୧୦ ବର୍ଷର ନାବାଳିକାଙ୍କୁ ୨ ବର୍ଷ ଧରି କରି ଆସୁଥିଲେ ଦୁଷ୍କର୍ମ; ଏବେ କୋର୍ଟ ଦେଲେ ଦୋଷୀଙ୍କୁ ୧୪୨ ବର୍ଷ ଜେଲ୍‌ ଦଣ୍ଡ

କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପତନମତିଟ୍ଟାର ଏକ ପୋକ୍ସୋ କୋର୍ଟ ଜଣେ ଦୋଷୀଙ୍କୁ ୧୪୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୦ ବର୍ଷୀୟା ଜଣେ ନାବାଳିକାଙ୍କ ସହ ୨ ବର୍ଷ ଧରି ଯୌନ ଉତ୍ପୀଡ଼ନ ମାମଲାରେ ୪୧ ବର୍ଷୀୟ ଏହି ବ୍ୟକ୍ତି କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥି ସହିତ କୋର୍ଟ ସମ୍ପୃକ୍ତ ଦୋଷୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଯଦି ଦୋଷୀ ଜରିମାନା ଦେବାକୁ ବିଫଳ ହୁଅନ୍ତି, ତା’ ହେଲେ ତାଙ୍କୁ ଅଧିକ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିଜ ଆଦେଶରେ କହିଛନ୍ତି।

ଏହା ହେଉଛି ଜିଲ୍ଲାରେ ପୋକ୍ସୋ ମାମଲାରେ କୌଣସି ଦୋଷୀଙ୍କୁ ଦିଆଯାଇଥିବା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଦଣ୍ଡ। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ହେଲା, ଆନନ୍ଦନ ପିଆର ଓରଫ୍‌ ବାବୁ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ବାବୁଙ୍କୁ ୧୪୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। କହି ରଖୁଛୁ, ତିରୁବଲ୍ଲା ପୋଲିସ ତାଙ୍କ ବିରୋଧରେ ୨୦୨୧, ମାର୍ଚ୍ଚ ୨୦ରେ ଥାନାରେ ଏକ ମାମଲା ରୁଜୁ କରିଥିଲା। ୨୦୧୯-୨୦ ମସିହା ମଧ୍ୟରେ ୧୦ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ଅନେକ ବାର କ୍ରୁର ଉପାୟରେ ଯୌନ ଉତ୍ପୀଡ଼ନ କରିବା ନେଇ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ତେବେ ବ୍ୟକ୍ତି ଜଣକ ନାବାଳିକାଙ୍କର ଜଣେ ସମ୍ପର୍କୀୟ ଥିଲେ, ତେଣୁ ତାଙ୍କ ବାପା, ମାଆଙ୍କ ସହିତ ସେ ତାଙ୍କ ଘରେ ହିଁ ରହୁଥିଲେ। ଏହି ମାମଲାରେ ନାବାଳିକାଙ୍କ ବୟାନ, ତାଙ୍କ ମେଡିକାଲ ରିପୋର୍ଟ ସହ ଅନ୍ୟାନ୍ୟ ପ୍ରମାଣଗୁଡ଼ିକୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହାପରେ କୋର୍ଟ ସମସ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.