ହ୍ଵାଇଟ୍‌ ହାଉସ୍‌ ଯାଏଁ ପହଞ୍ଚିଲା ବିକ୍ଷୋଭ, ସୁରକ୍ଷା ଦୃଷ୍ଟିରୁ ବଙ୍କରରେ ରହିଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ଶୁକ୍ରବାର ରାତିରେ ହ୍ଵାଇଟ୍‌ ହାଉସ୍‌ ସାମ୍ନାରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ବଙ୍କରରେ ଲୁଚାଇଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୁଇନ୍ଦା ଏଜେଣ୍ଟମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରମ୍ପ ପ୍ରାୟ ଘଣ୍ଟାଏ କାଳ ବଙ୍କର ମଧ୍ୟରେ ଅତିବାହିତ କରିଥିବା ହ୍ଵାଇଟହାଉସ୍‌ର ଜଣେ ନିକଟତମ ବ୍ୟକ୍ତି ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଆତଙ୍କବାଦ ଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ବଙ୍କର ନିର୍ମାଣ କରାଯାଇଛି।

Donald-Trump

ରିପୋର୍ଟ ମୁତାବକ, ପ୍ରଦର୍ଶନକାରୀମାନେ ହ୍ଵାଇଟ ହାଉସ୍‌କୁ ପଥର ଫିଙ୍ଗିଥିଲେ। ସେଥିମଧ୍ୟରୁ ଗୋଟିଏ ଟେକା ଝରକା କାଚ ଭାଙ୍ଗି ଦେଇଥିଲା। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ବ୍ୟବହାର କରିଥିଲା। ଏହା ପରେ ହ୍ଵାଇଟ୍‌ ହାଉସ୍‌ର ସମସ୍ତ ଲାଇଟ୍‌ ବନ୍ଦ କରିଦିଆଯାଇଥିଲା, ଫଳରେ ସମଗ୍ର ଅଞ୍ଚଳ ଅନ୍ଧାର ହୋଇଯାଇଥିଲା।

trump

କେବଳ ଟ୍ରମ୍ପ ନୁହେଁ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓ ତାଙ୍କ ୧୪ ବର୍ଷୀୟ ପୁଅ ବେରନ୍‌ଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା। ପ୍ରୋଟୋକଲର ନିୟମାନୁସାରେ ଯଦି ରାଷ୍ଟ୍ରପତିଙ୍କୁ ବଙ୍କରକୁ ନିଆଯାଏ ତେବେ ତାଙ୍କ ସହ ସମସ୍ତ ସୁରକ୍ଷାପ୍ରାପ୍ତ ଲୋକଙ୍କୁ ମଧ୍ୟ ନିଆଯାଏ।
ସୂଚନାଯୋଗ୍ୟ ଯେ ପୋଲିସ ନିର୍ଯାତନା ଯୋଗୁ ଜର୍ଜ ଫଏଡ୍‌ ନାମକ ଜଣେ କୃଷ୍ଣକାୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ବିରୋଧ କରି ଗତ ସୋମବାର ଠାରୁ ସମଗ୍ର ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.