ବିଶ୍ୱକପ୍‌ ସେମିଫାଇନାଲ୍‌ ଗଣିତ, ଭାରତ ହାତରେ ପାକିସ୍ତାନର ସେମିଫାଇନାଲ୍‌ ଚାବି କାଠି

ଆଇସିସି ବିଶ୍ୱକପ୍‌ ୨୦୧୯ ଏବେ ଶେଷ ଭାଗରେ । ସେମିଫାଇନାଲ୍‌ ପର୍ଯ୍ୟାୟ ଚୂଡ଼ାନ୍ତ ହେବାକୁ ଯାଉଛି । ଗତକାଲି ନ୍ୟୁଜିଲାଣ୍ଡକୁ ୮୬ ରନ୍‌ରେ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆରୋନ୍‌ ଫିଞ୍ଚଙ୍କ ଦଳ ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରି ସାରିଛି । ବର୍ତ୍ତମାନ ୮ଟି ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୧୪ ପଏଣ୍ଟ ହାସଲ କରି ସାରିଛି । ଦ୍ୱିତୀୟରେ ଥିବା ଭାରତ ଏବଂ ତିନି ନମ୍ବରରେ ରହିଥିବା ନ୍ୟୁଜିଲାଣ୍ଡ ଉଭୟ ୧୧ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ତେବେ ଏହି ଦୁଇ ଦଳ ଭିତରେ ଫରକ ଏଇଆ ଯେ ଭାରତ ରନ୍‌ ହାରରେ ନ୍ୟୁଜିଲାଣ୍ଡ ଠାରୁ ଆଗରେ ରହିଛି ଏବଂ ତା ଠାରୁ ଦୁଇଟି ମ୍ୟାଚ୍‌ କମ୍‌ ଖେଳିଛି । ୬ଟି ମ୍ୟାଚ୍‌ ଖେଳିଥିବା ଭାରତ ଏଯାଏ ଅପରାଜେୟ ରହିଛି । ନ୍ୟୁଜିଲାଣ୍ଡ ଭାଗ୍ୟ ଭଲ ଯେ ଭାରତ ସହ ମୁକାବିଲା ବର୍ଷା ଯୋଗୁଁ ବାତିଲ ହେବାରୁ ଏହା ସହ ପଏଣ୍ଟ ଭାଗ କରିଥିଲା ।
ତେବେ କଥା ହେଉଛି ଚତୁର୍ଥ ନମ୍ବରରେ ଥିବା ପାକିସ୍ତାନ ୯ ଓ ପଞ୍ଚମରେ ରହିଥିବା ଇଂଲଣ୍ଡ ୮ ପଏଣ୍ଟରେ ଅଛନ୍ତି । ଆଜି ଭାରତ ସହ ମୁକାବିଲାରେ ଯଦି ଇଂଲଣ୍ଡ ହାରିଯାଏ ତେବେ ଏହା ପାଇଁ ସେମିଫାଇନାଲ୍‌ ରାସ୍ତା ପୂରା ମୁସ୍କିଲ ହୋଇଯିବ । ତେବେ ଭାରତ ଜିତିଲେ ପାକିସ୍ତାନ ପାଇଁ ସୁବିଧା ହେବ । ଏହାର ସେମିଫାଇନାଲ୍‌ ଆଶା ଆଉ ଟିକେ ବଢ଼ିଯିବ । ତେଣୁ ଆଜି ପାକିସ୍ତାନ ଟିମ୍‌ ଓ ଏହାର ସମର୍ଥକମାନେ ଭାରତକୁ ସମର୍ଥନ ଦେବେ ।
ଆଗାମୀ ସମୟରେ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍‌ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଅଷ୍ଟ୍ରେଲିଆ ସେମିଫାଇନାଲ୍‌ରେ ପହଞ୍ଚି ସାରିଥିବା ବେଳେ ଭାରତର ସେମିଫାଇନାଲ୍‌ ପ୍ରବେଶ ନେଇ ବିଶେଷ ବାଧା ନାହିଁ । ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ଏହି ରାଉଣ୍ଡରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି । ତେଣୁ ସେମାନଙ୍କ ମ୍ୟାଚ୍‌ ଜିତିଲେ ଶେଷ ଦଳ ଭାବେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରୁ ଗୋଟିଏ ଟିମ୍‌ ସେମିରେ ପହଞ୍ଚିବ ।
ଅନ୍ୟପକ୍ଷରେ ପାକିସ୍ତାନର ପୂର୍ବତନ ଖେଳାଳି ଯେଉଁ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ଭାରତ ଜାଣିଶୁଣି ହାରିଯିବ ତାର କିଛି ଆଧାର ନାହିଁ । ତାଙ୍କ ଅନୁସାରେ ଭାରତ ଯଦି ସର୍ବାଧିକ ପଏଣ୍ଟ ପାଇ ତାଲିକା ଶୀର୍ଷରେ ରହେ ତେବେ ସେମିଫାଇନାଲ୍‌ରେ ଚତୁର୍ଥ ଦଳ ପାକିସ୍ତାନ (ଯଦି ଯାଏ)କୁ ଭେଟିବ । ସେମିରେ ପାକିସ୍ତାନକୁ ନ ଭେଟିବା ଲାଗି ଭାରତୀୟ ଦଳ ବାଂଲାଦେଶ ଠାରୁ ହାରିଯିବ ଏବଂ ଦ୍ୱିତୀୟ ଦଳ ଭାବେ ସେମିରେ ତାଲିକାର ତୃତୀୟ ଦଳକୁ ମୁକାବିଲା କରିବ । ହେଲେ ଏସବୁ କଳ୍ପନା ଜଳ୍ପନାକୁ ଟିମ୍‌ ଇଣ୍ଡିଆ ଗୁରୁତ୍ୱ ଦେଇ ନାହିଁ । କାରଣ ପ୍ରତି ମ୍ୟାଚ୍‌କୁ ଜିତିବା ପାଇଁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।

WC POINT TABLE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.