ସହରରେ ଲହଡ଼ି : ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ଉବୁଟୁବୁ ,କଟକରେ ବି ହାଲ୍‌ ବେହାଲ୍‌

ଭୁବନେଶ୍ବର : ପାଣି.. ପାଣି.. ଆଉ ପାଣି । ଚାରିଆଡ଼ ଜଳାର୍ଣ୍ଣବ । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ । ଘରେ ବି ପଶିଛି । ବୁଡ଼ିଯାଇଛି ଆସବାବପତ୍ର । ଏଭଳି ଦୃଶ୍ୟ ଦେଖାବାକୁ ମିଳିଥିଲା ହାର୍ଟ ଅଫ୍‌ ରାଜଧାନୀ କୁହାଯାଉଥିବା ନୟାପଲ୍ଲୀର । ବର୍ଷାରେ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱରର ହାଲ୍‌ ବେହାଲ୍‌ । ଇସ୍କନ ମନ୍ଦିର ଆଗରେ ହୋଇଛି କୃତ୍ରିମ ବନ୍ୟା । ପାଣି ଭିତରେ ଫସି ଯାଇଥିଲା ବସ୍‌ । ହଟହଟା ହୋଇଥିଲେ ଯାତ୍ରୀ । ଅଗ୍ନିଶମ ବାହିନୀ ବସ୍‌ଟିକୁ ସ୍ଥାନାନ୍ତର କରିଥିଲା । ପାଣି କାଦୁଅରେ ସରସର ହୋଇଥିଲେ ରାସ୍ତାରେ ଯାଆସ କରୁଥିବା ଲୋକ ।

ବେଶୀ କଲବଲ ହୋଇଥିଲେ ଭୁବନେଶ୍ୱର ତଳି ଅଞ୍ଚଳ ଲୋକ । ରବି ଟକିଜ୍‌ ନିକଟ ଗୌରୀ ନଗରରେ ପାଣି ପଶି ଯିବାରୁ ମୋଟର ଲଗାଇ ନିଷ୍କାସନ କରାଯାଇଥିଲା । କଂସା, ବାଲ୍‌ଟି ଧରି ଘର ଭିତରୁ ପାଣି ନିଷ୍କାସନ କରିଥିଲେ ଲୋକ । ନର୍ଦ୍ଦମାର ଅପରିଷ୍କାର ପାଣି ଘରେ ପଶିଥିଲା । ସହିଦନଗର, ବମିଖାଲ, ନୟାପଲ୍ଲୀ ବେହେରା ସାହି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଡମଣା, ବରମୁଣ୍ଡା, ଫାୟାର ଷ୍ଟେସନ, ପାୱାର ହାଉସ ଛକ, ୟୁନିଟ-୮ ଅଞ୍ଚଳର ରାସ୍ତା ଉପରେ ଛୁଟୁଥିଲା ବର୍ଷାପାଣିର ସୁଅ ।

ଦୁଇ ଦିନର ଲଗାଣ ବର୍ଷା କଟକବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । ଘରୁ ବାହାରି ପାରି ନଥିଲେ ଲୋକ । ଡ୍ରେନ୍‌ର ଆବର୍ଜନା ରାସ୍ତା ଉପରକୁ ଆସିଥିଲା । ସେପଟେ ବ୍ରହ୍ମପୁରରେ ବସ୍ତି ବାସିନ୍ଦାଙ୍କୁ ଘାରିଛି ବର୍ଷା ଭୟ । ଦଦରା ଘରେ ରହିବାକୁ ଲୋକ ସୁରକ୍ଷିତ ମଣୁ ନାହାନ୍ତି ।

ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସହରର ଅବସ୍ଥା ସଙ୍ଗୀନ ହୋଇ ପଡୁଛି । ଏଥିପାଇଁ ମୁଖ୍ୟତଃ ଡ୍ରେନେଜ୍‌ ବ୍ୟବସ୍ଥାକୁ ଦାୟୀ କରାଯାଉଛି । ସେହିପରି କଠିନ ବର୍ଜବ୍ୟସ୍ତୁ ଡ୍ରେନ୍‌ରେ ପଡ଼ିବା ଦ୍ୱାରା ଜଳ ନିଷ୍କାସନ ହୋଇ ପାରୁନାହିଁ । ଏହାବ୍ୟତୀତ ପ୍ରାକୃତିକ ଡ୍ରେନ୍‌ ଜବରଦଖଲ ଦ୍ୱାରା ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଜମୁଛି । ଲୋକଙ୍କ ଘରେ ପଶୁଛି ।

ଅନ୍ଯପଟେ ବର୍ଷା ବିତ୍ପାତରୁ ବାଦ୍‌ପଡ଼ିନି ଶୈଳଶ୍ରୀ ବିହାର ଅନ୍ତର୍ଗତ ପଦ୍ମାବତୀ ବିହାର ଅଞ୍ଚଳ । ଏଠାରେ ଥିବା କଲୋନୀ ସମେତ ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ‘କୁନିକଥା’ର କାର୍ଯ୍ୟାଳୟରେ ବି ଲହଡ଼ି ମାରୁଥିଲା ବର୍ଷା ଜଳ । ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ବନ୍ୟା ଭଳି ପାଣି ସୁଅ ଛୁଟିଥିଲା । ରାସ୍ତା ପାଣି ଯାଇ ପଶିଥିଲା କଲୋନୀ ଭିତରେ । ବିଶେଷ କରି କାଦମ୍ବିନୀ କାର୍ଯ୍ୟାଳୟରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । କାଦମ୍ବିନୀ ଏବଂ କୁନିକଥାର ଏହି କାର୍ଯ୍ୟାଳୟ ଭିତରେ ଆଣ୍ଠୁଏରୁ ଅଧିକ ପାଣି ପଶି ରହିଥିଲା । ଆସବାବପତ୍ର ସବୁ ଅପରିଷ୍କାର ପାଣିରେ ଭାସିଥିଲା । ବର୍ଷା ପାଣିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଲେଖା, ଫଟୋ, ପତ୍ରିକା, ମର୍ଯ୍ୟାଦାଜନକ ଟ୍ରଫି ଆଦି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର । ସେହିପରି କାଦମ୍ବିନୀ କାର୍ଯ୍ୟାଳୟର ଆଖପାଖ ଘରେ ମଧ୍ୟ ପାଣି ପଶି ଲୋକ ହଇରାଣ ହୋଇଛନ୍ତି । ପାଣି ସୁଅରେ ଡ୍ରେନ୍‌ ଓ ରାସ୍ତାର ଆବର୍ଜନା ସବୁ ଘର ଭିତରେ ପଶି ଯାଇଥିଲା । ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ବିଏମ୍‌ସିକୁ ଦାୟୀ କରିଛନ୍ତି । ସ୍ମାର୍ଟ ସିଟିରେ ଜଳ ନିଷ୍କାସନ ବ୍ୟବସ୍ଥା କିଭଳି, ସେକଥା ଏଇ ଘଟଣାରୁ ସ୍ପଷ୍ଟ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.