୧୮ ଦିନର ସସ୍‌ପେନ୍ସ ଶେଷ : ଥାଇଲାଣ୍ଡର ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ଉଦ୍ଧାର ହେଲେ ସମସ୍ତ ୧୩ ଜଣ

thailand rescue

ଥାଇଲାଣ୍ଡ୍ :  ୧୮ ଦିନର ସସ୍‌ପେନ୍ସ ଶେଷ। ମିଶନ୍‌ କେଭ୍‌ ରେସ୍‌କ୍ୟୁ ସକ୍‌ସେସ୍‌ । ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ସମସ୍ତ ୧୩ ଜଣ ଉଦ୍ଧାର । ଏହା ଚମତ୍କାରୀତା ନା ବିଜ୍ଞାନ, ଜଣାନାହିଁ । କିନ୍ତୁ ସମସ୍ତ ୧୩ ଜଣ ଉଦ୍ଧାର ହୋଇଥିବା ଥାଇଲାଣ୍ଡ ନେଭି କହିଛି । ଆଜି ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ତୃତୀୟ ଦିନର ଉଦ୍ଧାର ଅଭିଯାନ । ଗୁମ୍ଫା ଭିତରକୁ ଯାଇଥିଲେ ୧୯ ଜଣ ବୁଡ଼ାଳି । ରବିବାର ଓ ସୋମାବର ଦିନ ୪ ଜଣ ଲେଖାଏଁ, ଦୁଇଦିନରେ ୮ଜଣଙ୍କୁ ଗୁମ୍ଫାରୁ ବାହାର କରାଯାଇଥିଲା । ବାକିଥିଲେ ୪ ବାଳକଙ୍କ ସହ ଜଣେ କୋଚ୍‌ । ଶେଷଦିନରେ ପ୍ରଥମେ ବାହାରିଥିଲା ଜଣେ ବାଳକ, ଏହାପରେ ଦୁଇ ଜଣ, ଶେଷରେ ବାହାରିଥିଲେ ଆଉ ଦୁଇ। ଏହାସହ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । ତିନି ଦିନର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ୯୦ ଜଣ ବିଶେଷଜ୍ଞ ।

ଜଣେଜଣେ ବାଳକଙ୍କୁ ଦୁଇ ଜଣ ଲେଖାଏଁ ବୁଡ଼ାଳି ସାଥିରେ ଧରି ଆସୁଥିଲେ । ସେମାନଙ୍କୁ ଗୁମ୍ଫା ରାସ୍ତାରେ ଏକ ବେସ୍‌ କ୍ୟାମ୍ପ କରି ରଖାଯାଉଥିଲା । ଉପସ୍ଥିତ ରହୁଥିଲେ ଜଣେ ଡାକ୍ତର । ଏହାପରେ ବେସ୍‌ କ୍ୟାମ୍ପରୁ ଗୁମ୍ଫା ବାହାରକୁ ଅଣାଯାଉଥିଲା । ପ୍ରଥମ ଓ ଦ୍ୱିତୀୟ ଦିନ ଉଦ୍ଧାର ୮ ଜଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି । ପିଲାଙ୍କୁ କଳା ଚଷମା ପିନ୍ଧା ଯାଇଛି । ବହୁ ଦିନ ହେବ ଅନ୍ଧାରରେ ରହିଥିବାରୁ ଆଲୋକ ସହ ଖାପ ଖୁଆଇବାକୁ ସମୟ ଲାଗିବ । ସବୁ ପିଲାଙ୍କ ଏକ୍‌ସରେ’ ଓ ବ୍ଲଡ ଟେଷ୍ଟ କରାଯାଇଛି । ପ୍ରଥମ ଦିନ ଉଦ୍ଧାର ୪ ଜଣଙ୍କ ମଧ୍ୟରୁ ନିମୋନିଆ ଆଶଙ୍କାରେ ୨ ଜଣଙ୍କୁ ଆଣ୍ଟି ବାୟୋଟିକ୍ସ ଦିଆଯାଇଛି । ପିଲାମାନେ ନିଜ ପରିବାର ଲୋକଙ୍କୁ ଭେଟିନାହାଁନ୍ତି । ହସ୍ପିଟାଲ ଯାଇ ଦୂରରୁ ଝରକା ବାଟ ଦେଇ ନିଜ ପିଲାଙ୍କୁ ଦେଖିଛନ୍ତି ପରିବାର ଲୋକ । ପିଲାମାନଙ୍କୁ ୭ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯିବ।

ଜୁନ୍‌ ୨୩ ତାରିଖରେ ୧୨ ଜଣ ବାଳକ ଫୁଟବଲ ଖେଳ ସାରି କୋଚ୍‌ଙ୍କ ସହ ଟେମ୍‌ଲୁଙ୍ଗ୍‌ ଗୁମ୍ଫା ଭିତରକୁ ବୁଲିବାକୁ ଯାଇଥିଲେ । ଅଚାନକ ବର୍ଷା ହେବାରୁ ଗୁମ୍ଫାରେ ପାଣି ପଶିଗଲା । ସମସ୍ତେ ଫସିଗଲେ । ସେମାନଙ୍କୁ ଠାବ କରିବାକୁ ଲାଗିଗଲା ୯ ଦିନ । ଗୁମ୍ଫା ମୁହଁ ପାଖରୁ ୪ କିଲୋମିଟର ଦୂରରେ ସେମାନେ ଥିଲେ । କିନ୍ତୁ ସନ୍ଧାନ ମିଳିବା ପରେ ଯେଉଁ ଖୁସି ମିଳିଥିଲା, ତାହା ତୁରନ୍ତ ମିଳେଇ ଯାଇଥିଲା । ଜଣାପଡ଼ିଲା, ଜଟିଳ ରାସ୍ତାରେ ସମସ୍ତେ ଫସିଛନ୍ତି । ବାହାର କରିବାକୁ ୩- ୪ ମାସ ସମୟ ଲାଗିବ । କିନ୍ତୁ ସାହସିକତା ପ୍ରଦର୍ଶନ କରିଥିଲେ ଉଦ୍ଧାରକାରୀ ଦଳ । କେବଳ ଥାଇଲାଣ୍ଡ ନୁହେଁ ଆମେରିକା, ଅଷ୍ଟ୍ରେଲିଆ ଏପରି ଅନେକ ଦେଶର ବିଶେଷଜ୍ଞ ଉଦ୍ଧାର କାମରେ ସାମିଲ ହୋଇଥିଲେ । ସାରା ବିଶ୍ୱର ନଜର ଥିଲା ଥାଇଲାଣ୍ଡର ଟେମ୍‌ଲୁଙ୍ଗ୍‌ ଗୁମ୍ଫା ଉପରେ । ତିନି ଦିନରେ ସରିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ପ୍ରକ୍ରିୟା ଭିତରେ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.