ସିବିଆଇ ନୋଟିସ ପରେ ବି ହାଜର ହେଲେନି ପଶ୍ଚିମବଙ୍ଗ ସିଆଇଡି ମୁଖ୍ୟ ରାଜୀବ କୁମାର। ସେ ବ୍ୟକ୍ତିଗତ କାମରେ ବର୍ତ୍ତମାନ ଛୁଟିରେ ଥିବାରୁ ସିବିଆଇ ସାମନାରେ ହାଜର ହେବା ପାଇଁ କୋଲକାତା ସିଆଇଡି ୩ଦିନର ମହଲତ ମାଗିଛି । ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚୁରା କରିବାକୁ ସିବିଆଇ ଯୋଜନା ରଖିଛି। ଏପରିକି ତାଙ୍କୁ ଗିରଫ ମଧ୍ୟ କରାଯିବାର ସମ୍ଭାବନା ଦେଖାଦେଇଛି ।
ରବିବାର ଦିନ ରାଜୀବଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା ସିବିଆଇ । ସେ ଦେଶ ଛାଡ଼ି ଯେମିତି ଯାଇ ନପାରିବେ ସେନେଇ ସମସ୍ତ ବିମାନବନ୍ଦର ଓ ବନ୍ଦରକୁ ସୂଚନା ଦିଆଯାଇଥିଲା। ରାଜୀବ କୁମାରଙ୍କୁ ସପ୍ତାହେ ସୁରକ୍ଷା ଦେଇଥିଲେ ସୁପ୍ରିମକୋର୍ଟ । ଯାହା ଗତ ୨୪ ତାରିଖରେ ଶେଷ ହୋଇଛି। ଏହାପରେ ତାଙ୍କୁ ଖୋଜୁଛି ପୋଲିସ। ସାରଦା ଚିଟଫଣ୍ଡ ମାମଲାରେ ରାଜୀବ କୁମାରଙ୍କ ନାଁରେ ତଥ୍ୟ ପ୍ରମାଣ ବଦଳ ଅଭିଯୋଗ ରହିଛି। ସେପଟେ ରାଜୀବ କୁମାର ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିପାରନ୍ତି ବୋଲି ଜଣାପଡ଼ିଛି।