ ଦୁନିଆ ଜାଣିଛି, କଂଗ୍ରେସ ଆଦିବାସୀ ବିରୋଧୀ, ଗରିବ ବିରୋଧୀ ଏବଂ ମହିଳା ବିରୋଧୀ। କିନ୍ତୁ କଂଗ୍ରେସ ଏତେ ତଳକୁ ଖସି ଯାଇଛି ଯେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଥିବା ଜଣେ ଆଦିବାସୀ ଓ ଗରିବ ପରିବାରର ମହିଳାଙ୍କୁ ଏ ପ୍ରକାର ଅନାଦର କରିଛି ଏବଂ ତାଙ୍କ ଗାରିମା ଉପରେ ପ୍ରହାର କରିଛି।

‘କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ’

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁ ନାହିଁ। ମୁଁ ଭୁଲ୍‌ରେ ଏହି ଶବ୍ଦ ବ୍ୟବହାର କରି ଦେଇଥିଲି। ଏବେ ଯଦି ଆପଣ ଏଥିପାଇଁ ମୋତେ ଫାଶୀ ଦେବାକୁ ଚାହୁଁଛନ୍ତି, ତ ଆପଣ କରି ପାରିବେ। ଶାସକ ଦଳ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରରେ ଝିମିଟି ଖେଳରୁ ମହାଭାରତ କରିବାକୁ ଚେଷ୍ଟା କରୁଛି।

ସେପଟେ ବିଜେପି ସାଂସଦମାନେ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅଧୀର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ମନ୍ତବ୍ୟ ଦେଇଥିବାରୁ ସଂସଦରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.