କରୋନା ଯୁଦ୍ଧରେ ବଡ଼ ଖୁସି ଖବର! ଭାରତର ପ୍ରଥମ ନାଜାଲ୍‌ ଭ୍ୟାକ୍ସିନ୍‌କୁ ମିଳିଲା ମଞ୍ଜୁରୀ

କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦେଶର ପ୍ରଥମ ନାଜାଲ୍‌ ଭ୍ୟାକ୍ସିନ୍‌କୁ ଡ୍ରଗ୍‌ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DGCI)ର ମଞ୍ଜୁରୀ ମିଳିଯାଇଛି। ଭରତ ବାୟୋଟେକ୍ ଦ୍ୱାରା ଏହି ଭ୍ୟାକ୍ସିନ୍‌ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇକୁ ବିଗ୍‌ ବୁଷ୍ଟ୍‍। ଭରତ ବାୟୋଟେକ୍‌ର ChAd36-SARS-CoV-S COVID-19 ନାଜାଲ୍‌ ଭ୍ୟାକ୍ସିନ୍‌କୁ ମଞ୍ଜୁରୀ ମିଳିଯାଇଛି।

ସେ କହିଛନ୍ତି ଯେ ଏହି ପଦକ୍ଷେପ ମହାମାରୀ ବିରୋଧରେ ଆମର ସାମୂହିକ ଲଢ଼େଇକୁ ଆହୁରି ମଜଭୁତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହାର ବିଜ୍ଞାନ, ଅନୁସନ୍ଧାନ ଏବଂ ବିକାଶ ଓ ମାନବ ସମ୍ବଳକୁ କୋଭିଡ୍‌-୧୯ ବିରୋଧ ଲଢ଼େଇରେ ବ୍ୟବହାର କରିଛି। ସେ ଆଉ ମଧ୍ୟ କହିଛନ୍ତି, ଆମେ ବିଜ୍ଞାନ ଭିତ୍ତିକ ଦୃଷ୍ଟିକୋଣରୁ କୋଭିଡ୍‌-୧୯କୁ ହରାଇବୁ।

ଏହା ପୂର୍ବରୁ ଭରତ ବାୟୋଟେକ୍ ଇଣ୍ଟ୍ରାନାଜାଲ୍‌ ଭ୍ୟାକ୍ସିନ୍‌ର ତୃତୀୟ କ୍ଲିନିକାଲ୍‌ ଟ୍ରାଏଲ ଅଗଷ୍ଟ ୧୫ରେ ପୂରା କରି ନେଇଥିଲା। ଟ୍ରାଏଲ ପରୀକ୍ଷା ସମୟରେ ଭ୍ୟାକ୍ସିନ୍‌କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଭାବରେ ଦିଆଯାଇଥିଲା। ସଫଳ ପରୀକ୍ଷଣ ହେବା ପରେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହାର ପରୀକ୍ଷା କରାଯାଇଥିଲା। ଯଦିଓ ବୁଷ୍ଟର ଡୋଜ ସେହି ଲୋକମାନଙ୍କୁ ଦିଆଯାଇଥିଲା, ଯେଉଁମାନେ କୋଭିଡ୍‌ର ଉଭୟ ଭ୍ୟାକ୍ସିନ୍‌ ନେଇଥିଲେ।

ଭାରତ ବାୟୋଟେକ୍ ଭାରତର ୧୪ଟି ସ୍ଥାନରେ ପରୀକ୍ଷା କରିଥିଲା। କମ୍ପାନୀ କହିଥିଲା ଯେ ପ୍ରଥମ ପର୍ଯ୍ୟାୟର କ୍ଲିନିକାଲ୍ ଟ୍ରାଏଲରେ ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କୁ ଦିଆଯାଇଥିବା ଭ୍ୟାକ୍ସିନ୍‌ର ଡୋଜ୍‌ ଭଲ ଭାବରେ କାମ କରିଥିଲା। କୌଣସି ଗମ୍ଭୀର ପ୍ରତିକୂଳ ଘଟଣା ବିଷୟରେ ସୂଚନା ମିଳି ନ ଥିଲା। ପ୍ରି-କ୍ଲିନିକାଲ୍ ଟକ୍ସିସିଟି ଷ୍ଟଡିଜ୍‌ରେ ଏହି ଭ୍ୟାକ୍ସିନ୍‌ ସୁରକ୍ଷିତ, ଇମ୍ୟୁନୋଜେନିକ୍ ଏବଂ ଭଲ ଭାବରେ କାମ କରିବା ଯୋଗ୍ୟ ବୋଲି ଜଣା ପଡ଼ିଥିଲା।

ଇଣ୍ଟ୍ରା ନାଜାଲ୍‌ ଭ୍ୟାକ୍ସିନ୍‌ର ବୁଷ୍ଟର୍ ଡୋଜ୍ ପାଇଁ ୯ଟି ଜାଗାରେ ପରୀକ୍ଷା କରାଯାଇଥିଲା। କେନ୍ଦ୍ର ସରକାର ଗତ ବର୍ଷ ମିଶନ କୋଭିଡ ସୁରକ୍ଷାକୁ ଲଞ୍ଚ୍‌ କରିଥିଲେ, ଯଦ୍ଦ୍ଵାରା କରୋନା ଭ୍ୟାକ୍ସିନ୍‌ ଉପରେ ଶୀଘ୍ର କାମ କରାଯାଇ ପାରିବ। ଏହି ମିଶନର ଲକ୍ଷ୍ୟ ଥିଲା, ଲୋକମାନଙ୍କ ପାଇଁ ଏକ ସୁରକ୍ଷିତ, ପ୍ରଭାବଶାଳୀ, ଶସ୍ତା ଏବଂ ସୁଲଭ କୋଭିଡ୍‌ ଭ୍ୟାକ୍ସିନ୍‌ ଉପଲବ୍ଧ କରାଇବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.