(କେନ୍ୟୁଜ ): ମଣ୍ଡପରେ ଚାଲିଛି ଜଗତଜନନୀ ଦଶଭୂଜାଙ୍କ ମହାନବମୀ ପୂଜା। ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ସେହିପରି ମାଲକାନଗିରି ଜିଲ୍ଲାରେ ମା’ଙ୍କ ପୂଜା ଖୁବ ଧୁମଧାମରେ ପାଳନ କରାଯାଉଛି। ସଦରମହକୁମାର ୧୦ଟି ପୂଜା ମଣ୍ଡପ ଓ ୨ଟି ପୀଠରେ ପୂଜା ପାଉଛନ୍ତି ମା ଦୁର୍ଗା । କେବଳ ସେତିକି ନୁହେଁ ଦଣ୍ଡକାରଣ୍ୟ ପୂଜାମଣ୍ଡପରେ ମଧ୍ୟ ଦୀର୍ଘ ୫୯ବର୍ଷ ଧରି ପୂଜା ପାଉଛନ୍ତି ମହିଷାସୁର ମର୍ଦ୍ଦିନୀ। ଏଠାରେ ମା’ ବଙ୍ଗାଳୀ ରୀତିନୀତି ରେ ମା ପୂଜା ପାଉଛନ୍ତି। କିନ୍ତୁ ଓଡ଼ିଆ, ତେଲୁଗୁ, ତାମିଲ, ବଙ୍ଗାଳୀ ସବୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଚାଲିଆସନ୍ତି। କିନ୍ତୁ ଏଥର କଡା କଟକଣା ଲଗାଇଛି ପ୍ରଶାସନ । ଚାରିପଟୁ ମାଆଙ୍କୁ ଆବଦ୍ଧ କରାଯାଇଛି । ପୂଜା ମଣ୍ଡପକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । ଯାହା ପାଇଁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ସେହିପରି ଆନନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ସରକାରଙ୍କ ଗାଇଡ଼ଲାଇନ ମାନି ମା’ଙ୍କ ପୂଜା ଅର୍ଚ୍ଚନା କରୁଛି । କୋଭିଡ କଟକଣାରେ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିନପାରି ବ୍ୟଥିତ ହୋଇଛନ୍ତି। ବିନା ଭକ୍ତରେ ମା’ଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପାଳନ କରାଯାଉଛି। ନବମୀରେ କୁମାରୀ ପୂଜା ସହିତ ମା’ଙ୍କ ଗୁପ୍ତ ନୀତି ଓ ଚଣ୍ଡୀ ପାଠ ସୁରୁଖୁରୁରେ ଚାଲିଛି।
ଏହା ଛଡା ପୁରୀରେ ମଧ୍ୟ ଦଶଭୂଜାଙ୍କ ପୂଜାର୍ଚ୍ଚନା ନେଇ ଉତ୍ସବ ମୁଖର ହୋଇ ଉଠିଛି ପରିବେଶ। ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ବଜାର ପୂଜା ମଣ୍ଡପରେ ମହାନବମୀରେ ପୂଜା ହୋଇଛି। ସକାଳୁ ସୂର୍ଯ୍ୟପୂଜା ଶେଷ ହେବା ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଛି। ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ମହାମାୟୀଙ୍କ ପୂଜାବିଧି ଚାଲୁ ରହିଛି। କିନ୍ତୁ ଦୁଃଖର ବିଷୟ ଶ୍ରଦ୍ଧାଳୁ ଓ ମାଙ୍କ ଭିତରେ ପାଚେରୀ ହୋଇ ରହିଛି ରାସ୍ତା । ଦୂରରେ ଥାଇ ଦେବୀଙ୍କର ଆରାଧନା କରୁଛନ୍ତି ଭକ୍ତ । କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତିକୁ ସମ୍ମାନ ଜଣାଇ ଏଭଳି ଦର୍ଶନ କରୁଛନ୍ତି ସହରବାସୀ । ମନ ବୁଝୁନାହିଁ ତଥାପି କଟକଣା ମାନିବାକୁ ସମସ୍ତେ ବାଧ୍ୟ ।
ସେହିପରି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚାଲିଛି ମହାନବମୀ ପୂଜା। ୯ଜଣ କୁମାରୀଙ୍କୁ ଦେବୀ ବେଶ କରାଯାଇ ପୂଜା କରାଯାଇଛି। କୌମାରୀ, ତ୍ରିମୂର୍ତ୍ତି, କଲ୍ୟାଣୀ, ରୋହିଣୀ, କାଳିକା, ଚଣ୍ଡିକା, ଶାମ୍ଭବୀ, ଦୁର୍ଗା ଓ ସୂଭଦ୍ରା ରୂପେ ନଅଜଣ କୁମାରୀଙ୍କୁ ଦେବୀ ରୂପେ ପୂଜା କରାଯାଇଛି। ଏହାସହ ପାଟଣାଗଡ଼ର ପାଟଣେଶ୍ୱରୀ ମନ୍ଦିରରେ ପାଳିତ ହୋଇଛି ବଏଲ ଯାତ୍ରା। ମନ୍ତ୍ର ଧ୍ୱନିରେ ଚାଲିଛି ଦେବୀ ଆରାଧନା। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ବଲାଙ୍ଗିର ସହର ।