ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

ବିହାରରେ ଟ୍ରେନ୍‌ ଭିତରେ ଟିଟିଇଙ୍କୁ ପୋଲିସର ବର୍ବରତା। ଟିକେଟ୍‌ ମାଗିବାରୁ ଟିଟିଇଙ୍କୁ ନିର୍ଦ୍ଧୁମ୍‌ ପିଟିଲେ ପୋଲିସ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଥିବା ଟିଟିଇଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସ କର୍ମୀଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିବା ଦେଖାଯାଇଛି।

ଭାଗଲପୁର-ଦାନାପୁର ଇଣ୍ଟରସିଟି ଏକ୍ସପ୍ରେସରେ ଜିଆରପିର ପୋଲିସଙ୍କ ସମେତ ୫ ଜଣ ପୋଲିସ କର୍ମୀଙ୍କ ବିରୋଧରେ ମାରପିଟ୍‌ କରିଥିବା ନେଇ ଅଭିଯୋଗ କରିଛନ୍ତି ଟିଟିଇ। ଏସି ବଗିରେ ମୁତୟନ ଥିବା ଟିଟିଇ ଦିନେଶ କୁମାର ସିଂହ କହିଛନ୍ତି, ମୁଁ କେବଳ ଟିକେଟ୍‌ ବିଷୟରେ ପୋଲିସଙ୍କୁ ପଚାରିଥିଲି। ଏହି କଥାରେ ସେମାନେ ରାଗି ଯାଇ ମୋତେ ମାରପିଟ୍‌ କରିଥିଲେ। ଏହା ପରେ ସେମାନଙ୍କର ଆଉ ୪ ଜଣ ସହଯୋଗୀ ପୋଲିସ କର୍ମୀ ମଧ୍ୟ ମତେ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ଏହି ଘଟଣା ବୁଧବାରର ବୋଲି କୁହାଯାଉଛି।

ଟିଟିଇ ଦିନେଶ କୁମାର ସିଂହ କହିଛନ୍ତି- ପ୍ରଥମେ ପୋଲିସ ସୁନୀଲ କୁମାର ତାଙ୍କୁ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ଟ୍ରେନ୍‌ ବଖ୍‌ତିୟାରପୁର ଷ୍ଟେସନରେ ପହଞ୍ଚିବାରୁ ସେଠାରେ ଆଉ କିଛି ପୋଲିସ କର୍ମୀ ଆସିଥିଲେ। ସେମାନେ ମଧ୍ୟ ମୋତେ ଲାତ ବିଧା ମାରିଥିଲେ। ଟିଟିଇଙ୍କ ମୁତାବକ, ଟ୍ରେନ୍‌ ଭିତରେ ବହୁତ ଯାତ୍ରୀ ଥିଲେ। କିନ୍ତୁ କେହି ବି ତାଙ୍କୁ ରକ୍ଷା କରିନଥିଲେ। ସେମାନେ ସେମିତି ତାଙ୍କୁ ଅମାନୁଷିକ ଭାବେ ପିଟି ଚାଲିଥିଲେ।

ଭାଗଲପୁର-ଦାନାପୁର ଇଣ୍ଟରସଟି ଏକ୍ସପ୍ରେସ୍‌ରେ ଟିଟିଇ ଦିନେଶ କୁମାର ସିଂହଙ୍କ ସହ ହୋଇଥିବା ଏହି ଦୁର୍ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ପୀଡ଼ିତ ଟିଟିଇ ଏ ନେଇ ବାଢ଼ ରେଳ ଷ୍ଟେସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଅଭିଯୁକ୍ତ ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

କୁହାଯାଉଛି ଯେ ସିଟ୍‌ ବିଷୟରେ ପଚାରିବାରୁ ପୋଲିସମାନେ ରାଗିଯାଇଥିଲେ। ତେବେ ପୋଲିସ ଏହି ପୂରା ଘଟଣାର ତଦନ୍ତ କରୁଛି। ରେଳ ବିଭାଗର ଅଧିକାରୀ ମଧ୍ୟ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି।

Also Read: ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ଲଣ୍ଡନରେ ପ୍ରସାରିତ କରୁଥିବା କମ୍ପାନୀ ଉପରେ ୩୫ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ବ୍ରିଟିଶ୍‌ କୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.