ଗୁଲାମ ନବୀ ଆଜାଦ ଗଢ଼ିବେ ନୂଆ ଦଳ, କଂଗ୍ରେସ ଛାଡିବା ବେଳେ ଲେଖିଲେ-ସେକ୍ରେଟାରୀ ଓ ଗାର୍ଡଙ୍କ କଥାରେ ନିଷ୍ପତ୍ତି ନିଅନ୍ତି ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : ‘ ମୁଁ ସ୍କୁଲ ସମୟରୁ ହିଁ କଂଗ୍ରେସ, ଗାନ୍ଧୀ ଓ ନେହେରୁଙ୍କ ସମ୍ପର୍କରେ ପଢ଼ୁଥିଲି । ମଲାଯାଏ ମୁଁ କଂଗ୍ରେସ ଛାଡିବି ନାହିଁ । ’ ୧୮ ମାସ ପୂର୍ବେ ଏହି କଥା କହିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଦଳର ସବୁ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଖାଲି ସେତିକି ନୁହେଁ ସେ ନୂଆ ଦଳ ଗଢ଼ିବା ନେଇ ଘୋଷଣା ବି କରିଛନ୍ତି ।

ଆଜାଦ ଇସ୍ତଫା ଦେବା ପରେ ତାଙ୍କ ସହ କେତେକ ସମର୍ଥକ ମଧ୍ୟ ଦଳ ଛାଡିଛନ୍ତି । ଗୁଲାମ ନବୀଙ୍କ ସମର୍ଥନରେ ଜମ୍ମୁ କଶ୍ମୀରର ପୂର୍ବ ବିଧାୟକ ଗୁଲାମ ମହମ୍ମଦ ଜରୁରୀ, ହାଜି ଅବଦୁଲ ରସିଦ, ମହମ୍ମଦ ଅମୀନ ଭଟ୍ଟ, ଗୁଲାଜର ଅହମ୍ମଦ ବାନୀ ଓ ଚୌଧୁରୀ ମହମ୍ମଦ ଅକରମ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ପାଞ୍ଚ ଫର୍ଦ୍ଦର ତାଙ୍କର ଇସ୍ତଫା ପତ୍ର ସହିତ ଆଜାଦ କଂଗ୍ରେସ ସହ ନିଜ ପାଞ୍ଚ ଦଶକର ସମ୍ପର୍କକୁ ଛିନ୍ନ କରିଛନ୍ତି । ନିଜର ଇସ୍ତଫା ପତ୍ରରେ ସେ ସୋନିଆ, ରାହୁଲ, କଂଗ୍ରେସ ଓ ଦଳର ଭବିଷ୍ୟତ ସମ୍ପର୍କରେ ବିସ୍ତତ ଭାବେ ଲେଖିଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ଉପରେ ସେ କଡା ମନ୍ତବ୍ୟ ଦେଇଛନ୍ତି । ଆସନ୍ତୁ ଜାଣିବା ଗୁଲାମ ନବୀ ଆଜାଦ କାହାକୁ କ’ଣ ସବୁ ଲେଖିଛନ୍ତି ।

ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି

୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆଜାଦ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ଆଜାଦ କହିଛନ୍ତି-‘‘ରାହୁଲଙ୍କ ଅପରିପକ୍ୱତାର ସବୁଠୁ ବଡ଼ ଉଦାହରଣ । ରାହୁଲ ଗାନ୍ଧୀଙ୍କ ଦ୍ୱାରା ମିଡିଆ ଆଗରେ ଅଧ୍ୟାଦେଶକୁ ଚିରିବା ଏକ ପିଲାଳିଆମୀ ବ୍ୟବହାର ଥିଲା । ଯାହା ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଥିଲା । ୨୦୧୪ ନିର୍ବାଚନରେ ୟୁପିଏ ପରାଜୟର ସବୁଠୁ ବଡ଼ କାରଣ ଥିଲା ।’’

ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ମଧ୍ୟ ଆଜାଦ କଂଗ୍ରେସର ପରାଜୟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଲେଖିଛନ୍ତି । ଏଥିପାଇଁ ରାହୁଲ ଓ ସୋନିଆଙ୍କ ନେତୃତ୍ୱକୁ ଆଜାଦ ଦାୟୀ କରିଛନ୍ତି । ଦଳ ରିମୋଟ କଣ୍ଟ୍ରୋଲରେ ଚାଲୁଛି । ଦଳର ନିଷ୍ପତ୍ତି ରାହୁଲଙ୍କ ସୁରକ୍ଷା କର୍ମୀ ଓ ପିଏ ନେଉଛନ୍ତି ବୋଲି ଆଜାଦ କଡ଼ା ସମାଲୋଚନା କରିଛନ୍ତି । ‘ଆପଣ କେବଳ ନାମକୁ ମାତ୍ର ପଦରେ ବସିଛନ୍ତି, ହେଲେ ରାହୁଲ ସବୁ ନିଷ୍ପତ୍ତି ନେଉଛନ୍ତି,ଏହା ଠାରୁ ଆହୁରି ଦୁର୍ଭାଗ୍ୟପୂର୍ଣ୍ଣ ହେଉଛି, ରାହୁଲଙ୍କ ସୁରକ୍ଷା କର୍ମୀ ଓ ପିଏ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଉଛନ୍ତି । ସବୁ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ସାଇଡ ଲାଇନ କରି ଦିଆଯାଇଛି ।

ଖାଲି ସେତିକି ନୁହେଁ, ଦଳର ଦୁର୍ବଳତା ବିଷୟରେ ମତ ଦେଇ ଲେଖିଥିବା ୨୩ ଜଣ ନେତାଙ୍କୁ ଅପଶବ୍ଦ କୁହାଯାଇଛି ଓ ଅପମାନିତ କରାଯାଇଛି । ଯାହାଙ୍କୁ ଫେରାଇ ଅଣାଯାଇ ପାରିବ ନାହିଁ । ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଆଜାଦ ନିଜର ଇସ୍ତଫା ଦେବା ପରେ ଘୋଷଣା କରିଛନ୍ତି ଯେ ଜମ୍ମୁ କଶ୍ମୀରରେ ସେ ପୁଣି ଥରେ ଆସିବେ ଓ ନିଜ ଦଳ ଗଢ଼ିବେ । ତେବେ ବିଜେପିରେ ମିଶିବା କଥାକୁ ସେ ସଂପୂର୍ଣ୍ଣ ଭାବେ ଖାରଜ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.