ପାକିସ୍ତାନ: ବସ୍‌ ଓ ଆଖୁ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନର ପଞ୍ଜାବରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଲାହୋରଠାରୁ ପାଖାପାଖି ୪୦୦ କିମି ଦୂର ରହିମ୍‌ ୟାର୍‌ ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ସହ ଏକ ଯାତ୍ରୀବାହୀ ବସ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ବସ୍‌ରେ ମୋଟ ୧୮ ଜଣ ଯାତ୍ରୀ ଥିଲେ। ଅଧିକାରୀମାନଙ୍କ କହିବା ହେଲା, ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ସେମାନେ ସ୍ଥାନୀୟ ଲୋକଙ୍କ ସହ ମିଶି ଆହତମାନଙ୍କୁ ପାଖ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେଠାରେ ୧୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ବାକି ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଅଧିକାରୀମାନେ କହିଛନ୍ତି, ଯେଉଁ ଜାଗାରେ ଦୁର୍ଘଟଣା ଘଟିଛି, ସେଠାରେ ବର୍ଷା ପାଣି ରାସ୍ତା ଉପରେ ଜମି ରହିଥିଲା। ଏକ ବୟାନରେ କୁହାଯାଇଛି କି, ଦୁର୍ଘଟଣା ପରେ ଯାତ୍ରୀବାହୀ ବସ୍‌ଟି ଆଖୁ ଗଦା ତଳେ ଚାପି ହୋଇ ପଡ଼ିଥିଲା, ଯାହାଫଳରେ ଉଦ୍ଧାରକାରୀ ଦଳଙ୍କୁ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାରେ ଅନେକ ସମୟ ଲାଗିଥିଲା। ସୂଚନା ରହିଛି ଯେ ଟ୍ରାକ୍‌ ଚାଳକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.