ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ରୌପ୍ୟ ନଗରୀ: ଭସାଣି ଉତ୍ସବ ପାଇଁ ପତାକା ତିଆରିରେ ବ୍ୟସ୍ତ ଦରଜି ପରିବାର

କଟକ (କେନ୍ୟୁଜ):  ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ରୌପ୍ୟ ନଗରୀ କଟକ ପୂଜା ପାଇଁ ଏବେ ଚଳଚଞ୍ଚଳ। ପୂଜା ସହିତ ଜଡିତ ବ୍ୟବସାୟୀ ମାନେ ଚଳିତ ବର୍ଷ କିଛି ରୋଜଗାର କରିପାରିବେ । ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ସମସ୍ତ ବ୍ୟବସାୟୀ ହାତ ବାନ୍ଧି ବସି ରହିଥିଲେ। ହେଲେ ଏ ବର୍ଷ ସ୍ଥିତି ବଦଳିଛି। ଶାରଦୀୟ ଦୁର୍ଗାପୂଜା ପରେ ଭାଷାଣି ଉତ୍ସବ ବହୁ ଆଡମ୍ବର ସହ ପାଳନ କରାଯାଏ। ଧାଡ଼ିକି ଧାଡି କରି ମେଢ଼ ସବୁ ବିସର୍ଜନ ପାଇଁ ଯାଇଥାନ୍ତି । ଦୁଇ ପୂଜା କମିଟିର ମେଢ଼ ଶୋଭାଯାତ୍ରା କେଉଁ ଠାରୁ ଆରମ୍ଭ ଓ କେଉଁଠି ଶେଷ ଜାଣିବାକୁ ହେଲେ ଦେଖେଣାହାରି ମାନେ ବିଭିନ୍ନ ରଙ୍ଗର ପତାକାକୁ ଦେଖି ଜାଣିଥାନ୍ତି । ସେଥି ଲାଗି ପ୍ରାୟ ପ୍ରତ୍ୟେକ ପୂଜା କମିଟି ଭଷାଣି ଶୋଭାଯାତ୍ରା ଆଗରେ ପତାକା ରଖିଥାନ୍ତି। ଆଉ ଏଇ ପତାକା ଗୁଡିକ ବହୁତ ବଡ଼ ବଡ଼ ହୋଇଥାଏ। ଏହି ପତାକା ତିଆରି କରିବାରେ ଏବେ ବ୍ୟସ୍ତ କଟକରେ ଥିବା ଦରଜି ପରିବାର। ଏମିତି ଅନେକ ଦରଜି ପରିବାର ରହିଛନ୍ତି ଯେଉଁ ମାନେ ପିଢି ପରେ ପିଢି ପତାକା ତିଆରି କରି ଆସୁଛନ୍ତି।

ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠେ ରୋୖପ୍ୟ ନଗରୀ କଟକ ସହର। ସବୁ ବର୍ଗର ବ୍ୟବସାୟୀ ଭଲ ଦି ’ ପଇସାର ବ୍ୟବସାୟ କରିବାକୁ ସୁଯୋଗ ପାଆନ୍ତି। ଭଷାଣୀ ଉତ୍ସବରେ ଲାଗୁଥିବା ପତାକା ପାଇଁ ଏବେ କଟକ ଚାନ୍ଦିନୀଚୌକ ଦରଜି ସାହିର ସନ୍ତୋଷ ମହାରଣାଙ୍କ ପରିବାର ଦିନ ରାତି ଲାଗି ପଡିଛନ୍ତି। ପୂଜା ପାଇଁ ପତାକା ତିଆରି କରି ଏହି ପାର୍ବଣ ସମୟରେ ଭଲ ଦି ପଇସା ରୋଜଗାର କରିଥାନ୍ତି। ପରିବାରର ସମସ୍ତ ସଦସ୍ୟ ପତାକା ତିଆରିରେ ଏବେ ଭାରି ବ୍ୟସ୍ତ ଅଛନ୍ତି। ପତାକାର ଲମ୍ବ ପ୍ରାୟ ୧୦ ଫୁଟ ରହିଥାଏ। ପାର୍ବଣ ସମୟରେ ଏହାକୁ ସିଲାଇ କରି ଦରଜି ପରିବାର ମାନେ ପୂଜା କମିଟି ମାନଙ୍କୁ ଦେଇଥାନ୍ତି।ପୂଜା ଆସିଲେ ପ୍ରାୟ ୨ ଶହ ପତାକା ତିଆରି କରିବା ପାଇଁ ଅର୍ଡର ପାଇଥାନ୍ତି ସନ୍ତୋଷ । ଏହାର ସାଇଜ୍ ୪ ଫୁଟ୍‌ରୁ ଆରମ୍ଭ କରି ୧୦ ଫୁଟ୍ ପର୍ଯ୍ୟନ୍ତ ରହିଥାଏ । ଗଣେଶ ପୂଜା ଠାରୁ ଆରମ୍ଭ କରି କାର୍ତ୍ତିକେଶ୍ଵର ପୂଜା ପର୍ଯ୍ୟନ୍ତ ସନ୍ତୋଷ ଓ ତାଙ୍କ ସିଲାଇ ମେସିନ୍ ଫୁରସତ୍ ପାଆନ୍ତି ନାହିଁ । ଗୋଟିଏ ପତାକାକୁ ୫୦୦ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ପତାକାର ସାଇଜ ନେଇ ବିକ୍ରି କରିଥାନ୍ତି ସନ୍ତୋଷ।

puja 2

ସନ୍ତୋଷଙ୍କ ପରିବାର ପ୍ରାୟ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ପାର୍ବଣରେ ବିଭିନ୍ନ ପୂଜା କମିଟିକୁ ବଡବଡ ପତାକା ତିଆରି କରି ଯୋଗାଇ ଆସୁଛନ୍ତି । ସନ୍ତୋଷଙ୍କ ଜେଜେ ବାପା ସ୍ବର୍ଗତ ଉପେନ୍ଦ୍ର ମହାରଣାଙ୍କ ସମୟରୁ ପ୍ରାୟ ପୂଜା କମିଟି ତାଙ୍କୁ ପତାକା ଗଢିବା ପାଇଁ ଦେଇଥାନ୍ତି।ଉପେନ୍ଦ୍ରଙ୍କ ପରେ ସନ୍ତୋଷଙ୍କ ବାପା ସ୍ଵର୍ଗତ ଶ୍ରୀଧର ମହାରଣା ଏହି କାମ କରୁଥିଲେ । ବାପା ଥିବା ସମୟରୁ ସନ୍ତୋଷ ଏହି କାମରେ ନିଜକୁ ନିୟୋଜିତ କରିଥିଲେ । ବାପାଙ୍କ ପରେ ସନ୍ତୋଷ ଏବେ ପରିବାରର ସହଯୋଗ ନେଇ ବିଭିନ୍ନ ପୂଜା କମିଟି ପାଇଁ ପତାକା ତିଆରି କରୁଛନ୍ତି । ଏହି କାମରେ ତାଙ୍କୁ ତାଙ୍କ ମା, ଭାଇ , ଭଉଣୀ , ପତ୍ନୀ ସହଯୋଗ କରିଥାନ୍ତି । ପତାକାର ଉଲ ଝୁମ୍ପା, ଇସକାଲଵ , ବକ୍ରମ ପେଷ୍ଟିଙ୍ଗ ଆଦି କାମ ପରିବାର ଲୋକ ମିଶିକି କରି ଦେଇଥାନ୍ତି । ଫ୍ରି ସମୟରେ ସମୟ ନଷ୍ଟ ନକରି ପରିବାର ଲୋକ ସନ୍ତୋଷଙ୍କୁ ପତାକା କାମରେ ସାହାଯ୍ୟ କରିଥାନ୍ତି।

ସନ୍ତୋଷଙ୍କ ପରିବାର କହିଛନ୍ନ୍ତି ଯେ ପୂଜା ସମୟରେ ଟିକେ ଭଲ କାମ ମିଳିଥାଏ।। ଭଲ ରୋଜଗାର ବି ହେଇଥାଏ। କିନ୍ତୁ ବର୍ତ୍ତମାନ ସିଲେଇ କାମରେ , ପେଟ ପୋଷିବା ଏବେ ମୁସ୍କିଲ ହେଲାଣି । ରେଡିମେଡ୍ ପୋଷାକ ବଜାରରେ ମିଳୁଥିବାରୁ ଥିବାରୁ ଲୋକେ ତିଆରି କରି ପିନ୍ଧିବା ପ୍ରାୟ କମାଇ ସାରିଲେଣି। କିନ୍ତୁ ବର୍ଷର ଏହି ତିନି ଚାରି ମାସ ବିଭିନ୍ନ ପୂଜା କମିଟି ଓ କ୍ଲବ୍‌ମାନଙ୍କ ପାଇଁ ପତାକା ତିଆରି କାମ ମିଳିଯାଏ । ଫଳରେ ଦି ’ ପଇସା ରୋଜଗାର କରିବାକୁ ସୁଯୋଗ ମିଳିଥାଏ ଓ ଆମ ପରିବାର ପ୍ରତି ପୋଷଣ ହେଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.