ପରିବାରକୁ ନିଶ୍ଚିହ୍ନ କରି ଦେଲା ଛୋଟ କଳହ, ୫ ଝିଅଙ୍କୁ ଧରି କୂଅକୁ ଡେଇଁ ପଡ଼ିଲା ମା’

ପାଞ୍ଚ ଝିଅଙ୍କୁ ଧରି କୂଅକୁ ଡେଇଁ ପଡ଼ିଲା ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାଠାରେ। ରିପୋର୍ଟ ମୁତାବକ, କୂଅକୁ ଡେଇଁବା ପରେ ୬ ଜଣ ଯାକଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମା’ ଓ ୫ ଝିଅଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏହି ଖବର ପ୍ରଚାରିତ ହେବା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

କୋଟା ଜିଲ୍ଲା ଗ୍ରାମୀଣ ଅତିରିକ୍ତ ପୋଲିସ ଅଧୀକ୍ଷକ ପାରସ ଜୈନ କହିଛନ୍ତି, ସ୍ୱାମୀଙ୍କ ସହ ଝଗଡ଼ା ଓ ଘରୋଇ କଳହ ଯୋଗୁ ମହିଳା ଜଣକ ଏମିତି କାଣ୍ଡ କରିଥିବା ଅନୁମାନ କରାଯାଉଛି। ମା’ ଓ ୫ ଝିଅ ଶନିବାର ବିଳମ୍ବିତ ରାତିରେ କୂଅକୁ ଡେଇଁ ପଡ଼ିଛନ୍ତି। ପାଣିରେ ବୁଡ଼ିବା କାରଣରୁ ସମସ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଜଣେ ମା’ କାହିଁକି ଏଭଳି ଚରମ ପଦକ୍ଷେପ ନେଇଛନ୍ତି, ଏବେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ରିପୋର୍ଟ ମୁତାବକ, ମା’ ଓ ଝିଅଙ୍କୁ ଚିହ୍ନଟ ହୋଇସାରିଛି। ମୃତକ ମହିଳା ହେଉଛନ୍ତି ଶିବଲାଲଙ୍କ ପତ୍ନୀ ବାଦାମ ବାଇ (୪୫)। ମୃତକଙ୍କ ମଧ୍ୟରେ ବାଦାମଙ୍କର ୧୪ ବର୍ଷର ଝିଅ ସାବିତ୍ରୀ, ୭ ବର୍ଷର ଝିଅ ଅଞ୍ଜଳୀ, ୫ ବର୍ଷର ଝିଅ କାଜଲ, ୩ ବର୍ଷର ଗୁଞ୍ଜନ ଓ ୧ ବର୍ଷର ଝିଅ ରଚନା ଅଛନ୍ତି। ସମସ୍ତଙ୍କ ଶବକୁ ପୋଲିସ କୂଅରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ତେବେ ପତ୍ନୀ ଓ ପିଲାଙ୍କ ମୃତ୍ୟୁ ପରେ ପୋଲିସ ଶିବଲାଲଙ୍କୁ ପଚରାଉଚରା କରୁଛି। ଅନ୍ୟପଟେ ବାଦାମୀଙ୍କ ଅନ୍ୟ ଦୁଇ ଝିଅ ଗାୟତ୍ରୀ ଓ ପୁନମ୍‌ ବାହାରେ ଥିବାରୁ ସେ ଦୁହେଁ ବଞ୍ଚିଯାଇଥିବା ଜଣାଯାଇଛି। ପୋଲିସ ସବୁ ଆଙ୍ଗେଲରୁ ମାମଲାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.