ଲୋକଙ୍କ ପ୍ରଥମ ପସନ୍ଦ ସରସତିଆ, ଦେବୀ ସରସ୍ୱତୀଙ୍କ ନାମ ଅନୁସାରେ ରଖାଯାଇଛି ଏହାର ନାମ

ସମ୍ବଲପୁର (କେନ୍ୟୁଜ) : ଓଡ଼ିଶାର ବିଭିନ୍ନ ସ୍ଥାନରେ କିଛି ଲୋକପ୍ରିୟ ଖାଦ୍ୟ ରହିଛି। ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରର ଏକ ଖାଦ୍ୟ ହେଉଛି ସରସତିଆ। ସମ୍ବଲପୁରରେ ଅନେକ ପାରମ୍ପରିକ ଖାଦ୍ୟ ରହିଛି। ଉଭୟ ପ୍ରସ୍ତୁତି ଓ ସ୍ୱତନ୍ତ୍ରତା ଦୃଷ୍ଟିରୁ ଗୋଟିଏ ବିଶେଷ ଧରଣର ସ୍ନାକ୍ସ ହେଉଛି ସରସତିଆ। ସରସତିଆକୁ ଖାଇବା ଯେତେ ଆନନ୍ଦ, ଏହାକୁ ପ୍ରସ୍ତୁତ କରିବାରେ କାରିଗରଙ୍କୁ କରିବାକୁ ପଡିଥାଏ ଅନେକ କଷ୍ଟ।

ପଶ୍ଚିମ ଓଡ଼ିଶାର ଅନେକ ସ୍ନାକ୍ସ ଆଇଟମ ରହିଛି। ସେଥିମଧ୍ୟରୁ ସମ୍ବଲପୁରର ସରସତିଆ ଅନ୍ୟତମ। ଆଉ ଏହି ସରସତିଆକୁ ତିଆରି କରିଥାଏ କୁଞ୍ଜେଲପଡାଠାରେ ଏକ ମାତ୍ର ଦୋକାନ। ଗୁପ୍ତା ପରିବାର ଏହି ସରସତିଆ ପ୍ରସ୍ତୁତ କରିଥାନ୍ତି। ସରସତିଆ ଅନେକ ବର୍ଷ ହେବ ଏଠାକାର ଲୋକଙ୍କ ପ୍ରଥମ ପସନ୍ଦ। ବିଦ୍ୟା ଦାୟିନୀ ଦେବୀ ସରସ୍ୱତୀଙ୍କ ନାଁ ଅନୁସାରେ ଏହି ଖାଦ୍ୟର ନାଁ ରଖାଯାଇଛି। ସରସ୍ୱତୀ ପୂଜା ସମୟରେ ପ୍ରଥମେ ଏହା ପ୍ରସ୍ତୁତ କରାଯାଇଥିଲା। ଏହାର ନାଁ ସରସତିଆ ଦିଆଯାଇଛି। ସରସତିଆକୁ ପ୍ରସ୍ତୁତ କରିବାକୁ ୪୮ ଘଣ୍ଟା ଲାଗିଥାଏ। ସରସତିଆ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ଏକ ସ୍ୱତନ୍ତ୍ର ଗଞ୍ଜେର ଗଛର କାଠି ସଂଗ୍ରହ କରି ଏହାକୁ ଛୋଟ ଛୋଟ ଆକାରରେ କଟାଯାଇଥାଏ। ୪୮ ଘଣ୍ଟା ପଯ୍ୟର୍ନ୍ତ ପାଣିରେ ବୁଡାଇ ରଖାଯାଏ। ଏହି କାଠିରୁ ଏକ ପ୍ରକାର ମିଠା ରସ ବାହାରିଥଏ। ସେହି ରସକୁ ଅରୁଆ ଚାଉଳ ଚୁନାରେ କିଛି ଚିନି ଓ ପାଣି ଦେଇ ପାଗ କରାଯାଇଥଏ। ଏହାପରେ ଏହାକୁ ହାତର ପାଞ୍ଚ ଆଙ୍ଗୁଠିରେ ନେଇ ଜାଲ ଭଳି ଛଣା ଯାଏ। ଅତ୍ୟନ୍ତ ହାଲୁକା ହୋଇଥିବାରୁ ପାଟିରେ ରଖୁ ରଖୁ ଏହା ମିଳାଇ ଯାଇଥାଏ। ଲୋକେ ଗୋଟିଏ ଖାଉ ଖାଉ ଦୁଇଟି ନିଶ୍ଚୟ ଖାଇଥାନ୍ତି।

ଗୁପ୍ତା ପରିବାର ୨୦୦ରୁ ଉର୍ଦ୍ଧ୍ୱ ବର୍ଷ ହେବ ପିଢ଼ି ପରେ ପିଢ଼ି ଏହି ସରସତିଆ ତିଆରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ସହରର ଏହି ବ୍ୟଞ୍ଜନ କେବଳ କୁଞ୍ଜେଲପଡାରେ ହିଁ ମିଳିଥାଏ। ଅନ୍ୟ କାରିଗର ମାନେ ଏହାକୁ ବନେଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସଫଳ ହୋଇ ପାରିନାହାନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀରେ ଟିକେ ମଧ୍ୟ ତ୍ରୁଟି ହେଲେ ଆଉ ଏହା ଭଲ ଲାଗିନଥାଏ। ଏଥିପାଇଁ ଏଠାକୁ ଦେଶ ବିଦେଶରୁ ଲୋକେ ଆସି ତାଙ୍କ ପ୍ରିୟଜନ ପାଇଁ ନେଇଥାନ୍ତି।

ଏହି ସରସତିଆ ହେଉଛି ପ୍ରକୃତିରୁ ତିଆରି ହେଉଥିବା ଏକ ପ୍ରକାର ଖାଦ୍ୟ। ଜଙ୍ଗଲରୁ ମିଳୁଥିବା ଏକ କାଠି, ଅରୁଆ ଚାଉଳରୁ ଏହା ପ୍ରସ୍ତୁତ। ଏଥିରେ ଶରୀର ଖରାପ ହେବନି। ଏପରିକି ଏଥିରେ ଚିନି କମ ରହୁଥିବାରୁ ଏହାକୁ ମଧୁମେୟ ରୋଗୀ ମଧ୍ୟ ଆରାମରେ ଖାଇ ପାରନ୍ତି। ସଂସ୍କୃତି ଗବେଷକଙ୍କ କହିବା ଅନୁଯାୟୀଏହା ଅନେକ ବର୍ଷର ଖାଦ୍ୟପେୟ। ଆଯ୍ୟର୍ ସଂସ୍କୃତି ସମୟରୁ ଆମ ଖାଦ୍ୟପେୟ ଉପରେ ଅନେକ ଗୁରୁତ୍ୱ ଦିଆଯାଇଛି। ସେଥିରୁ ସରସତିଆ ଅନ୍ୟତମ। ବିଭିନ୍ନ ପର୍ବ ପର୍ବାଣୀରେ ଏହା ଦେବାଦେବୀଙ୍କୁ ମଧ୍ୟ ଲାଗି କରାଯାଇଥଏ।

ଏହି ସରସତିଆକୁ ସମ୍ବଲପୁରର ପ୍ରମୁଖ ସ୍ନାକ୍ସ ଆଇଟମ କୁହାଯାଇଥାଏ। ସମ୍ବଲପୁରକୁ ଆସୁଥିବା ପଯ୍ୟର୍ଟକ ଏଠାକୁ ଆସି ଏହାର ସ୍ୱାଦ ଚାଖିଥାନ୍ତି। ବିଭିନ୍ନ ପର୍ବ ପର୍ବାଣୀରେ ଏହି ସରସତିଆ ଘରେ ଘରେ ଦେଖିବାକୁ ମିଳିଥାଏ। ଘରକୁ ଯଦି କେହି ନୂଆ ଅତିଥି ଆସନ୍ତି ତାହେଲେ ସେ ନିଶ୍ଚୟ ସରସତିଆ ଖାଇଥାନ୍ତି। ଏହାର ଦାମ ମଧ୍ୟ ବହୁତ କମ। ସମସ୍ତଙ୍କ ପ୍ରଥମ ପସନ୍ଦ ମଧ୍ୟ ଏହା ହୋଇ ପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.