ଟିମ୍‌ ଇଣ୍ଡିଆକୁ ଝଟକା, ଦୀପକଙ୍କ ପରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡିଲେ ସୂର୍ଯ୍ୟକୁମାର ଯାଦବ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତାକାଲିରୁ ଲକ୍ଷ୍ମୌରେ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇ ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟି-୨୦ ସିରିଜ୍‌ରେ ଦୀପକଙ୍କୁ ଆଘାତ ଲାଗିଥିଲା। ଆଉ ଏବେ ଦୀପକଙ୍କ ପରେ ଧୂଆଁଦାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦନ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ୩-୦ରେ ଜିତିଥିବା ଟୁର୍ଣ୍ଣାମେଣ୍ଟ ହିରୋ ସୂର୍ଯ୍ୟକୁମାର ଯାଦବ ଏବେ ନିଜ ହାତର ହେୟାରଲାଇନ ଫ୍ୟାକ୍ଚର ଯୋଗୁଁ ଏହି ସିରିଜରୁ ବାଦ୍‌ ପଡିଛନ୍ତି।

ଦୀପକ ଚହରଙ୍କ ଡାହାଣ ଜଙ୍ଘର ମାଂସପେଶୀ ଟାଣି ଧରିଥିଲା। ଏବେ ସେ ଦଳର ବାୟୋ ବବଲ ଛାଡି ଦେଇଛନ୍ତି। ଦୀପକ ଚହର ଏବେ ଜାତୀୟ କ୍ରିକେଟ୍ ଏକାଡେମୀ ଯିବେ ଏବଂ ସେଠାରେ ୫ ରୁ ୬ ସପ୍ତାହ ରିହାବିଲିଟେସନରେ ରହିବେ। କୋଲକାତାରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ସମୟରେ ଦୀପକ ଚହର ବୋଲିଂ ଦେବା ସମୟରେ ତାଙ୍କ ଜଙ୍ଘର ମାଂସପେଶୀ ଟାଣି ଧରିଥିଲା। ଏହି କାରଣରୁ ସେ ନିଜର ଓଭର ପୂରା କରି ପାରିନଥିଲେ ଏବଂ ଉକ୍ତ ମ୍ୟାଚ୍‌ରୁ ବାହାରି ଯାଇଥିଲେ।

ଏବେ ଟିମ୍‌ ଇଣ୍ଡିଆକୁ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବା ଟିକେ ମହଙ୍ଗା ହୋଇପାରେ। ଦୀପକ ଚହର ଏବଂ ସୂର୍ଯ୍ୟକୁମାର ଯାଦବ ବାଦ୍‌ ପଡିବା ପରେ ଟିମ୍‌ରେ କିଏ ଏଣ୍ଟ୍ରି କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂର୍ଯ୍ୟକୁମାର ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାନ ଅଫ ଦ ସିରିଜ ଟାଇଟଲ ନିଜ ନାମରେ କରିଥିଲେ।

ଶ୍ରୀଲଙ୍କା ବିପକ୍ଷରେ ଟି –୨୦ ସିରିଜ ମ୍ୟାଚ, ୨୪ ଫେବୃଆରୀ, ୨୬ ଫେବୃଆରୀ ଏବଂ ୨୭ ଫେବୃଆରୀକୁ ଖେଳାଯିବ। ଓ୍ଵେଷ୍ଟଇଣ୍ଡିଜକୁ ୩-୦ରେ ମାତ୍‌ ଦେଇଥିବା ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ଠାରୁ ମଧ୍ୟ ଟି-୨୦ ସିରିଜ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ।

ଟି-୨୦ ପାଇଁ ଟିମ୍‌ ଇଣ୍ଡିଆ:

ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଶନ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଯଶପ୍ରୀତ ବୁମରା(ଉପ ଅଧିନାୟକ), ଅଭେଶ ଖାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.