କେବଳ କରୋନା ନୁହେଁ ମୃତ୍ୟୁ ଜଗି ବସିଛି ଅନେକ ରୂପରେ

ଇଏ କଣ ଘଟୁଛି ଭାରତରେ ? ବର୍ଷେ ପରେ ବି କରୋନା ନେଇ ଚାଲିଛି ଜୀବନ । ମୃତ୍ୟୁ ସଂଖ୍ୟା ଲକ୍ଷ ଟପି ନିୟୁତ ଆଡ଼କୁ ଆଗାଉଛି । ନା ଡାକ୍ତର ନା ବିଶେଷଜ୍ଞ କେହି ବି ରୋକି ପାରୁନାହାନ୍ତି । ଜୀବିକା ପାଇଁ ବାହାରକୁ ଗଲେ ବିପଦ, ଘରେ ବିନା ରୋଜଗାରରେ ରହିଲେ ତାଠାରୁ ଆହୁରି ବିପଦ । କାରଣ ପେଟକୁ ଦାନା ଗଣ୍ଡେ ମିଳିଲେ ତ କରୋନା ଭୟ ମନକୁ ଆସିବ ? ପେଟ ଚିନ୍ତା ଆଗରେ ମୃତ୍ୟୁର ଭୟ ବି ଛୋଟ ହୋଇଯାଏ । ଗତଥର ଏହି ଅଦୃଶ୍ୟ ଶତ୍ରୁ ବିଷୟରେ ଆମେ ଜାଣି ନଥିଲେ । ତେଣୁ ଯାହା କୁହାଗଲା, ଯେଉଁ ବିଷୟରେ ସଚେତନ କରାଗଲା ତାକୁ ମାନି ଚଳିଲୁ । ପ୍ରଥମ କରୋନାର ପ୍ରଭାବ କମିବା ପରେ ନିଶ୍ଚିନ୍ତ ହୋଇଗଲୁ ଯେ ଜୀବନ ବଞ୍ଚିଗଲା । ହେଲେ କେବେବି ଭାବିଲୁ ନାହିଁ, ଏହି ଭାଇରସ୍‌ ସମ୍ପୂର୍ଣ୍ଣ ଭାବେ ବିଦା ହୋଇନାହିଁ । ତେଣୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତାକୁ ମାନିବା ଛାଡ଼ିଦେଲୁ । ଆଉ ଏବେ ଆସିଛି କରୋନାର ଦ୍ୱିତୀୟ ଲହରୀ । ଏବେ ଏସବୁକୁ ମାନିବା କଷ୍ଟକର ହେଉଥିଲେ ମଧ୍ୟ ଅନେକ ମାନୁଛନ୍ତି ଆହୁରି ଅନେକ ମାନୁ ନାହାନ୍ତି । ନମାନିବା ଫଳରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

କରୋନା ଭ୍ୟାକସିନ ବା ଟିକା ସିନା ବାହାରିଲା ହେଲେ ଏଥିରୁ କେତେ ଲାଭ ମିଳୁଛି ତାକୁ ନେଇ ସମସ୍ତେ ସନ୍ଦେହ ଭିତରେ । କାରଣ ଟିକା ନେବା ପରେ ବି ପୁଣି ସଂକ୍ରମଣର ଶିକାର ହୋଇଛନ୍ତି ଲୋକେ । ଅନ୍ୟପଟେ ପୂର୍ବଥର ଭଳି ଏଥର ବିଭିନ୍ନ ରାଜ୍ୟରେ ଚିକିତ୍ସା କିମ୍ବା କୋଭିଡ ସେଣ୍ଟରର ବ୍ୟବସ୍ଥା ହୋଇନାହିଁ ।

corona vaccine
image credit: business standard

ତେବେ ଏ ସବୁତ କୋଭିଡ୍‌ ଆକ୍ରମଣର କଥା । ହେଲେ ତା ଭିତରେ ଅନ୍ୟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କିଛି କମ୍‌ ନୁହେଁ । ମହାରାଷ୍ଟ୍ରରେ ଲାଗ ଲାଗ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ନାସିକରେ ଅକ୍‌ିସିଜେନ ଦୁର୍ଘଟଣା ଏବଂ ମୁମ୍ବାଇରେ କୋଭିଡ ହସପିଟାଲରେ ନିଆଁ ଲାଗି ରୋଗୀଙ୍କର ମୃତ୍ୟୁ ହୋଇଛି । ପୁଣି ଦିଲ୍ଲୀରେ ଅକ୍ସିଜେନ୍‌ ବିନା ୨୫ରୁ ଅଧିକ ଲୋକଙ୍କର ମତ୍ୟୁ ଘଟିଛି । ଲାଗୁଛି ଯେମିତି ମୃତ୍ୟୁ କେଉଁ ପଟେ ବି ମଣିଷକୁ ଛାଡ଼ିବା ଲାଗି ନାରାଜ । ଏମିତି ଭାବନା ବି ଆସୁଛି କି କୋଭିଡ୍‌ ଆକ୍ରନ୍ତଙ୍କ ପାଇଁ ଡାକ୍ତରଖାନା ବି ସୁରକ୍ଷିତ ନୁହେଁ । ଏସବୁକୁ ଛାଡ଼ି ଦୁର୍ଘଟଣା, ଅଗ୍ନିକାଣ୍ଡ ଆଦିରେ ମଧ୍ୟ ଲୋକଙ୍କ ମୃତ୍ୟୁ ସଂଖ୍ୟା କିଛି କମ୍‌ ନୁହେଁ ।

ତେବେ ଏଭଳି ସଂକଟଜନକ ପରିସ୍ଥିତିରେ କେବଳ ନିଜ ଜୀବନକୁ ଆପଣ ନିଜେ ହିଁ ବଞ୍ଚାଇ ପାରିବେ । ନିଜେ ଯଦି ସମର୍ଥ ତେବେ ସତର୍କ ରହିବା ହିଁ ଠିକ୍‌ ହେବ । ଆଉ ଯଦି ଅସମର୍ଥ ତେବେ କେବଳ ଈଶ୍ଵରଙ୍କ ଦୟା ଉପରେ ନିର୍ଭର କରିବେ । କାରଣ ସାରା ବିଶ୍ୱକୁ ଛାଡ଼ନ୍ତୁ, ଭାରତରେ ଏବେ ହାହାକାର ପରିସ୍ଥିତି । ଯାହାକୁ ରୋକି ପାରିବା କେବଳ ଆମେ । ଆମର ଶୃଙ୍ଖଳା ଏବଂ ନୀତି ଦ୍ୱାରା ହିଁ ପୂର୍ବଥର ଭଳି ବର୍ତ୍ତିଯିବା । ଅବଶ୍ୟ ଏଥର ବି ଅନେକ ପରିଜନଙ୍କୁ ହରାଇବାକୁ ପଡ଼ିଲାଣି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଏବେ ଯାହାବି ଅଛି ସେଥିରେ କରୋନାକୁ ନିୟନ୍ତ୍ରଣ କରିହେବ । ଅବଶ୍ୟ ଏଥିରେ କେବଳ ସରକାର ସଚେତନ ହେଲେ ଚଳିବ ନାହିଁ, ଆମ ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ । କାରଣ ଏଥି ସମସ୍ତଙ୍କ ପଛରେ ଲାଗିଛି କରୋନା । କାହାକୁ ବି ଆକ୍ରମଣ କରି ପାରେ ।

corona death

ସବୁ କଥା ମଣିଷ ହାତରେ ନଥାଏ, ଏହି ଉକ୍ତିଟି ଗତ ଥର କରୋନା ବେଳେ ସ୍ପଷ୍ଟ ହୋଇ ସାରିଛି । ତେଣୁ ନିଜେ ସତର୍କ ରହି ନିଜ ପରିବାରକୁ ସଚେତନ ରଖି ନିଜ କର୍ତ୍ତବ୍ୟ କରିଯିବା ହିଁ ଠିକ୍‌ ହେବ । ତେବେ ମଣିଷ ଅବହେଳାରୁ ଯେଉଁ ବିରାଟ ତ୍ରୁଟି ହେଉଛି ଓ ଜୀବନ ଯାଉଛି, ସେଥିପାଇଁ ତ ଅଭିଯୁକ୍ତକୁ ଦଣ୍ଡ ମିଳିବା ନିହାତି ଜରୁରୀ । କାରଣ କୋହଳ ଆଇନ୍‌ କାନୁନ ଯୋଗୁଁ ଆମର ନିଜ କର୍ତ୍ତବ୍ୟ ପ୍ରତି ରହିଥିବା ମନୋଭାବରେ ଧୂଳି ବସିଗଲାଣି ।

କରୋନା ଭଳି ବିପତ୍ତି ଆଗରୁ ବି ଆସିଛି, ଆଗକୁ ବି ଆସିବ । ହେଲେ ମଣିଷ ଲଢ଼େଇ କରି ବଞ୍ଚିଛି ଆଉ ବଞ୍ଚିଥିବ । କେବଳ ସକାରାତ୍ମକ ଚିନ୍ତାଧାରା, ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ ହିଁ ଆମକୁ ଏହି ଭାଇରସ୍‌ କବଳରୁ ବଞ୍ଚାଇ ପାରିବ । କାରଣ ଯେଉଁ ରୋଗର ନିର୍ଦ୍ଦିଷ୍ଟ ଉପଚାର ବାହାରି ପାରିନାହିଁ, ଯାହାକୁ ଠଉରାଇବା କଷ୍ଟ ହେଉଛି । ତାଠାରୁ ଦୂରେଇ ରହିବା ହିଁ ଏକମାତ୍ର ମାର୍ଗ । ଅବଶ୍ୟ ଏହି ସମୟରେ ଅନେକ ଗୁଜବ ମଧ୍ୟ ପ୍ରଚାର ହେଉଛି । ତେଣୁ ସତର୍କ ରହି ସେଥିରୁ ମଧ୍ୟ ବର୍ତ୍ତିବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.