ଲଜ୍ଜା: ଶୌଚାଳୟ ଭିତରେ ଖେଳାଳିଙ୍କୁ ଦିଆଯାଉଛି ଖାଦ୍ୟ, ଭିଡିଓ ଭାଇରାଲ ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଖେଳାଳିମାନଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଏହି ଭିଡିଓରେ ଖେଳାଳିମାନଙ୍କ ଭୁଲ କିମ୍ବା ସେମାନଙ୍କ ଦ୍ୱାରା କିଛି ଲଜ୍ଜାଜନକ କାର୍ଯ୍ୟ ହୋଇନାହିଁ । ବରଂ ଷ୍ଟେଟ ଲେବଲ ଖେଳାଳିଙ୍କ ପ୍ରତି ସରକାରଙ୍କ ଯୋଜନା ଏବଂ ବ୍ୟବସ୍ଥା ହିଁ ରାଜ୍ୟ ପାଇଁ ଲଜ୍ଜାର କାରଣ ପାଲଟି ଯାଇଛି ।

ଖବର ଅନୁସାରେ ଡାକ୍ତର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ବିଭିନ୍ନ ଜିଲ୍ଲାର ୩୦୦ରୁ ଅଧିକ ବାଳିକା ଖେଳାଳି ଆସିଥିଲେ କିନ୍ତୁ ଏଠାରେ ଏମାନଙ୍କୁ ଦିଆଯାଇଥିବା ଖାଦ୍ୟ ନିମ୍ନମାନର ଥିବା ବେଳେ ଏହାର ରୋଷେଇ ପ୍ରଣାଳୀ ମଧ୍ୟ ଖୁବ ଅବ୍ୟବସ୍ଥାରେ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଖେଳାଳିମାନଙ୍କୁ ଖାଦ୍ୟ ପ୍ୟାକେଟ କରି ଟଏଲେଟରେ ରଖାଯାଇଥିଲା । ଦୁର୍ଗନ୍ଧ ଯୋଗୁଁ ଏହି ସ୍ଥାନରେ ଠିଆ ହେବା କଷ୍ଟକର ହେଉଥିବା ବେଳେ ଏଠାରେ ରାଜ୍ୟସ୍ତରୀୟ ଖେଳାଳିମାନଙ୍କୁ ଖାଇବା ପାଇଁ ଦିଆଯାଇଛି । ବର୍ତ୍ତମାନ ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୁହାଯାଉଛି ଯେ ସେମାନଙ୍କୁ ଅପରାହ୍ନରେ ଅଧା ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା। ଶୌଚାଳୟ ଚଟାଣରେ ଏକ ବଡ଼ ଥାଳିରେ ଭାତ ରଖା ଯାଇଥିଲା। ଭାଲି ଭାତ ନୁହେଁ, ବରଂ ଶୌଚାଳୟ ମଧ୍ୟରେ ପୁରୀ, ସାଲାଡ଼ ଆଦି ଥୁଆ ହୋଇଥିବାର ବି ନଜର ଆସିିଛି। ଖେଳାଳିଙ୍କ ପାଇଁ ଯାହା କିଛି ଖାଦ୍ୟ ପ୍ରସ୍ତୁତ ହେଉଥିଲା, ତାହା ଶୌଚାଳୟରେ ପ୍ରସ୍ତୁତ କରାଯାଇଥିଲା। ଅନେକ ଖେଳାଳି ଶୌଚାଳୟରେ ଦୁର୍ଗନ୍ଧ ମଧ୍ୟରେ ଠିଆ ହୋଇ ଖାଦ୍ୟ ଖାଇଥିଲେ।

ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନର ହୋସ ଉଡ଼ିଯାଇଥିଲା। ଏହାପରେ କ୍ରୀଡାମନ୍ତ୍ରୀ ମାମଲାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟସ୍ତରୀୟ ଖେଳାଳିମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।ଉତ୍ତରପ୍ରଦେଶ ସରକାର ସାହାରନପୁର ଜିଲ୍ଲାର କ୍ରିଡ଼ା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.