ଇଭିଏମ୍ ଦାମ୍ କେତେ ? ଜାଣନ୍ତୁ ଇଭିଏମ୍କୁ ନେଇ କିଛି ଜରୁରୀ କଥା

ଦେଶରେ ଖସୁଛି ପାରଦ, କିନ୍ତୁ ବଢ଼ିଚାଲିଛି ନିର୍ବାଚନୀ ପାରା । ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ମାହୋଲ ସରଗରମ । ଏଥିସହ ଓଡ଼ିଶାରେ ବି ହେବ ତ୍ରିସ୍ତରୀୟ ପଂଚାୟତ ଭୋଟ୍ । ଛକ ଛକରେ ଗାଁ ଗାଁରେ ଚର୍ଚ୍ଚା ଆଲୋଚନା ଓ ନିର୍ବାଚନୀ ତାତି । ଇଭିଏମ୍ ଜରିଆରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଜନତା । ତେବେ ଏହି ଭୋଟିଂ ମେସିନ୍ଇଭିଏମ୍କୁ ନେଇ ଆପଣ କ’ଣ ଜାଣିଛନ୍ତି ? ଜାଣିଛନ୍ତି କି ଏହାର ମେକାନିଜମ୍ ? କେମିତି, କେଉଁଥିରେ ଚାଲେ ଓ ସବୁଠୁ ବଡ଼ କଥା ଏହାର ଦାମ୍ କେତେ ? ଯେଉଁ ଇଭିଏମ୍କୁ ନେଇ ଏକଦା ଅନେକ ଚର୍ଚ୍ଚା, ଆଲୋଚନା, ବିବାଦ ଓ ରାଜନୀତି ମୁଣ୍ଡ ଟେକିଥିଲା । ଚାଲନ୍ତୁ ଏହାକୁ ନେଇ ଜାଣିବା କିଛି ତଥ୍ୟ ।

ଇଭିଏମ୍ କ’ଣ ?
ଇଭିଏମ୍ ପୂରା ନାଁ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ୍ । ଇଭିଏମ୍ ଦୁଇଟି ୟୁନିଟରେ ତିଆରି । ଗୋଟିଏ କଣ୍ଟ୍ରୋଲ ୟୁନିଟ୍, ଆରଟି ବ୍ୟାଲେଟିଂ ୟୁନିଟ୍ । ଯେବେ ଆପଣ ଭୋଟ୍ ଦେବାକୁ ଯାଆନ୍ତି ନିର୍ବାଚନ ଅଧିକାରୀ ବ୍ୟାଲେଟ୍ ମେସିନ ଜରିଆରେ ଭୋଟିଂ ମେସିନ୍ ଅନ୍ କରନ୍ତି । ଏହି ୟୁନିଟ୍ରେ ପ୍ରାର୍ଥୀଙ୍କ ନାଁ ଲେଖାଯାଏ । ଯାହାଙ୍କ ଭିତରୁ କାହାକୁ ବି ଆପଣ ଚୟନ କରନ୍ତି ଭୋଟ୍ ଦେବାକୁ । ତେଣୁ ଏ ପୂରା ସେଟ୍କୁ କୁହାଯାଏ ଇଭିଏମ୍ , ଯାହାଦ୍ବାରା ହୋଇଥାଏ ଭୋଟିଂ ।

ଇଭିଏମ୍ ଦାମ୍ କେତେ ?
ନିର୍ବାଚନ କମିସନଙ୍କ ଓ୍ବେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏମ୍-୨ ଇଭିଏମ୍ ଜରିଆରେ ନୋଟା ସମେତ ସର୍ବାଧିକ ୬୪ ପ୍ରାର୍ଥୀଙ୍କୁ ନେଇ ଭୋଟ୍ ହୋଇପାରିବ । ଏହାସହ ୪ଟି ଭୋଟିଂ ମେସିନ୍ ସଂଯୋଗ କରାଯାଇପାରିବ । ଯାହା ୨୦୦୬ରୁ ୨୦୧୦ ମସିହା ଭିତରେ ନିର୍ମିତ ହୋଇଥିଲା । ଏମ୍-୨ ଇଭିଏମ୍ ଦାମ୍ ୟୁନିଟ୍ ପିଛା ୮ହଜାର ୬୭୦ଟଙ୍କା ନେଇ ଉଲ୍ଲେଖ ରହିଛି । ଏମ୍-୩ ଇଭିଏମ୍ ଜରିଆରେ ୨୪ଟି ଭୋଟିଂ ଡିଭାଇସ୍ ସଂଯୋଗ କରାଯାଇପାରିବ । ଏଥିରେ ନୋଟା ସମେତ ସର୍ବାଧିକ ୩୮୪ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ କରାଯାଇପାରିବ । ଏହାର ଦାମ୍ ୟୁନିଟ୍ ପିଛା ୧୭ହଜାର ଟଙ୍କା ପାଖାପାଖି ହୋଇଥାଏ । ଏହାର ଦାମ୍ ଅଧିକ ଲାଗୁଥିଲେ ବି ବ୍ୟାଲେଟ୍ ପେପରରେ ପୂର୍ବରୁ ହେଉଥିବା ମତଦାନ ତୁଳନାରେ ଏଥିରେ ଖର୍ଚ୍ଚ କମ୍ ହୋଇଥାଏ ।

କେମିତି ଚାଲେ ଇଭିଏମ୍ ?
ବ୍ୟାଟେରୀ ଦ୍ବାରା ଚାଲେ ଇଭିଏମ୍, ତେଣୁ କରେଣ୍ଟ ନଥିବା ସମୟରେ ବି ହୋଇପାରିବ ମତଦାନ । ଏହା ବି ଆଶ୍ବସ୍ତ କରାଯାଇଛି ଯେ, ନୀଳ ରଙ୍ଗର ସୁଇଚ୍ ଟିପିବା ବେଳେ କୌଣସି ବି କରେଣ୍ଟ ଖାଇବେ ନାହିଁ ମତଦାତା ।

କେତେଦିନ ଡାଟା ଷ୍ଟୋର୍ ରଖିପାରିବ ଇଭିଏମ୍ ?
କେତେଦିନ ଧରି ଡାଟା ଷ୍ଟୋର ରହିପାରିବ ଇଭିଏମରେ ଏହା ଏକ ବଡ଼ ପ୍ରଶ୍ନ । ଏମିତି ହୁଏନି ତ ଯଦି କୌଣସି ଭୋଟ୍ଦାନ ପରେ ଡାଟା ଉଡ଼ିଯିବ ? କଣ୍ଟ୍ରୋଲ ୟୁନିଟ୍ର ଡାଟାର ପରିମାଣ ଅନୁସାରେ ଡିଭାଇସରେ ଡାଟା ଷ୍ଟୋର ରହିପାରିବ । ଯେପର୍ଯ୍ୟନ୍ତ ଡାଟା କ୍ଲିୟର କରାନଯାଇଛି, ସେପର୍ଯ୍ୟନ୍ତ ଇଭିଏମରେ ତଥ୍ୟ ସୁରକ୍ଷିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.