ମା’ର ମୃତଦେହ ସହ ଘରେ ୨ ଦିନ ବିତାଇଲା ହତ୍ୟାକାରୀ ପୁଅ; ପୁଣି ନିଜର ବେକ କାଟି କରିଦେଲା ଆତ୍ମହତ୍ୟା…୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ଦିଲ୍ଲୀର ବୁଦ୍ଧବିହାର ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ତା’ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏଥି ସହିତ ୭୭ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଲେଖିଛି, ଯେଉଁଥିରୁ ପୋଲିସକୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିପାରିଛି। ଏହି ନୋଟ୍‌ ପଢ଼ିବା ପରେ ଖୋଦ୍‌ ପୋଲିସ ଅଧିକାରୀ ବି ସ୍ତମ୍ଭୀଭୂତ ହୋଇଯାଇଛନ୍ତି। ମା’କୁ ହତ୍ୟା କରିଥିବା ପୁଅ ପୂରା ଘଟଣାକ୍ରମ ଏଥିରେ ବର୍ଣ୍ଣନା କରିଛି। ଆହୁରି ମଧ୍ୟ କହିଛି କି, ସେପ୍ଟେମ୍ବର ୧ରେ ସେ ମା’କୁ ହତ୍ୟା କରିଥିଲା ଏବଂ ୨ ଦିନ ସେ ମା’ର ମୃତଦେହ ସହିତ ରହିଥିଲା। ଏବେ ସେ ମା’କୁ ରୋଗରୁ ମୁକ୍ତ କରି ଦେଇଛି ଏବଂ ନିଜେ ଆତ୍ମହତ୍ୟା କରୁଛି।

ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ବୁଦ୍ଧବିହାର ଅଞ୍ଚଳର ରୋହିଣୀ ସେକ୍ଟର-୨୪ସ୍ଥିତ ଏକ ଫ୍ଲାଟ୍‌ରେ ପହଞ୍ଚିଥିଲା। ଯେତେବେଳେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା, ତ ସାମ୍ନା ବେଡ୍‌ରେ କ୍ଷିତୀଶ୍‌ ଓରଫ୍‌ ସୋନୁ (୨୫) ନାମକ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲା। ଏହାପରେ ବାଥ୍‌ରୁମରୁ କ୍ଷିତୀଶ୍‌ଙ୍କ ମା’ ମିଥିଳେଶଙ୍କ ଗଳିତ ମୃତଦେହକୁ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା, ଯେଉଁଥିରେ କ୍ଷିତୀଶ୍‌ ନିଜର ବେକ କାଟି ଦେଇଥିବା କଥା ଉଲ୍ଲେଖ କରିଥିଲେ।

ଆଉ ଯେତେବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ୭୭ ପୃଷ୍ଠାଯୁକ୍ତ ସୁଇସାଇଡ୍‌ ନୋଟ୍‌ ପଢ଼ିବା ଆରମ୍ଭ କରିଥିଲା, ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ଏହି ନୋଟ୍‌ରେ ଅନେକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ ହୋଇଥିଲା। ସୁଇସାଇଡ୍‌ ନୋଟ୍‌ ମୁତାବକ, କ୍ଷିତୀଶ୍‌ ମା’ଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ହତ୍ୟାର ଦୁଇ ଦିନ ଯାଏ ସେ ଘରେ କ’ଣ କ’ଣ କରିଥିଲେ, ସେ ବିଷୟରେ ବି କ୍ଷିତୀଶ୍‌ ବର୍ଣ୍ଣନା କରିଥିଲେ।

କ୍ଷିତୀଶ୍‌ ଲେଖିଥିଲେ ଯେ ତାଙ୍କର କେହି ସାଙ୍ଗ ନ ଥିଲେ। ବାପାଙ୍କ ମୃତ୍ୟୁ ପରେ ଘରେ ଅଭାବ ଲାଗି ରହିଥିଲା। ମା’ ରୋଗାଗ୍ରସ୍ତ ହେବା ସହ ସେ ନିଜେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନ ଥିଲା। ମା’କୁ କୌଣସିମତେ ସେ ରୋଗରୁ ମୁକ୍ତି ଦେବାକୁ ଚାହୁଁଥିଲେ, ଯେଉଁଥିପାଇଁ ଗତ ଗୁରୁବାର ସେପ୍ଟେମ୍ବର ୧ରେ ଘରେ ଥିବା ଏକ ତାରରେ ମା’ର ଗଳା ଚିପି ଦେଇଥିଲେ। ପୁଣି ଧାରୁଆ କଟୁରୀରେ ଗଳା କାଟି ହତ୍ୟା କରିଥିଲେ।

ଏହାପରେ ମୃତଦେହ ସହିତ ଘରେ ଦୁଇ ଦିନ ବିତାଇଥିଲେ। ହତ୍ୟାର କିଛି ଘଣ୍ଟା ପରେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ଘରେ ଗଙ୍ଗାଜଳ ଓ ଡିଓଡ୍ରାଣ୍ଟ୍‌ ସିଞ୍ଚନ କରିଥିଲେ। ଏପରି କି, ମୃତଦେହ ପାଖରେ ବସି ଭଗବତ ଗୀତ ପାଠ ବି ଆରମ୍ଭ କରି ଦେଇଥିଲେ। ପୋଲିସ ମୁତାବକ, ସୁଇସାଇଡ୍‌ ନୋଟ୍‌ ପଢ଼ିବା ପରେ ଏମିତି ଲାଗୁଥିଲା, ଯେପରି କ୍ଷିତୀଶ୍‌ ଏକୁଟିଆ ହୋଇ ଯାଇଥିଲେ। ସେ ଏକ ପ୍ରକାର ସାଇକୋଲୋଜିକାଲ୍‌ ଡିସ୍‌ଅର୍ଡରର ଶିକାର ହୋଇଥିଲେ। ନିଜ ପରିସ୍ଥିତି ଯୋଗୁ ସେ ଡିପ୍ରେସନକୁ ଚାଲି ଯାଇଥିଲେ, ଯାହାଫଳରେ ଏଭଳି ନାରକୀୟ କାଣ୍ଡ ଘଟାଇବାକୁ ମନସ୍ଥ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.