ଜାତି ସଂଘ ରିପୋର୍ଟ : ଆସନ୍ତା ବର୍ଷ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ

ନୂଆଦିଲ୍ଳୀ : ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର କହିଲେ ଚୀନକୁ ବୁଝାଏ । ୧୪୪ କୋଟି ଜନସଂଖ୍ୟା ବିଶିଷ୍ଠ ଚୀନ ଏବେ ଲୋକସଂଖ୍ୟାରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । ଜନସଂଖ୍ୟା ଆଧାରରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ଜନସଂଖ୍ୟା ଏବେ ରହିଛି ୧୩୯ କୋଟିରେ । ବିଶ୍ୱ ଜନସଂଖ୍ୟାକୁ ହିସାବକୁ ନେଲେ କେବଳ ଚୀନର ଜନସଂଖ୍ୟା ୧୯ ପ୍ରତିଶତ ଓ ଭାରତର ୧୮ ପ୍ରତିଶତ ଥିବା ଜଣାଯାଇଛି । ଏକ ରିପୋର୍ଟ ଅନୁସାରେ ୨୦୨୩ ବେଳକୁ ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଜଣାଯାଇଛି । ଜାତିସଂଘର ଏକ ରିପୋର୍ଟରୁ ଏହା ଜଣାଯାଇଛି ।

ଚୀନ ଓ ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ ଭାବେ ମାନ୍ୟତା ପାଇଛି । ଚୀନ ଏବେ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ତେବେ ଆସନ୍ତା ବର୍ଷ ସୁଦ୍ଧା ଭାରତ ଜନସଂଖ୍ୟାରେ ଚୀନକୁ ଟପିଯିବ ବୋଲି ଜାତିସଂଘ ତା’ର ରିପୋର୍ଟରେ କହିଛି ।

କେବଳ ଏସିଆରେ ରୁହନ୍ତି ୬୧ ପ୍ରତିଶତ ଲୋକ :

ଜାତିସଂଘ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଆଜି ବା ସୋମବାର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ୨୦୨୨ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି । ମହାଦେଶ ଅନୁସାରେ ଦେଖିବାକୁ ଗଲେ ଏବେ ଏସିଆ ମହାଦେଶ ୪୭୦ କୋଟି ଜନସଂଖ୍ୟା ସହିତ ସବୁଠୁ ଉପରେ ରହିଛି । ପୁରା ବିଶ୍ୱର ଜନସଂଖ୍ୟାରୁ କେବଳ ଏସିଆ ମହାଦେଶର ଜନସଂଖ୍ୟା ୬୧ ପ୍ରତିଶତ ।

ଏହା ପଛକୁ ରହିଛି ଆଫ୍ରିକା ଯାହାର ଜନସଂଖ୍ୟା ୧୩୦ କୋଟି ଅର୍ଥାତ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ । ୟୁରୋପରେ ୭୫ କୋଟି ବା ବିଶ୍ୱଜନସଂଖ୍ୟାର ୧୦ ପ୍ରତିଶତ ଲୋକ ବାସ କରନ୍ତି । ଲାଟିନ ଆମେରିକା ଓ କାରବେନ ଦେଶରେ ୬୫ କୋଟି ଜନସଂଖ୍ୟା ଅର୍ଥାତ ୮ ପ୍ରତିଶତ ଓ ଉତ୍ତର ଆମେରିକାରେ ୩୭ କୋଟି ଅର୍ଥାତ ୪.୩ ପ୍ରତିଶତ ଲୋକ ବାସ କରନ୍ତି ।

ଏବେ ଖସୁଛି ଚୀନର ଲୋକସଂଖ୍ୟା

୨୦୧୯ ଗଣନା ଅନୁସାରେ ଏବେ ଚୀନରେ ୧୪୪ କୋଟି ଲୋକ ରହୁଛନ୍ତି । ଯେତେବେଳେ ଭାରତ ଦ୍ୱିତୀୟ ସ୍ଥାନରେ ଥାଇ ୧୩୯ କୋଟି ଲୋକେ ବସବାସ କରନ୍ତି । ରିପୋର୍ଟ ଅନୁସାରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ବଢ଼ିକରି ଚୀନକୁ ଟପିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁଯାୟୀ୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା୩୧୪ କୋଟି ବା ପ୍ରାୟ ୨.୨ ପ୍ରତିଶତ ଲୋକ କମିଯାଇ ପାରନ୍ତି । ବିଶ୍ୱର ଜନସଂଖ୍ୟା ୧୯୫୦ ମସିହା ପରେ ଧିର ଗତିରେ ବଢ଼ୁଛି । ୨୦୩୦ ମସିହା ଭିତରେ ବିଶ୍ୱ ଜନସଂଖ୍ୟା ୮୫୦ କୋଟି ହୋଇଯିବ ଏବଂ ୨୦୮୦ ମସିହା ସୁଦ୍ଧା ବିଶ୍ୱର ଜନସଂଖ୍ୟା ୧୦୪୦ କୋଟିକୁ ଟପିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏହି ୮ ଟି ଦେଶରେ ଦ୍ରୁତଭାବେ ବଢ଼ୁଛି ଜନସଂଖ୍ୟା

ରିପୋର୍ଟ ଅନୁସାରେ ଜନସଂଖ୍ୟା ବଢ଼ିବାରେ ୫୦ ପ୍ରତିଶତରୁ ଅଧିକ ଯୋଗଦାନ ୮ ଦେଶର ରହିଛି । ଏହି ୮ ଦେଶ କେବଳ ଏସିଆ ଓ ଆଫ୍ରିକା ମହାଦେଶରେ ରହିଛି । ଏହି ଦେଶଗୁଡ଼ିକ ହେଉଛି କଙ୍ଗୋ,ମିଶର,ଇଥୋପିଆ, ଭାରତ,ନାଇଜେରିୟା,ପାକିସ୍ତାନ,ଫିଲିପାଇନ୍ସ ଓ ତାଂଜାନିଆ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.