ବେକାର ଗଲା ବିରାଟଙ୍କ ୪୧ ତମ ଦିନିକିଆ ଶତକ, ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ

ରାଞ୍ଚି : ବିରାଟ୍‌ ଦ ଫାଇଟର୍‌ । ଖୁବ୍‌ ଲଢ଼ିଲେ ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆର ୩୧୩ ରନ୍‌ ସ୍କୋରକୁ ଜବାବ ଦେବା ଲାଗି ୪୧ତମ ଦିନିକିଆ ଶତକ କଲେ । ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁଁ ଭାରତ ତୃତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ହାରିଗଲା । ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସିରିଜ୍‌କୁ ଫେରିଛି । ୫ ମ୍ୟାଚ୍‌ର ସିରିଜ ଏବେ ୨-୧ ସ୍ଥିତରେ ରହିଛି । ୩୧୪ ରନ୍‌ର ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଦଳ ୪୮.୨ ଓଭରରେ ୨୮୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା ।

KOHLI CENTURYମାତ୍ର ୨୭ ରନ୍‌ରେ ୩ଟି ଓ୍ଵିକେଟ୍‌ ପଡ଼ିଯିବା ପରେ ଧୋନି (୨୬), କେଦାର ଯାଦବ (୨୬) ଏବଂ ବିଜୟ ଶଙ୍କରଙ୍କୁ ସାଥୀ କରି ୨୦୦ ରନ୍‌ ପାର୍‌ କରିଥିଲେ । ଓଭର୍‌ କମି ଆସୁଥିଲା ରନ୍‌ ହାର ବଢ଼ି ଚାଲିଥିଲା । ତଥାପି କୋହଲି ଲଢ଼େଇ ଜାରି ରଖିଥିଲେ । ତେବେ ଶେଷରେ ତାଙ୍କୁ ତାଙ୍କର ଶତ୍ରୁ ପାଲଟିଥିବା ଲେଗସ୍ପିନର ଆଡାମ ଜାମ୍ପାଙ୍କ ବଲ୍‌ରେ ଓ୍ଵିକେଟ୍‌ ଦାନ କରିବାକୁ ପଡ଼ିଥିଲା । କୋହଲି ମାତ୍ର ୯୫ ବଲ୍‌ରେ ୧୨୩ ରନ୍‌ (୧୬ ଚୌକା, ୧ ଛକା) କରିତିଲେ । ଶତକ ହାସଲ କରିବା ପରେ ଜାମ୍ପାଙ୍କ ବଲ୍‌ରେ ଏକ ଛକା ମାରି ବ୍ୟାଟ୍‌କୁ ଚୁମ୍ବନ ଦେଇଥିଲେ । ହେଲେ ଶେଷରେ ସେଇ ଜାମ୍ପା ତାଙ୍କୁ କ୍ଲିନ୍‌ ବୋଲଡ କରିଥିଲେ । କୋହଲି ୩୮ତମ ଓଭରରେ ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ଥିଲା ୨୧୯ ରନ୍‌ । ଏହାପରେ ବିଜୟ ଶଙ୍କର ଓ ଜାଡେଜା ମିଶି ସ୍କୋରକୁ ୨୫୦ ରନ୍‌ ଟପାଇ ଦେଇଥିଲେ । ହେଲେ ଦଳକୁ ଜିତାଇ ପାରି ନଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ କରିଥିଲା । ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍‌ ସଂଗ୍ରହ କରିଥିଲେ । ଫର୍ମକୁ ଫେରିଥିବା ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ୯୩ ରନ୍‌ କରିିଥିଲେ । ଫିଞ୍ଚ୍‌ ୯୯ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ତେବେ ଉସମାନ୍‌ ଖ୍ଵାଜା ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ସେ ୧୦୪ ରନ୍‌ (୧୧୩ ବଲ୍‌, ୧୧ ଚୌକା ଓ ୧ ଛକା) କରିଥିଲେ । ଏମାନଙ୍କ ପରେ ଗ୍ଲେନ୍‌ ମାକ୍ସେଓ୍ଵଲ୍‌ଙ୍କ ୩୧ ବଲ୍‌ରେ ୪୭ ରନ୍‌ (୩ ଚୌକା ଓ ୩ ଛକା), ଷ୍ଟୋଇନିସ୍‌ ଅପରାଜିତ ୩୧ ଓ କାରେ ଅପରାଜିତ ୨୧ ରନ୍‌ କରି ଦଳୀୟ ସ୍କୋରକୁ ୩୦୦ ରନ୍‌ ଟପାଇ ଦେଇଥିଲେ । ଭାରତ ପକ୍ଷରୁ ସଫଳ ବୋଲର୍‌ ଭାବେ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ସ୍କୋର : ଅଷ୍ଟ୍ରେଲିଆ-୩୧୩/୫, ୫୦ ଓଭର (ଫିଞ୍ଚ ୯୩, ଖ୍ଵାଜା ୧୦୪, ମାକ୍ସେଓ୍ଵଲ୍‌ ୪୭, ଷ୍ଟୋଇନିସ୍‌ ଅପରାଜିତ ୩୧, କାରେ ଅପରାଜିତ ୨୧ । କୁଲଦୀପ ଯାଦବ ୧୦-୦-୬୪-୩) ।
ଭାରତ-୨୮୧/୪୮.୨ ଓଭର (କୋହଲି ୧୨୩, ଧୋନି ୨୬, କେଦାର ଯାଦବ ୨୬, ବିଜୟ ଶଙ୍କର ୩୨, ଜାଡେଜା ୨୪ । କମିନ୍ସ ୮.୨-୧-୩୭-୩, ଜାମ୍ପା ୧୦-୦-୭୦-୩, ରିଚାର୍ଡ଼ସନ୍‌ ୯-୨-୩୭-୩)

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.