ଇରାନୀ ଝିଅ ସନ୍ତୁରରେ ବଜାଇଲେ ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’, ଭିଡିଓ ସେୟାର କରି କ୍ୟାପସନରେ ଲେଖିଲେ ଏମିତି କିଛି

ଭାରତର ପ୍ରତ୍ୟେକ ନାଗରିକ ଦେଶଭକ୍ତି ଭାବନା ସହ ଜଡ଼ିତ। ଚଳିତବର୍ଷ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛି। ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ରେ ଜାତୀୟ ପତାକା ଉତ୍ତୋଳନ ବେଳେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଏ। ଏହା ବାଜିବା ମାତ୍ରେ ପ୍ରତ୍ୟେକ ଭାରତୀୟ ସମ୍ମାନର ସହିତ ଛିଡ଼ା ହୋଇଥାଆନ୍ତି। ସେମାନଙ୍କ ଲୋମ ଟାଙ୍କୁରି ଉଠିଥାଏ।

କିନ୍ତୁ ଏବେ କେବଳ ଭାରତୀୟ ନାଗରିକ ନୁହଁନ୍ତି, ତେହରାନର ଜଣେ ଝିଅ ମଧ୍ୟ ଭାରତର ଜାତୀୟ ସଙ୍ଗୀତ ପ୍ରତି ଭଲ ପାଇବା ଦେଖାଇଛନ୍ତି। ତାରା ଘରେମାନୀ ନାମ୍ନୀ ଝିଅ ଭାରତର ସ୍ୱାଧୀନତା ଦିବସ ପ୍ରତି ନିଜର ସମ୍ମାନ ଦେଖାଇବା ପାଇଁ ସନ୍ତୁରରେ ଜାତୀୟ ସଙ୍ଗୀତର ଧୁନ୍‌ ବଜାଇଛନ୍ତି।

ଆଇଏଫ୍‌ଏସ୍‌ ସୁଧା ରାମନଙ୍କ ଦ୍ୱାରା ଟ୍ଵିଟରରେ ଝିଅଟିର ଭିଡିଓକୁ ସେୟାର କରାଯାଇଛି। ଏଥିରେ କ୍ୟାପସନ ଲେଖାଯାଇଛି କି, ‘ଜାତୀୟ ସଙ୍ଗୀତ କୌଣସି ବି ରୂପରେ ଆମ ଲୋମ ଟାଙ୍କୁରାଇ ଦେବ। ଇରାନର ଏହି ଝିଅକୁ ଏଭଳି ସୁନ୍ଦର ପରଫର୍ମାନ୍ସ ପାଇଁ ବହୁତ ବହୁତ ଧନ୍ୟବାଦ’।

ବାସ୍ତବରେ, ଭିଡିଓକୁ ମୂଳ ରୂପରେ ତାରା ଘରେମାନୀ ୨୬ ଜାନୁୟାରୀରେ ଭାରତର ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅପଲୋଡ୍‌ କରିଥିଲେ। ସେ ଏହାର କ୍ୟାପସନ ଲେଖିଥିଲେ ଯେ ‘ସମସ୍ତଙ୍କୁ ନମସ୍କାର। @gcpawards ପରିବାରରେ ସାମିଲ ହେବା ମୋ ପାଇଁ ସମ୍ମାନର କଥା ଏବଂ ମୁଁ ଏଥିପାଇଁ କୃତଜ୍ଞ। ମୋତେ ଏତେ ବଡ଼ ଅବସର ଦେଇ ଥିବାରୁ ଜଣେ ଇରାନୀ ଝିଅ ରୂପେ ମୁଁ ଏହା କହୁଛି କି, ମୁଁ ସମସ୍ତ ପେଶାଦାର, ଦୟାଳୁ ଓ ପରିଶ୍ରମୀ ଭାରତୀୟଙ୍କୁ ଭଲ ପାଉଛି ଏବଂ ମୁଁ ଆପଣଙ୍କ ସମର୍ଥନକୁ ପ୍ରଶଂସା କରୁଛି। ଆପଣ ସମସ୍ତଙ୍କୁ ଶୁଭକାମନା ଏବଂ ଏହି ବିଶେଷ ଦିନ ପାଇଁ ଶୁଭେଚ୍ଛା’।

ତେବେ ଚଳିତବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଭିଡିଓଟି ଆଉଥରେ ଭାଇରାଲ ହୋଇଛି, ଯାହାକୁ ୧୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.