କୋହଲି କ୍ୟାମ୍ପ ପାଇଁ ବାଜି ପଲଟିବ କି ? ନ୍ୟୁଜିଲାଣ୍ଡକୁ ମାତ ଦେବା ପାଇଁ ନୂଆ ପ୍ଲାନ୍‌ କରିଛି ଟିମ୍‌ ଇଣ୍ଡିଆ

ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନଠାରୁ ଶୋଚନୀୟ ଭାବେ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିବା ଭାରତ ରବିବାର ଆଇସିସି ପ୍ରତିଯୋଗିତାରେ ସବୁବେଳେ ତା’ ଉପରେ ଭାରୀ ପଡ଼ୁଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ମ୍ୟାଚରେ ଯେଉଁ ଦଳ ଜିତିବ ତାର ସେମିଫାଇନାଲ ରେ ଖେଳିବା ଆଶା ଉଜ୍ଜୀବିତ ହେବ।

ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ନ୍ୟୁଜିଲାଣ୍ଡ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତ ପାଇଁ ସବୁବେଳେ ବଡ଼ ବିପଦ ଭାବେ ଉଭା ହୋଇଛି। ନ୍ୟୁଜିଲାଣ୍ଡ ସବୁବେଳେ ବ୍ୟକ୍ତିଗତ ଚମକ ଅପେକ୍ଷା ଦଳଗତ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିଥାଏ। ସେଥିପାଇଁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ନ୍ୟୁଜିଲାଣ୍ଡ ସବୁ ବେଳେ ସ୍ଥିର ପ୍ରଦର୍ଶନ କରୁଛି। ଏପରିକି ୨୦୦୩ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ହରାଇବା ପରଠାରୁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଭାରତ ଆଉ ନ୍ୟୁଜିଲାଣ୍ଡକୁ ହରାଇନି।

ଏବେ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ପରାଜିତ ହୋଇଛନ୍ତି । ସେମାନଙ୍କ ପାଖରେ ଆଉ ୪ଟି ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି । ଯେଉଁ ଦଳ ପରବର୍ତ୍ତୀ ୪ଟି ଯାକ ମ୍ୟାଚ୍‌ରେ ବିଜୟୀ ହେବ ସେହି ଦଳ ଗ୍ରୁପ୍‌ର ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିବାର ସୁଯୋଗ ପାଇବ । ତେଣୁ ଆଜି ଭାରତ ହେଉ କି ନ୍ୟୁଜିଲାଣ୍ଡ, ଉଭୟ ଦଳ ପାଇଁ ବିଜୟ ଅତି ଜରୁରୀ ହୋଇ ପଡ଼ିଛି ।

ଟି-ଟ୍ୱେଣ୍ଟି କ୍ରିକେଟରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭାରତ ବିପକ୍ଷରେ ବେଶ୍‌ ଭଲ ରହିଛି । ରେକର୍ଡ ଅନୁସାରେ, ୨୦୦୭ରୁ ୨୦୨୦ ମଧ୍ୟରେ ଉଭୟ ଦଳ ୧୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି । ଭାରତ ୬ଟି ଓ ନ୍ୟୁଜିଲାଣ୍ଡ ୮ଟି ଜିତିଛି ଏବଂ ୨ଟି ମ୍ୟାଚ୍‌ ଟାଏ ରହିଛି । ୨୦୧୯ ଦିନିକିଆ ବିଶ୍ୱକପରେ ଦୁଇ ଦଳ ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଭାରତ ୧୮ ରନରେ ପରାଜିତ ହୋଇ ଫାଇନାଲ ସ୍ୱପ୍ନ ଧୂଳିସାତ୍‌ କରିଥିଲା । ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ୪୭ ରନ୍‌ରେ ବିଜୟୀ ହୋଇଥିଲା ।

ସେହିପରି ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌ ଜିତିଥିଲା । ଭାରତ ଏହି ମୁକାବିଲାରେ ୧୦ ରନ୍‌ରେ ପରାଜିତ ହୋଇଥିଲା । ୨୦୦୩ ଦିନିକିଆ ବିଶ୍ୱକପରେ ୭ ୱିକେଟରେ ଭାରତ ବିଜୟୀ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ ୫ଟିରୁ ନ୍ୟୁଜିଲାଣ୍ଡ ୪ଟି ଜିତିଥିବାବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ ରହିଛି ।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପର ଗ୍ରୁପ୍-୨ରେ ଭାରତ ସହ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ଅଛନ୍ତି। ସେଥିମଧ୍ୟରୁ ଶୀର୍ଷ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଯଦି ନ୍ୟୁଜିଲାଣ୍ଡକୁ ହରାଇବାକୁ ଭାରତ ଅସମର୍ଥ ହୁଏ, ତାହାଲେ ଶୀର୍ଷ ୪ ଦୌଡ଼ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.