ସାରା ଦେଶରେ ମେ’ ୩୧ରେ ବନ୍ଦ ରହିବ ରେଳ ଚଳାଚଳ, ଜାଣନ୍ତୁ କାହିଁକି

ମେ’ ୩୧ରେ ଗଡ଼ିବନି ଟ୍ରେନ୍‌। ଏକା ସାଙ୍ଗେ ଅଟକିଯିବ ସବୁ ଟ୍ରେନ୍‌ର ଚକ। ଯଦି ରେଳ ମନ୍ତ୍ରଣାଳୟ ଯଥାଶୀଘ୍ର କୌଣସି ନିଷ୍ପତ୍ତି ନ ନେବ, ତେବେ ସାରା ଦେଶର ଲୋକଙ୍କୁ ବଡ଼ ସମସ୍ୟା ଭୋଗିବାକୁ ପଡ଼ିପାରେ। ଏହାର କାରଣ ହେଉଛି ଭାରତୀୟ ରେଳର ସମସ୍ତ ଷ୍ଟେସନ୍‌ ମାଷ୍ଟର ହରତାଳରେ ବସିବାକୁ ଯାଉଛନ୍ତି। ରେଲେଓ୍ଵର ଉଦାସୀନତାକୁ ବିରୋଧ କରି ସାରା ଦେଶର ପାଖାପାଖି ୩୫ ହଜାରରୁ ଊର୍ଦ୍ଧ୍ୱ ଷ୍ଟେସନ୍‌ ମାଷ୍ଟରଙ୍କ ପକ୍ଷରୁ ରେଲୱେ ବୋର୍ଡକୁ ନୋଟିସ୍‌ କରିଛନ୍ତି। ଏହି ନୋଟିସ୍‌ରେ ସେମାନେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୩୧ ତାରିଖରେ ସେମାନେ ଆନ୍ଦୋଳନ କରିବେ। ତେବେ ଏବେ ଦେଖିବାକୁ ବାକି ରହିଲା ଯେ ଏମାନଙ୍କ ଚେତାବନୀକୁ ସରକାର କେତେ ଦୂର ଗ୍ରହଣ କରି ନିଷ୍ପତ୍ତି ନେଉଛନ୍ତି।

ଏ ନେଇ ଅଲ ଇଣ୍ଡିଆ ଷ୍ଟେସନ୍‌ ମାଷ୍ଟର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ଧନଞ୍ଜୟ ଚନ୍ଦ୍ରାକ୍ଷେ କହିଛନ୍ତି, ସରକାର କୌଣସି ଶୁଣାଣି କରୁନାହାନ୍ତି। ଏଣୁ ସମାଧାନର ଏକ ମାତ୍ର ବାଟ ହେଉଛି ଆନ୍ଦୋଳନ। ସାରା ଦେଶରେ ବର୍ତ୍ତମାନ ୬୦୦୦ ରୁ ଅଧିକ ଷ୍ଟେସନ୍‌ ମାଷ୍ଟରର ଆବଶ୍ୟକତା ରହିଛି। ଏ ନେଇ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କି ନିଯୁକ୍ତି ପ୍ରକ୍ରିୟା ବି ହେଉନି।

ସାଧାରଣତଃ ଷ୍ଟେସନ୍‌ ମାଷ୍ଟରଙ୍କ ସିଫ୍ଟ ୮ ଘଣ୍ଟା ହୋଇଥାଏ। କିନ୍ତୁ କର୍ମଚାରୀ ଅଭାବ ଯୋଗୁ ଷ୍ଟେସନ୍‌ ମାଷ୍ଟରଙ୍କୁ ନିୟମିତ ୧୨ ଘଣ୍ଟା କାମ କରିବାକୁ ପଡ଼ୁଛି। ଯେଉଁଦିନ କୌଣସି ଷ୍ଟେସନ୍‌ ମାଷ୍ଟରଙ୍କ ସାପ୍ତାହିକ ଛୁଟି ରହିଥାଏ, ସେଦିନ ଅନ୍ୟ ଷ୍ଟେସନ୍‌ରୁ କର୍ମଚାରୀ ଡାକିବାକୁ ପଡ଼ିଥାଏ। ଷ୍ଟେସନ୍‌ ମାଷ୍ଟରଙ୍କୁ ଅଧିକ କାମ ଦିଆଯାଉଛି। ଏଣୁ ସରକାର ନୂଆ ନିଯୁକ୍ତି କରନ୍ତୁ ବୋଲି ସେ କହିଛନ୍ତି।

Also Read: BSF ରେ ଖାଲି ପଡ଼ିଛି ୨୮୦ରୁ ଅଧିକ ପଦବୀ, ଦେଶ ସେବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.