କୋହଲିଙ୍କ ୪୦ତମ ଦିନିକିଆ ଶତକ, ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ୨୫୧ ରନ୍‌ର ଲକ୍ଷ୍ୟ

ନାଗପୁର : କୋହଲିଙ୍କ ୪୦ତମ ଦିନିକିଆ ଶତକ ବଳରେ ଦ୍ୱିତୀୟ ଦିନିକିଆରେ ଭାରତ ସ୍କୋର କରିଛି ୨୫୦ ରନ୍‌ । ତେବେ କମିନ୍ସ ଓ ଜମ୍ପାଙ୍କ ବୋଲିଂ ଆକ୍ରମଣରେ ଭାରତୀୟ ଦଳ ୪୮.୨ ଓଭରରେ ଅଲଆଉଟ୍‌ ହୋଇଯାଇଛି । କୋହଲି ଓ ବିଜୟ ଶଙ୍କରଙ୍କ ବ୍ୟତୀତ ଆଉ କେହି ଓ୍ଵିକେଟ୍‌ରେ ତିଷ୍ଠି ପାରିଲେ ନାହିଁ ।

ପ୍ରଥମ ମ୍ୟାଚ୍‌ ହାରିଥିବା ଅଷ୍ଟ୍ରେଲିଆକୁ ଏବେ ଓଭର ପିଛା ୫.୧୭ ହାରରେ ସ୍କୋର କରିବାକୁ ପଡ଼ିବ । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ । ତେବେ ସ୍କୋରବୋର୍ଡ଼ରେ କିଛି ସଂଖ୍ୟା ଲେଖାଯିବା ପୂର୍ବରୁ ଓପ୍ନର ତଥା ଉପଅଧିନାୟକ ରୋହିତ ଶର୍ମା ପାଭିଲିଅନ୍‌ ଲେଉଟି ସାରିଥିଲେ । ସେ ମ୍ୟାଚ୍‌ର ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ କମିନ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ରୋହିତଙ୍କ କ୍ୟାଚ୍‌ ଧରିଥିଲେ ଆଡାମ୍‌ ଜାମ୍ପା । ଆଉ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଇନିଂସ୍‌ରେ ପୂରା ଛାଇ ଯାଇଥିଲେ ଜାମ୍ପା ଓ ପେସ୍‌ ବୋଲର୍‌ କମିନ୍ସ । ତେବେ ପୂର୍ବରୁ ବାରମ୍ବାର କୋହଲିଙ୍କୁ ଆଉଟ୍‌ କରିଥିବାରୁ ଜାମ୍ପା ଓ କୋହଲିଙ୍କ ମଧ୍ୟରେ ଭଲ ଲଢ଼େଇ ହୋଇଥିଲା । ଏଥର କିନ୍ତୁ ଜିତି ପାରିନଥିଲେ ଜାମ୍ପା । ସେ ଗତ ୯ଟି ମ୍ୟାଚ୍‌ରେ କୋହଲିଙ୍କୁ ୪ଥର ଆଉଟ୍‌ କରିଛନ୍ତି ।

ରୋହିତଙ୍କ ପରେ କୋହଲିଙ୍କୁ ଅଳ୍ପ ସାଥ୍‌ ଦେଇଥିଲେ ଶିଖର ଧବନ (୨୧) ଓ ଅମାବାତି ରାୟୁଡୁ । ତେବେ ଜାମ୍ପାଙ୍କ ଦ୍ୱାରା ରନ୍‌ଆଉଟ୍‌ ହେବା ପୂର୍ବରୁ ବିଜୟ ଶଙ୍କର ୪୬ ରନ୍‌ (୪୧ ବଲ୍‌, ୫ ଚୌକା ଓ ୧ ଛକା) କରି ସ୍କୋରକୁ ୭୫ରୁ ୧୫୬ରେ ପହଞ୍ଚାଇଥିଲେ । ଏହା ପରେ କୁଲଦୀପ ଯାଦବ (୧୧) ଓ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂହ ଧୋନି (୦)ଙ୍କୁ ନିଜ ଶିକାର ବନାଇଥିଲେ ଜାମ୍ପା । ମ୍ୟାଚ୍‌ର ୩୨ତମ ଓଭରରେ ଲଗାତର ଦୁଇଟି ବଲ୍‌ରେ ସେ ଏହି ଦୁଇ ବ୍ୟାଟ୍‌ସମ୍ୟାନଙ୍କ ଓ୍ଵିକେଟ୍‌ ଦଖଲ କରିଥିଲେ ।

ତେବେ ଏସବୁ ଭିତରେ ଚାଲିଥିଲା କୋହଲିଙ୍କ ସଂଗ୍ରାମ । ଶେଷ ଭାଗରେ ରବୀନ୍ଦ୍ର ଜାଡେଜା (୨୧)ଙ୍କୁ ସାଥୀ କରି କିଛି ବାଟ ଆଗେଇ ଥିଲେ । ଜାଡେଜା ୪୦ ବଲ୍‌ ଖେଳି ଗୋଟିଏ ବି ଚୌକା ମାରିନଥିଲେ । ହେଲେ ଅଷ୍ଟମ ଓ୍ଵିକେଟ୍‌ରେ କୋହଲିଙ୍କ ସହ ୬୭ ରନ୍‌ ଯୋଗ କରିଥିଲେ ।

AUSTRALIA-1

ଶେଷରେ ୪୮ତମ ଓଭର ପ୍ରଥମ ବଲ୍‌ରେ କମିନ୍ସଙ୍କୁ ଛକା ମାରିବାକୁ ଯାଇ କୋହଲି ଆଉଟ୍‌ ହୋଇଥିଲେ । ସେ ୧୨୦ ବଲ୍‌ରେ ୧୧୬ ରନ୍‌ (୧୦ ଚୌକା) ସ୍କୋର କରିଥିଲେ । ସେ ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ଥିଲା ୨୪୮ ରନ୍‌ । ଏହି ସମୟରେ ମାତ୍ର ୨ ରନ୍‌ ଭିତରେ ୩ଟି ଓ୍ଵିକେଟ୍‌ ପଡ଼ି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୪ଟି ଏବଂ ଜାମ୍ପା ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ସ୍କୋର : ଭାରତ-୨୫୦ ୪୮.୨ ଓଭର (ରୋହିତ ୦, ଧବନ୍‌ ୨୧, କୋହଲି ୧୧୬, ରାୟୁଡୁ ୧୮, ବିଜୟ ଶଙ୍କର ୪୬, କେଦାର ଯାଦବ ୧୧, ଧୋନି ୦, ଜାଡେଜା ୨୧, କୁଲଦୀପ ଯାଦବ ୩, ସାମି ଅପରାଜିତ ୨, ବୁମରା ୦ ।
କମିନ୍ସ ୯-୨-୨୯-୪, ଜାମ୍ପା ୧୦-୦-୬୨-୨) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.