ଟ୍ୱିଟର ଆକାଉଣ୍ଟ ବ୍ଲକ୍‌କୁ ବିରୋଧ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କଲା ପାକିସ୍ତାନ, କହିଲା ଲଗାମ ଲଗାଇବାକୁ ଚେଷ୍ଟା କରୁଛି ଭାରତ

ନୂଆଦିଲ୍ଲୀ : ନିକଟ ଅତୀତରେ ନିର୍ଦ୍ଦିଷ୍ଟ କେତେକ ପାକିସ୍ତାନୀ ଟୁଇଟର୍‌ ହ୍ୟାଣ୍ଡଲ୍‌ଗୁଡ଼ିକୁ ଭାରତରେ ବ୍ଲକ୍‌ କରାଯାଇଥିବାରୁ ତୀବ୍ର ପ୍ରତିବାଦ ବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ ସୁରେଶ କୁମାରଙ୍କୁ ପାକିସ୍ତାନ ଡକାଇଥିଲା। ଏହା ସହିତ ପାକିସ୍ତାନ ଭାରତକୁ ତୀବ୍ର ବିରୋଧ କରିଛି। ଏପରିକି ଅଭିବ୍ୟକ୍ତିର ସ୍ୱାଧୀନତାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପାକିସ୍ତାନ କହିଛି।

ସୂଚନା ଅନୁସାରେ ଭାରତରେ ପାକିସ୍ତାନର ଦୂତାବାସର ଟ୍ୱିଟର ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଭାରତ ବିରୋଧରେ ମିଥ୍ୟା ଖବର ଏବଂ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି। ତୁର୍କୀ, ମିଳିତ ଜାତିସଂଘ, ଇରାନ ଏବଂ ଇଜିପ୍ଟରେ ପାକିସ୍ତାନର ଦୂତାବାସର ଆକାଉଣ୍ଟକୁ ଅବରୋଧ କରାଯାଇଛି। ଅନ୍ୟ ଟୁଇଟର ଆକାଉଣ୍ଟରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କୁହାଯାଉଛି। ଟ୍ୱିଟରରୁ ଏହି ଆକାଉଣ୍ଟଗୁଡିକର ପୁନରୁଦ୍ଧାର ପାଇଁ ପାକିସ୍ତାନ ଦାବି କରିଛି।

ଏ ସଂକ୍ରାନ୍ତରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ଙ୍କୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଡକାଯାଇଥିଲା। ‘ଜିଓ-ବ୍ଲକିଙ୍ଗ୍‌’ ଏବଂ ‘ସେନ୍‌ସର୍‌ସିପ୍‌’ ଆଇନ ସକ୍ରିୟ କରି ଇରାନ୍‌, ତୁର୍କୀ, ଇଜିପ୍‌ଟ୍‌, ୟୁଏନ୍‌-ନ୍ୟୁୟର୍କସ୍ଥିତ ପାକିସ୍ତାନର କୂଟନୈତିକ ମିସନ୍‌ର ଆକାଉଣ୍ଟ୍‌ ସମେତ ଟୁଇଟର୍‌ରେ ୮୦ଟି ଆକାଉଣ୍ଟ୍‌ର କଣ୍ଟେଣ୍ଟ୍‌ ଏବଂ ରାଷ୍ଟ୍ରୀୟ ପ୍ରସାରଣକାରୀ ‘ରେଡିଓ ପାକିସ୍ତାନ’ର ଆସେସ୍‌ ଭାରତ ସରକାର ବ୍ଲକ୍‌ କରିଥିବା ଘଟଣା ଲାଗି ଦୃଢ଼ ରାଜନୈତିକ ପ୍ରତିବାଦ ଉତ୍ଥାପନ କରାଯାଇଥିଲା।

ନିକଟରେ ଭାରତୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ତଥା ଜନ ଶୃଙ୍ଖଳା ସହ ପ୍ରଚାର ପ୍ରସାର ପାଇଁ ପାକିସ୍ତାନ ଭିତ୍ତିକ ୬ ଟି ଚ୍ୟାନେଲ ସମେତ ୧୬ ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ନିଷିଦ୍ଧ କରିଛି। ଏଥିସହିତ ପାକିସ୍ତାନର ଅନେକ କୁଟନୈତିକ ମିଶନ, ସାମ୍ବାଦିକ ଓ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍‌ କରିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍ ୨୦୦୦ ଅଧିନରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣା ପରେ ଲୋକଙ୍କ ଆବାଜ ଉପରେ ଭାରତ ଲଗାମ ଲଗାଇବାକୁ ଚେଷ୍ଟା କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.