ଧରାକୋଟଗଡ଼ର ନିଆରା ଘୋଷଯାତ୍ରା : ଏଠାରେ ରଥଯାତ୍ରାର ଦିନକ ପରେ ଗଡ଼େ ମହାପ୍ରଭୁଙ୍କ ରଥ, ଛେରାପହଁରା କରନ୍ତି ରାଜଜେମା

ଭକ୍ତ ଓ ଭଗବାନଙ୍କ ମିଳନର ଉତ୍ସବ ହେଉଛି ରଥଯାତ୍ରା। ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରକୁ ଆସି ଘୋଷ ଯାତ୍ରା କରିଥାନ୍ତି। ଦୀର୍ଘ ୯ ଦିନ ଧରି ଯାତ୍ରା ଚାଲିଥାଏ। ଏ ଅବସରରେ ଦୂର ଦୁରାନ୍ତରୁ ଭକ୍ତମାନେ ଆସି ରଥରେ ଠାକୁରଙ୍କୁ ଦେଖିବା ସହିତ ପାପରୁ ମୁକ୍ତ ହୋଇଥାନ୍ତି। ରାଜ୍ୟରେ ସବୁ ଜଗନ୍ନାଥ ମନ୍ଦିରରେ ବାହୁଡା ଦିନ ରଥରେ ବସି ଠାକୁରମାନେ ବଡ଼ ଦେଉଳକୁ ଆସିଥାନ୍ତି, କିନ୍ତୁ ଧରାକୋଟ ଗଡରେ ବ୍ଯତିକ୍ରମ ଦେଖିବାକୁ ମିଳେ। ଏଠାରେ ଦଶମୀରେ ନୁହେଁ ବରଂ ଏକାଦଶୀ ଦିନ ରଥ ଟଣାଯାଏ, ଏହି ଦିନ ଯୁବରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରୂପା ପାଲିଙ୍କିରେ ବସି ରଥକୁ ଯାଇ ବିଧି ମୁତାବକ ପୂଜା କରିଥାନ୍ତି।

ଆଜିକାଲି ପ୍ରତ୍ୟେକ ସହରରେ ରଥଯାତ୍ରା ପାଳିତ ହେଉଛି, କିନ୍ତୁ ରାଜରାଜୁଡା ଗଡରେ ରଥ ଯାତ୍ରା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୁଏ। ଏହି ଯାତ୍ରାରେ ରାଜା ଠାକୁରଙ୍କ ସମସ୍ତ ନୀତି କାନ୍ତି ସମାପନ କରିଥାନ୍ତି। ଶହଶହ ବର୍ଷ ଧରି ଏହି ପରମ୍ପରା ରହି ଆସିଛି। ଗଡଜାତ ରାଜ୍ଯମାନଙ୍କରେ ଥିବା ପରମ୍ପରା ଆଜି ବି ବଞ୍ଚିରହିଛି। ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗଡଜାତ ମଧ୍ୟରୁ ଧରାକୋଟ ଗଡରେ ନିଆରା ରଥଯାତ୍ରା ଦେଖିବାକୁ ମିଳେ। ଧରାକୋଟ ଗଡରେ ଗୁଣ୍ଡିଚା ପରଦିନ ରଥଟଣା ହୋଇଥାଏ, ସେହିଭଳି ବାହୁଡା ପରଦିନ ଏକାଦଶୀ ତିଥିରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଅନ୍ୟ ସବୁସ୍ଥାନରେ ରାଜା କିମ୍ବା ମୁଖ୍ଯ ପୁରୋଧା ଠାକୁରଙ୍କ ଆଦ୍ୟ ସେବକ ହୋଇଥିବା ବେଳେ ଧରାକୋଟ ଗଡ ସମେତ ଯାଜପୁର ଜିଲ୍ଲାର ଗଡମଧୁପୁରରେ ମହିଳା ରାଜା ଠାକୁରଙ୍କ ସେବକ ରୂପେ ସୂଚାରୁ ରୂପେ ସମସ୍ତ କାମ କରିଥାନ୍ତି।

Dharakote

ଧରାକୋଟର ରାଜା କିଶୋର ସିଂହଙ୍କ ଦେହାନ୍ତ ପରେ ତାଙ୍କ ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ୧୪ ବର୍ଷ ବୟସରେ ରାଜ ସିଂହାସନ ଆରୋହଣ କରିଥିଲେ। ଏଠାରେ ଏକାଦଶୀ ତିଥିରେ ବାହୁଡା ଯାତ୍ରା ସମାପନ ହୋଇଛି। ଏ ଅବସରରେ ରୀତିନୀତି ଅନୁସାରେ ଠାକୁରଙ୍କ ପୂଜା ସମାପନ ହୋଇଥିଲା, ପରେ ଅପରାହ୍ନରେ ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରାଜା ବେଶରେ ଭଉଣୀ ଶାନ୍ତି ପ୍ରିୟା ଗୀତାଞ୍ଜଳି ଓ ପାତ୍ର, ମନ୍ତ୍ରୀ, କଟୁଆଳ, ସେନାପତି ତଥା ପାରିଷଦ ବର୍ଗଙ୍କ ସହିତ ରୂପା ତାମଯାନରେ ବସି ରଥ ପାଖରେ ପହଞ୍ଚିଥିଲେ, ସେଠାରେ ରାଣୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। କୋଭିଡ୍ ପାଇଁ ଗତ ଦୁଇ ବର୍ଷ ହେବ ରଥଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଜମିଥିଲା।

ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କିଟ୍ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ା ଶେଷ କରିବା ପରେ ମା’ ନନ୍ଦିନୀ ଦେବୀଙ୍କ ସହିତ ରାଜନୀତିରେ ସଂଶ୍ଲିଷ୍ଟ ହୋଇଥିଲେ। ଏବେ ସେ ଧରାକୋଟ ବ୍ଲକର ଚେୟାରମ୍ୟାନ ରୂପେ କାମ କରୁଛନ୍ତି। ରାଜନୀତି କରିବା ସହିତ ରାଣୀ ସୁଲକ୍ଷଣା ଗୀତାଞ୍ଜଳି ଏବେ ଦେବ ନୀତି ମଧ୍ୟ ସୂଚାରୁ ରୂପେ ତୁଲାଉଛନ୍ତି। ଦେବ ନୀତି ସମ୍ପନ୍ନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି କହିଛନ୍ତି ରାଣୀ।

Also Read: ଚା’ ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ପେଟରେ ହୋଇପାରେ ବିଷକ୍ରିୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.