ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର(କେନ୍ୟୁଜ୍):  ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଆଜି ଓଡ଼ିଶା ନାଗରିକ ଫୋରମ୍‍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ପୁରସ୍କାର ‘ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର-୨୦୨୨’ ମିଳିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ ଓଡ଼ିଶା ନାଗରିକ ଫୋରମ୍‍ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପ୍ରଫେସର ଲାଲ୍‍ କହିଲେ, ସମସ୍ତେ ଆକାଶ ଛୁଉଁଛନ୍ତି । ଆକାଶ ଛୁଇଁବା ସହଜ ହୋଇପାରେ କିନ୍ତୁ ଅବକାଶକୁ ଛୁଇଁବା ଏତେ ସହଜ ନୁହେଁ । କିନ୍ତୁ ମୁଁ ଚାହେଁ ଅଚ୍ୟୁତ ସାମନ୍ତ ଅବକାଶକୁ ଛୁଅନ୍ତୁ । ମରୁଭୂମିକୁ ଜୀବନ ପ୍ରଦାନ କରିବାରେ ଯେଉଁ ଶାନ୍ତି ରହିଛି ଅବକାଶକୁ ଛୁଇଁବାରେ ମଧ୍ୟ ସେହି ଶାନ୍ତି ରହିଛି । ସମ୍ବର୍ଦ୍ଧନା ଗ୍ରହଣ କରି ଅଚ୍ୟୁତ ସାମନ୍ତ କହିଲେ, କିସ୍‍କୁ ଯେଉଁ ସମ୍ମାନ ମିଳିଛି ତାହା ଓଡ଼ିଶାର ସମ୍ମାନ ଓ ଭାରତର ସମ୍ମାନ ।

ଓଡ଼ିଶାବାସୀ ଓ ଜନଜାତି ଭାଇଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ଆଜି ଏହି ସମ୍ମାନ ମିଳିପାରିଛି ବୋଲି କହିଥିଲେ । କିସ୍‍ର ଏହି ସମ୍ମାନକୁ ସେ ଓଡ଼ିଶାବାସୀ ଓ ଜନଜାତି ଭାଇଭଉଣୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଥିବା କହିଥିଲେ । ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ପ୍ରତିଷ୍ଠା କରିବାଠାରୁ ମୋତେ ଅନେକ କଷ୍ଟ ଓ ପ୍ରତିକୂଳ ପରିସ୍ଥିତିର ସାମ୍‍ନା କରିବାକୁ ପଡ଼ିଛି, କିନ୍ତୁ ଧୈର୍ଯ୍ୟ ଓ ଭଗବାନଙ୍କ ଆଶୀର୍ବାଦରୁ ଆଜି ଏହି ଦୁଇ ଅନୁଷ୍ଠାନ ବିଶ୍ୱସ୍ତରୀୟ ହୋଇପାରିଛି । କାରଣ କେତେ କେତେ କଷ୍ଟ ନ ଆସିଲା, କୃଷ୍ଣ ଥିଲେ ବୋଲି କିଛି ଜଣା ନ ପଡ଼ିଲା ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ନାଗରିକ ଫୋରମ୍‍ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲିପ ହାଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.