ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌, ଖେଳାଳିଙ୍କ ଯୋଗ୍ୟତା ପରଖିବେ ଦ୍ରାବିଡ ଓ ରୋହିତ

ଟି-୨୦ବିଶ୍ୱକପ୍‌ ହାରିବା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ଏହି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜକୁ ନୂଆ ଭାବେ ଆରମ୍ଭ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ମଇଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ଟିମ୍‌।

ଆଇପିଏଲରେ ଜୋରଦାର ପ୍ରଦର୍ଶନ କରିଥିବା ଭେଙ୍କେଟେଶ ଆୟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ନଜର ଆସିବ। ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଆୟର ଫିଟ୍‌ କି ନୁହେଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ଜଣାପଡିବ। ସେହିପରି ଆଇପିଏଲରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଯେଉଁ ଖେଳାଳିମାନଙ୍କୁ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରେ ଋତୁରାଜ ଗାଏକ୍ୱାଡ, ହର୍ଷଲ ପଟେଲ, ଆବେଶ ଖାନ ଏବଂ ୟଜୁବେନ୍ଦ୍ର ଚହଲ ସାମିଲ ରହିଛନ୍ତି। ଚହଲ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିବା ବିବାଦ ଘେରରେ ରହିଥିଲେ।

ଜସପ୍ରୀତ ବୁମରାହ ଏହି ସିରିଜ ପାଇଁ ଆରାମ୍‌ ଦିଆଯାଇଛି। ତେଣୁ ଏହି ସିରିଜରେ ଆବେଶ ଏବଂ ମହମ୍ମଦ ସିରାଜଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଭୁବନେଶ୍ୱର କୁମାର ୟୁଏଏଇରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ତାଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି। ତେଣୁ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ ଅଷ୍ଟ୍ରେଲିଆର ପରିସ୍ଥିତି ଧ୍ୟାନରେ ରଖି ଖେଳାଳିଙ୍କ ଯୋଗ୍ୟତା ପରଖିବେ। ବିରାଟ କୋହଲିଙ୍କର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ରୋହିତ ହିଁ ଟି-୨୦ ଟିମ୍‌ର ଦାୟିତ୍ୱ ସମ୍ଭାଳିବେ ।

ମ୍ୟାଚ ବିଷୟରେ ଦେଖିବାକୁ ଗଲେ, ଗତ ଦୁଇ ଦିନର ପରିସ୍ଥିତି ଅନୁଯାୟୀ ଜୟପୁରରେ ସଂପ୍ରତି ରାତି ୭ଟାରୁ କାକର ପଡ଼ିବା ଆରମ୍ଭ ହୋଇଯାଉଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଖାପାଖି ସେହି ସମୟରେ ଆରମ୍ଭ ହେବାର ଥିବାରୁ କୌଣସି ଦଳ ଫାଇଦାରେ ରହିବେନି। ଅର୍ଥାତ୍ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କଲେ ମଧ୍ୟ ବିଶେଷ ଫାଇଦାରେ ରହିବନି।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା( ଅଧିନାୟକ) , କେଏଲ୍‌ ରାହୁଲ (ଉପ ଅଧିନାୟକ) , ଋତୁରାଜ ଗାଏକ୍ୱାର୍ଡ, ଶ୍ରେୟସ ଆୟର , ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ , ଇଶାନ କିଶନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ , ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚାହର, ହର୍ଷଲ ପଟେଲ, ମୋହମ୍ମଦ ସିରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.