ନୂଆଦିଲ୍ଲୀ : ଆଜି ହେଉଛି ସ୍ୱର୍ଗତ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଜନ୍ମଦିନ। ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦଶେର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଲତା ଦିଦିଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲତା ମଙ୍ଗେସ୍କର୍ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍କର୍ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ୟୁଆଲ୍ରେ ୧୦ଟା ୫୦ରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡି ସ୍ମୃତି ଛକରେ ଉପସ୍ଥିତ ରହିଥିଲେ । ଏହି ସମାରୋହକୁ ଅଧ୍ୟାତ୍ମିକ ଓ ରାଜନୈତିକ ନେତାମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜନ୍ମଦିନରେ ଲତା ଦିଦିଙ୍କୁ ସ୍ମରଣ କରୁଛି। ମୋର ମନେପଡୁଛି, ତାଙ୍କ ସହିତ ବହୁଥର ଆଳାପ ଆଲୋଚନା କରିବା ବେଳେ ସେ ମତେ ଅଜସ୍ର ଶ୍ରଦ୍ଧା ଅଜାଡ଼ି ପକାଉଥିଲେ। ଅଯୋଧ୍ୟାର ଗୋଟାଏ ଛକ ତାଙ୍କ ନାମାନୁସାରେ ନାମିତ ହେଉଥିବା ଜାଣି ମୁଁ ଆନନ୍ଦିତ। ଅନ୍ୟତମ ପ୍ରଖ୍ୟାତ ଭାରତୀୟ ବ୍ୟକ୍ତିତ୍ବଙ୍କ ପ୍ରତି ଏହା ହେଉଛି ଯଥାମାନ୍ୟ ଶ୍ରଦ୍ଧାଞ୍ଜଳି।
Remembering Lata Didi on her birth anniversary. There is so much that I recall…the innumerable interactions in which she would shower so much affection. I am glad that today, a Chowk in Ayodhya will be named after her. It is a fitting tribute to one of the greatest Indian icons.
— Narendra Modi (@narendramodi) September 28, 2022
ରିପୋର୍ଟ ଅନୁଯାୟୀ ୭.୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଲତା ମଙ୍ଗେଶକର ଛକରେ ତାଙ୍କର ସମସ୍ତ ଭଜନ ଗୁଞ୍ଜରିତ ହେବ। ମା ଶାରଦାଙ୍କ ବୀଣା ସୁର ସାମ୍ରାଜ୍ଞୀ ଛକର ପରିଚୟ ହେବ। ଏହି ବୀଣାର ଲମ୍ଵ ୧୦.୮ ମିଟର ଏବଂ ଉଚ୍ଚତା ୧୨ ମିଟର ରହିଛି। ୧୪ ଟନ୍ ଓଜନ ବିଶିଷ୍ଟ ଏହି ବୀଣାର ନିର୍ମାଣ ପାଇଁ ୭୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। କଂସା ଏବଂ ଷ୍ଟେନଲେସ୍ ଷ୍ଟିଲ୍ରେ ଏହାର ନିର୍ମାଣ ହୋଇଛି। ପଦ୍ମ ପୁରଷ୍କାର ବିଜେତା ରାମ ସୁତାର ଏହି ବୀଣାର ଡିଜାଇନ୍ କରିଛନ୍ତି। ତେବେ ଏହି ସ୍ମୃତି ଛକରେ ବୀନା ସମେତ ଅନ୍ୟ ଶାସ୍ତ୍ରୀୟ ବାଦ୍ୟ ଯନ୍ତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ଏହି ଛକ ପର୍ଯ୍ୟଟକ ଓ ସଙ୍ଗୀତପ୍ରେମୀମାନଙ୍କ ପାଇଁ ଆକର୍ଷଣର ସ୍ଥାନ ହେବ ବୋଲି ପୂର୍ବରୁ ଉତ୍ତର ପ୍ରଦେଶର ସରକାରୀ ଅଧିକାରୀମାନେ କହିଥିଲେ। ଦେଶରେ ବିଶାଳ ବାଦ୍ୟଯନ୍ତ୍ରର ଏଭଳି ସ୍ଥାପତ୍ୟ ସ୍ଥାପନାରେ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା।