ପାଟିରେ ପବନ ଫୁଙ୍କି ସ୍ୱାମୀଙ୍କୁ ବଞ୍ଚାଇଲେ ସ୍ତ୍ରୀ! ଚଳନ୍ତା ଟ୍ରେନରେ ହଠାତ୍‌ ଆସିଥିଲା ହୃଦଘାତ; ଏମିତି ସାହାଯ୍ୟ କଲେ ଆର୍‌ପିଏଫ୍‌ ଯବାନ

ମଥୁରା ରେଳ ଷ୍ଟେସନରୁ ମାନବିକତାର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆରପିଏଫ (ରେଳ ସୁରକ୍ଷା ବଳ) ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜଣେ ରେଳ ଯାତ୍ରୀଙ୍କ ଜୀବନ ରକ୍ଷା ପାଇ ଯାଇଛି। ଚଳନ୍ତା ଟ୍ରେନରେ ଯାତ୍ରୀ ଜଣକ ହଠାତ୍‌ ହୃଦଘାତର ଶିକାର ହୋଇଥିଲେ। ଷ୍ଟେସନରେ ଟ୍ରେନ୍ ଅଟକିବା କ୍ଷଣି ତୁରନ୍ତ ସେହି ଯାତ୍ରୀଙ୍କୁ ପ୍ଲାଟଫର୍ମକୁ ଅଣାଯାଇଥିଲା, କିନ୍ତୁ ସେତେବେଳକୁ ସେ ନିଃଶ୍ୱାସ ପ୍ରଶ୍ୱାସ ଆଦୌ ବି ନେଇ ପାରୁ ନ ଥିଲେ। କେହି କିଛି ଭାବିବା ଆଗରୁ ଘଟଣାସ୍ଥଳରେ ବହୁତ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଏହି ସମୟରେ ଆରପିଏଫର ଜଣେ କନଷ୍ଟେବଳ ଅଶୋକ କୁମାର ସେଠାରେ ପହଞ୍ଚିଥିଲେ। ଯାତ୍ରୀଙ୍କ ଅବସ୍ଥା ଦେଖି ସେ ପରିସ୍ଥିତି ଆକଳନ କରି ନେଇଥିଲେ। କନଷ୍ଟେବଳ ଜାଣିବାକୁ ପାଇଥିଲେ କି, ଯାତ୍ରୀ ଜଣକ ହୃଦଘାତର ଶିକାର ହୋଇଛନ୍ତି। ଏହା ପରେ କନଷ୍ଟେବଳ ପୀଡ଼ିତଙ୍କ ପତ୍ନୀଙ୍କୁ ସ୍ୱାମୀଙ୍କ ମୁହଁରେ CPR (ପାଟି ବାଟେ ନିଃଶ୍ୱାସ ଦେବା) ଦେବାକୁ କହିଥିଲେ। ଯବାନଙ୍କ କଥା ଶୁଣି ପତ୍ନୀ ନିଜ ପାଟି ବାଟେ ସ୍ୱାମୀଙ୍କୁ ନିଃଶ୍ୱାସ ଦେଇଥିଲେ।

ସେଠି କନଷ୍ଟେବଳ ଜଣକ ଯାତ୍ରୀଙ୍କ ଛାତି ଦବାଇଥିଲେ, ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ଏହା ପରେ ଯାତ୍ରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ଆରପିଏଫ୍ ପ୍ରଭାରୀ ନିରୀକ୍ଷକ ଅଓ୍ଵଧେଶ ଗୋସ୍ୱାମୀ କହିଛନ୍ତି ଯେ ଆରପିଏଫ୍‌ ଯବାନ ମାନେ ଯାତ୍ରୀଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି।

ଏହି ଘଟଣା ଶୁକ୍ରବାର ରାତି ପାଖାପାଖି ୧୨ଟା ବେଳର। ଖବରରୁ ଜଣାପଡ଼ିଛି ଯେ ନିଜାମୁଦ୍ଦିନ ଥିରୁବନନ୍ତପୁରମ୍ ସୁପରଫାଷ୍ଟ ଏକ୍ସପ୍ରେସରେ ୬୭ ବର୍ଷୀୟ କେଶବନ ନିଜ ପତ୍ନୀ ଦୟାଙ୍କ ସହ କୋଚ୍ B4ରେ ଯାତ୍ରା କରୁଥିଲେ। ଚଳନ୍ତା ଟ୍ରେନରେ ହଠାତ୍‌ କେଶବନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ମଥୁରା ଜଙ୍କସନରେ ଟ୍ରେନ୍‌ ଅଟକିବା ମାତ୍ରେ କେଶବନଙ୍କୁ ପ୍ଲାଟଫର୍ମରେ ଓହ୍ଲାଇ ଦିଆଯାଇଥିଲା। ନିଃଶ୍ୱାସ ନେବାରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଥିଲା। ଏହାଦେଖି ଆଖା ପାଖର ଯାତ୍ରୀ ମାନେ ସେଠାରେ ଭିଡ଼ ଜମାଇଥିଲେ। କିଛି ଜଣ ବୁଝି ମଧ୍ୟ ପାରୁ ନ ଥିଲେ କି, ଏଠାରେ କ’ଣ ଚାଲିଛି।

ପ୍ଲାଟ ଫର୍ମରେ ଭିଡ଼ ଦେଖି ଆରପିଏଫ କନଷ୍ଟେବଳ ଅଶୋକ କୁମାର ଓ ନିରଞ୍ଜନ ସିଂ ସେଠାରେ ପହଞ୍ଚିଥିଲେ। କନଷ୍ଟେବଳ ଅଶୋକ କୁମାର ଯାତ୍ରୀଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ପରିସ୍ଥିତି ଅନୁମାନ କରି ନେଇଥିଲେ। ତାଙ୍କ କହିବା ପରେ କେଶବନଙ୍କ ପତ୍ନୀ ଦୟା ତାଙ୍କୁ ପାଟି ବାଟେ ନିଃଶ୍ୱାସ ଦେଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ଏଏସ୍‌ଆଇ ମଦନ ସିଂ ଆମ୍ବୁଲାନ୍ସ ଏବଂ ଷ୍ଟ୍ରେଚରର ବ୍ୟବସ୍ଥା କରାଇଥିଲେ। ଯାତ୍ରୀଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯବାନ ଦ୍ୱୟ ମାନବିକତାର ଏକ ଉଦାହରଣ ସୃଷ୍ଟି କରି ଚେନ୍ନାଇ ନିବାସୀ କେଶବନଙ୍କ ଜୀବନ ରକ୍ଷା କରିଥିଲେ। ଏଥିପାଇଁ ତାଙ୍କ ପତ୍ନୀ ଆରପିଏଫକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ଆଲୋଚନାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.