ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେ ଜଣେ କର୍ମଜୀବୀ… ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଭୁବନେଶ୍ବର(କେନ୍ଯୁଜ୍): ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଛି। ପ୍ରତିମାସ ପ୍ରଥମ ରବିବାର କାଦମ୍ବିନୀ ପକ୍ଷରୁ ସାହିତ୍ୟ ଆସର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ବିଶ୍ୱ ମହିଳା ଦିବସ ଉପଲକ୍ଷେ କାଦମ୍ବିନୀ ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଆସର ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାହିତ୍ୟିକା ଡା. ସରୋଜିନୀ ଷଡ଼ଙ୍ଗୀ, ଡ. ସରୋଜିନୀ ସାହୁ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶିକା ପୂରବୀ ଦାସ ଓ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେଜଣେ କର୍ମଜୀବୀ ବୋଲି ଡ. ସରୋଜିନୀ ସାହୁ କହିଥିଲେ । ପରିବାରର ସହଯୋଗ ବିନା କର୍ମଜୀବୀ ମହିଳାମାନେ ଆଗେଇ ପାରିବେ ନାହିଁ । ନାରୀର ଶରୀର ଉପରେ ନାରୀର ସମ୍ପୂର୍ଣ୍ଣ ଅଧିକାର ରହିଛି । ଆମେ ସମସ୍ତେ ନାରୀ ସ୍ୱାଧୀନତା ସପକ୍ଷରେ କହୁଥିବା ବେଳେ କନ୍ୟା ଭ୍ରୂଣହତ୍ୟା, ନାରୀ ନିର୍ଯାତନା ଆଦି ବିରୋଧରେ ସ୍ୱରୋତ୍ତୋଳନ କରୁଛୁ। କିନ୍ତୁ ଘରେ ବାହାରେ ସବୁଠି ନାରୀଙ୍କ ପ୍ରତି ପୁରୁଷଙ୍କ ଏକ ଭିନ୍ନ ଧାରଣା ରହିଛି। ପରିବାର ଓ ସମାଜରେ ନାରୀର ଭୂମିକା ଓ ସହଭାଗିତା ରହିଛି ଏବଂ ରହିଥିବ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ପୂର୍ବରୁ ନାରୀମାନେ ଉଦ୍ୟୋଗୀ ଥିଲେ, ଏବେ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ଉଦ୍ୟୋଗୀ ହୋଇ ରହିବେ। ନାରୀଙ୍କ ପ୍ରତି ପୁରୁଷଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସିଦ୍ଧାନ୍ତ କହିଥିଲେ। ନାରୀମାନେ ପୁରୁଷଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି । ନାରୀଙ୍କ ପ୍ରତିଭାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଜଣେ ନାରୀ ଚାହିଁଲେ, ସାଧନାର ଶିଖରକୁ ଛୁଇଁ ପାରିବ। ତେବେ ପୁରୁଷ ଓ ନାରୀ ମଧ୍ୟରେ ଥିବା ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପଡ଼ିବ ବୋଲି ଡ. ସରୋଜିନୀ ଷଡ଼ଙ୍ଗୀ କହିଥିଲେ। ଜଣେ ନାରୀ ମଧ୍ୟ ପୁରୁଷଙ୍କ ଭଳି ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ପୂରବୀ ଦାସ କହିଥିଲେ।

କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କୁ ନେଇ ପ୍ରକାଶ ପାଇଥିବା କାଦମ୍ବିନୀର ସଦ୍ୟତମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ମହିଳା ଉଦ୍ୟୋଗୀ ଲୁମିନସ ଇନଫୋ-ୱେଜ୍‌ର ସଭାପତି ଜୟଶ୍ରୀ ମହାନ୍ତି, ପ୍ରେସିଡେନ୍‌ସୀ ହୋଟେଲର ପରିଚାଳନା ନିର୍ଦ୍ଦେଶିକା ବନ୍ଦନା ମହାନ୍ତି, ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପସା ହଂସ, ନେକ୍‌ସସ୍‌ ପାୱାରର ଯୁଗ୍ମ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିଥା ବଳିଆର ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଦମ୍ବିନୀର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.