ଆଜି ଭାରତ-ଚୀନ ମଧ୍ୟରେ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଆଜି ହେବ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା । ସୂଚନା ଅନୁସାରେ ଏଥରର କଥାବାର୍ତ୍ତା ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦିଆଯିବ । ଏପଟେ ଚୀନ ସେନାର କିଛି ପ୍ଲାଟୁନ ଅକସାଇ ଚୀନ ଅଞ୍ଚଳକୁ ଗତି କରିବା ଆରମ୍ଭ କରିଛନ୍ତି । ସେଠାରେ ସେମାନେ ବାର୍ଷିକ ସମରାଭ୍ୟାସ କରିବାର ସମ୍ଭାବନା ରହିଛି ।

୨୦୨୦ ଏପ୍ରିଲରେ ଚୀନ ସେନା ପୂର୍ବ ଲଦାଖ ଅଞ୍ଚଳରେ ଅଭ୍ୟାସ କରିବା ବାହାନାରେ ଆସି ଆଉ ପଛକୁ ଫେରିନଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ୨୦୨୦, ଜୁନ ୨୯ରେ ଗଲଓ୍ଵାନ ଘାଟିରେ ତାହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନ ପକ୍ଷର କିଛି ସୈନ୍ୟ ନିହତ ହୋଇଥିଲେ । ଏବର୍ଷ ମଧ୍ୟ ଚୀନ ଅଭ୍ୟାସ ଆରମ୍ଭ କରିବାକୁ ଯାଉଥିବାରୁ ତାହା ଉପରେ ଭାରତ ନଜର ରଖିଛି ।

ସେହିପରି ତିବ୍ଦତରେ ବି ଚୀନ ସେନା ନିଜର ଶକ୍ତି ବଢାଇ ଚାଲିଛି । ଗୋଟିଏ ପଟେ ଚୀନ ଭାରତକୁ କଥାବାର୍ତ୍ତାରେ ବ୍ୟସ୍ତ ରଖୁଥିବା ବେଳେ ଲଦାଖରେ ନିଜର ସାମରିକ ଭିତ୍ତିଭୂମିକୁ ଦୃଢ କରିଚାଲିଛି ଡ୍ରାଗନ । ଗତ ମାସରେ ହୋଇଥିବା ଚୀନର ପିପୁଲ୍ସ କଂଗ୍ରେସରେ ଲଦାଖରେ ଚୀନ ସେନାର କେତେକ ସାମରିକ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.