ଲ୍ୟାଣ୍ଡଫଲ୍‌ ବେଳେ ‘ୟସ୍‌’ର ବେଗ ଥିଲା ୧୪୦ରୁ ୧୪୫ କିଲୋମିଟର : SRC

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ବାତ୍ୟା ‘ୟସ୍‌’ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୪୫ କିଲୋମିଟର ରହିଥିଲା । ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବଡିଭିଜନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ତା ଉପରେ ନଜର ରଖା ଯାଇଛି । ମୟୁରଭଞ୍ଜରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ଦ୍ୱାରା ସେଭଳି କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ । ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଗଛ ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଯାହାର ତଦନ୍ତ ଚାଲିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଅବଶ୍ୟ ସମୁଦ୍ର ଜୁଆର ପାଣି ଅନେକ ଗାଁରେ ପଶିଛି । ବାହାନାଗା, ରେମୁଣା, ବାଲେଶ୍ଵର ସଦର, ଭଦ୍ରକ ଧାମରାର କିଛି ଗାଁରେ ପାଣି ପଶିଥିବା ସୂଚନା ମିଳିଛି। ତେବେ ବାତ୍ୟା ଦ୍ୱାରା ବହୁ ବଡ଼ ବଡ଼ ଗଛ ଭାଙ୍ଗିଛି । ବିଶେଷ କରି ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଛି ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସେମିତି କିଛି ବଡ଼ ଆକାରରେ କ୍ଷୟକ୍ଷତି ହୋଇନାହିଁ । ବିଶେଷ କରି ଭଦ୍ରକ ଓ ବାଲେଶ୍ଵର ବ୍ୟାପକ କ୍ଷୟକ୍ଷତି ହୋଇଛି। ପାଣି ଜମି ରହିବା ଯୋଗୁ କିଛି ସ୍ଥାନରେ ଫ୍ଲାସଫ୍ଲଡ଼ ହୋଇଛି । ତେବେ ନଦୀ ଜଳ ବିପଦ ସଙ୍କେତ ତଳେ ରହିଛି । ଶିମିଳିପାଳରେ ଅଧିକ ବର୍ଷା ହେଉଥିବାରୁ ବୁଢ଼ା ବଳଙ୍ଗରେ ଫ୍ଲାସଫ୍ଲଡ଼ ହେବାର ଆଶଙ୍କା ରହିଛି । ତେଣୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ମୟୁରଭଞ୍ଜରେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.