ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ମୁମ୍ବାଇ ଗସ୍ତ, ୧୪ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଦେବେ ଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ୧୩ ତାରିଖରେ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ତାରିଖରେ ମୁମ୍ବାଇରେ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ସୁରେଶ କୁମାର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ହେବ ।

ଏହି ସମ୍ମିଳନୀ ପାଇଁ ନିବେଶକମାନଙ୍କୁ ନିମନ୍ତ୍ରଣ କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ବାବଦରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ୧୪ ତାରିଖ ସାଢ଼େ ୬ଟାରେ ମୁମ୍ବାଇର ନରିମନ୍‌ ପଏଣ୍ଟରେ ଥିବା ହୋଟେଲ୍‌ ଟ୍ରାଏଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ । ଏଥିରେ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରାଙ୍କ ସମେତ ଦେଶର ଟପ୍‌ ନିବେଶକ ଓ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ୧୫ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦୁବାଇ, ଅହମ୍ମଦାବାଦ ଓ ଦିଲ୍ଲୀରେ ହୋଇଥିଲା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.