ସ୍କୁଲ ଯିବା ବେଳେ ରାସ୍ତାରେ ହେଉଥିଲା ଟ୍ରାଫିକ ଜାମ୍ : ଥାନାରେ ଅଭିଯୋଗ କଲେ ୬ ବର୍ଷର ଛାତ୍ର

ନୂଆଦିଲ୍ଲୀ : ଥାନାରେ ପହଞ୍ଚିଲା ଜଣେ ୬ ବର୍ଷର ଶିଶୁ । କଣ ପାଇଁ ଏହି ଶିଶୁଟି ଥାନାକୁ ଆସିଲେ ତାହାର କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ। ତେବେ ଶିଶୁଟି କୌଣସି ଅଭିଯୋଗ ନେଇ ଆସିଥିବାର କୁହାଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ୟୁକେଜିରେ ପଢ଼ୁଥିବା କାର୍ତ୍ତିକ ପୋଲିସ ଷ୍ଟେସନରେ ପହଞ୍ଚି ସ୍କୁଲ ନିକଟରେ ଟ୍ରାଫିକ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପିଲାଟି ପୋଲିସ ସହିତ କଥାବାର୍ତ୍ତା କରୁଛି ଏବଂ ତାଙ୍କ ଅଭିଯୋଗ ରଖିଛି।

ଶିଶୁଟି ଗୁରୁବାର ଦିନ ଚିତ୍ତୋର ଜିଲ୍ଲାର ପାଲାମାନରରେ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଥାନା ଅଧିକାରୀ ଏନ୍ ଭାସ୍କରଙ୍କୁ ଭେଟିବା ସହ ଅଭିଯୋଗ ଶୁଣାଇଥିଲେ । କୁନି ଶିଶୁ କାର୍ତ୍ତିକ କହିଥିଲେ ଯେ, ଟ୍ରାକ୍ଟର ଚଳାଚଳ କାରଣରୁ ସ୍କୁଲ ନିକଟସ୍ଥ ରାସ୍ତା ଜାମ ହେଉଛି । ଏପରିକି ରାସ୍ତାକୁ ଖୋଳି ଦିଆଯାଇଛି । ଯାହାଫଳରେ ଯିବା ଆସିବାରେ ଅସୁବିଧା ହେଉଛି । ତେଣୁ ଉକ୍ତ ସ୍ଥାନକୁ ଯିବା ସହ ଏହାର ସମାଧାନ କରିବାକୁ ଥାନା ଅଧିକାରୀଙ୍କୁ ନିବେଦନ କରିଥିଲେ କୁନି ଶିଶୁ ।

ଡ୍ୟୁଟି କରୁଥିବା ଅଧିକାରୀମାନେ ଶିଶୁର ଆତ୍ମବିଶ୍ୱାସରେ ପ୍ରଭାବିତ ହୋଇ ତାଙ୍କୁ ମିଠା ଖାଇବାକୁ ଦେଇଥିଲେ। ତାଙ୍କ ଅଭିଯୋଗର ଶୁଣାଣି ହେବ ଏବଂ ସମସ୍ୟାର ସମାଧାନ ହେବ ବୋଲି ଅଧିକାରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ଏପରିକି ନିଜର ମୋବାଇଲ ନମ୍ବର ମଧ୍ୟ କାର୍ତ୍ତିକକୁ ଦେଇଥିଲେ ଏନ୍ ଭାସ୍କର । ସ୍କୁଲ ଯିବା ସମୟରେ ଯଦି କୌଣସି ଅସୁବିଧା ହୁଏ ତେବେ ମୋବାଇଲ ନମ୍ବରରେ କଲ କରିବାକୁ ପିଲାଟିକୁ କହିଥିଲେ ଭାସ୍କର ।

ଅନ୍ୟପଟେ ଭାସ୍କର କହିଛନ୍ତି, ସ୍କୁଲ ନିକଟରେ ଡ୍ରେନ୍ କାମ ଚାଲୁଥିବା କାରଣରୁ ରାସ୍ତା ଜାମ ହେଉଥିଲା । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଥିଲା । କିନ୍ତୁ ଏହାକୁ ଏଡାଇବାକୁ ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଯେହେତୁ ଏହା ବ୍ୟସ୍ତବହୁଳ ରୁଟ୍, ତେଣୁ କୌଣସି କାର୍ଯ୍ୟ ହେଲେ ଟ୍ରାଫିକ ସମସ୍ୟା ଉପୁଜିବା ସ୍ୱାଭାବିକ ।ପୋଲିସର କହିବା ଅନୁଯାୟୀ, ଏହି ସମସ୍ୟାର ଶୀଘ୍ର ସମାଧାନ ହେବ। କର୍ମଚାରୀମାନେ ଶୀଘ୍ର ଡ୍ରେନ୍ କାମ ଶେଷ କରିବା ପରେ ଏହି ରାସ୍ତାକୁ ସପୂର୍ଣ୍ଣ ଭାବେ ଖୋଲିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.